ଷ୍ଟାଇପେଣ୍ଡ ଟଙ୍କାରୁ ଭାଗ ନ ଦେବାରୁ ମାଡ଼

Spread the love

ଉଦଳା- ୨୮/୯(ସନ୍ଧାନ ନ୍ୟୁଜ୍): ପୁଣି ବିବାଦ ଘେରକୁ ଆସିଛି ଉଦଳା ବ୍ଲକ ରାଢ଼େ ଡିଗ୍ରୀ କଲେଜ । କଲେଜ ପରିସରରେ କିଛି କର୍ମଚାରୀ ଜଣେ ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ରଙ୍କୁ ଷ୍ଟାଇପେଣ୍ଡ ଟଙ୍କାରୁ ଭାଗ ମାଗିବା ଓ ଟଙ୍କା ନଦେବାରୁ ମାଡ଼ ମାରିବା ଅଭିଯୋଗ ହୋଇଛି। ମାଡ଼ ବେଳର ଭିଡ଼ିଓ ବି ଭାଇରାଲ୍‌ ହେଉଛି । ଏ ନେଇ ଛାତ୍ର ଜଣକ ଉଦଳା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଛାତ୍ର ସୁଶାନ୍ତ କୁମାର ମଳିକ ୧୦ ହଜାର ଷ୍ଟାଇପେଣ୍ଡ ପାଇଥିବା ବେଳେ କଲେଜର ମୁଖ୍ୟ କିରାଣୀ ଗଣେଶ୍ୱର ସିଂହ କୁଆଡ଼େ ଏଥିରୁ ଅଧାଟଙ୍କା ମାଗିଥିଲେ। ଅନ୍ୟ ଛାତ୍ରମାନଙ୍କଠାରୁ ବି ନିୟମିତ ଏମିତି ଟଙ୍କା ଆଦାୟ କରାଯାଇଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। ତେବେ ସୁଶାନ୍ତ ଟଙ୍କା ଦେବାକୁ ମନା କରିବାରୁ ଗଣେଶ୍ବର ତାଙ୍କୁ ଅଧ୍ୟକ୍ଷ ଆଦିକନ୍ଦ ଦେଙ