ସତୀଶ ବିଶ୍ବାଳଙ୍କ ଘର ଉପରେ ଚଢାଉ ହେବ ନାହିଁ ! ପ୍ରତିଶ୍ରୁତି ଦେଲେ ଯାଜପୁର ପୋଲିସ

Spread the love

ଯାଜପୁର, ୧୮/୩ (ସନ୍ଧାନ ନ୍ୟୁଜ )ପାହାଡ ପର୍ବତ ସୁରକ୍ଷା ମଂଚ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସତୀଶ ବିଶ୍ବାଳଙ୍କ ଘର ଉପରେ ପୋଲିସ ଆଉ ଚଢାଉ କରିବ ନାହିଁ । ଏ ନେଇ ଯାଜପୁର ଜିଲ୍ଲାର ଅତିରିକ୍ତ ଏସ୍.ପି ଶୀତକଣ୍ଠ ଜାନୁନଗୋ ଏବଂ ଏସ.ଡି.ପି.ଓ ଶରତ ପାତ୍ରଙ୍କ ତତ୍ତ୍ୱାବଧାନରେ ଗୋଟିଏ କମିଟି ଘଟଣାର ତଦନ୍ତ କରିବ । ଆଜି ଯାଜପୁର ଏସ୍.ପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତୀଶ ବିଶ୍ବାଳଙ୍କ ଉପରେ ହୋଇଥିବା ପଥର ମାଫିଆଙ୍କ ଗୁଣ୍ଡାରାଜ ଏବଂ ପରେ ପୋଲିସର ଜୁଲମ ପ୍ରତିବାଦରେ ହୋଇଥିବା ଧାରଣାରେ ଜିଲ୍ଲା ପୋଲିସ ତରଫରୁ ଏହି ପ୍ରତିଶୃତି ପ୍ରଦାନ କରାଯାଇଛି ।

ଖବରରୁ ପ୍ରକାଶ, ଧର୍ମଶାଳାର ଚାଷୀ ମାନଙ୍କ ଅନୁରୋଧ କ୍ରମେ ଗତ ୧୬ ତାରିଖ ଦିନ କୁସୁନପୁର ପାହାଡରୁ ବେଆଇନ ପଥର ଚାଲାଣ ନେଇ କ୍ଷେତ୍ର ପରିଦର୍ଶନରେ ଯାଇଥିବା ବେଳେ ସତୀଶ ଏବଂ ତାଙ୍କ ସହ ଉପସ୍ଥିତ ଥିବା ପୁରୁଷ ଓ ମହିଳାଙ୍କ ଉପରେ ମରଣାନ୍ତକ ଆକ୍ରମଣ ସହ ତାଙ୍କର କାରକୁ ମଧ୍ୟ ଭାଙ୍ଗି ଚୂରମାର କରି ଦିଆଯାଇ ଥିଲା । ଏନେଇ ସତୀଶ ଜେନାପୁର ଥାନାରେ ଏତଲା ଦେବା ପରେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବା ପରେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ରେଫର କରାଯାଇ ଥିଲା । ହେଲେ ଏହିଦିନ ସତୀଶଙ୍କ ଘର ସମେତ ତାଙ୍କର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ସତୀଶଙ୍କୁ ଗିରଫ ପାଇଁ ଉଦ୍ୟମ କରାଯାଇ ଥିଲା । ସତୀଶଙ୍କ ବିରୋଧରେ ସଙ୍ଗେ ସଙ୍ଗେ ଜେନାପୁର ଓ ଧର୍ମଶାଳା ଥାନାରେ ପ୍ରାୟ ୪ ଟି ମିଥ୍ୟା ମାମଲା ଉଦେଶ୍ୟ ମୂଳକ ଭାବେ ରୁଜୁ କରାଗଲା । ମାଫିଆ ମାନଙ୍କୁ ସୁରକ୍ଷା ଦେବାକୁ ଯାଇ ପୋଲିସର ଏଭଳି ଏକତରଫା ଅମାନବୀୟ କାର୍ଯ୍ୟ ନେଇ ସମଗ୍ର ରାଜ୍ୟରେ ଆଲୋଡନ ପ୍ରକାଶ ପାଇଥିଲା । ଏହାର ପ୍ରତିବାଦରେ ଦୁଇଦିନ ତଳେ ସତୀଶଙ୍କ ପରିବାର ଯାଜପୁର ଏସ୍.ପି ଙ୍କୁ ସାକ୍ଷାତ କରି ପୋଲିସ ନୀରପେକ୍ଷ ଭାବେ ତଦନ୍ତ କରିବାକୁ ଅନୁରୋଧ କରିଥିଲେ । ହେଲେ ଯାଜପୁର ଏସ୍.ପି ଙ୍କୁ ଭେଟିବା ପରେ ପୋଲିସ ଅଧିକ ହିଂସ୍ର ହୋଇ ସତୀଶଙ୍କ ଘର ଉପରେ ପୁନର୍ବାର ଚଢାଉ କରିଥିଲା । ଆଜି ଶନିବାର ଏହାର ପ୍ରତିବାଦରେ ସତୀଶଙ୍କ ସମର୍ଥକ ମାନେ ଯାଜପୁର ଏସ୍.ପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୁନଶ୍ଚ ଧାରଣାରେ ବସିଥିଲେ । ଏହି ସମୟରେ ଉପସ୍ଥିତି ପୋଲିସ କର୍ମଚାରୀ ମାନେ ଏମାନଙ୍କୁ ବସାଇ ନ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ସମର୍ଥକ ମାନେ ଏକ ଜିଦ୍ ରେ ଅଟଳ ରହି ଧାରଣାରେ ବସିବା ସହ ଉପସ୍ଥିତି ୩୦ ରୁ ଉର୍ଦ୍ଧ ସାମ୍ବାଦିକ ମଧ୍ୟ ନୀତିଗତ ସମର୍ଥନ ଦେଇଥିଲେ । ଏହାପରେ ପୋଲିସର ଉଚ୍ଚ ଅଧିକାରୀ ଅତିରିକ୍ତ ଏସ୍.ପି ଏବଂ ଏସଡିପିଓ ଧାରଣା ସ୍ଥଳରେ ପହଂଚି ଉପରୋକ୍ତ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟହତ ହୋଇଥିବା ସୂଚନା ମିଳିଛି । ବିଶେଷ ସୁତ୍ରରୁ ପ୍ରକାଶ, ରାଜ୍ୟର ବହୁ ବିଶିଷ୍ଟ ସାମ୍ବାଦିକ, ରାଜନେତା ଏହି ଘଟଣାରେ ହସ୍ତକ୍ଷେପ କରି ମୁଖ୍ୟମନ୍ତ୍ରୀ ଏବଂ ପୋଲିସ ମହାନିର୍ଦେଶକଙ୍କ ନଜରକୁ ଆଣିଛନ୍ତି । ଏହାଦ୍ୱାରା ସରକାର ଏବଂ ପୋଲିସ ବ୍ୟବସ୍ଥା ଉପରୁ ଆସ୍ଥା ତୁଟି ଯାଉଛି ବୋଲି ଜଣାଇଛନ୍ତି । ଏହାପରେ ପୋଲିସ ମହାନିର୍ଦ୍ଦେଶକ ମଧ୍ୟ ଏଥିନେଇ ବିରକ୍ତି ପ୍ରକାଶ କରିଛନ୍ତି । ତେବେ ଏହି ଘଟଣା ନେଇ ଜଣେ ପୋଲିସ ଅଫିସର ବଳି ପଢିବା ସହ ବଦଳି ହେବା ନେଇ ଏକ ଭରଷା ଯୋଗ୍ୟ ସୂତ୍ରରୁ ଖବର ମିଳିଛି।

Related Posts

About The Author

Add Comment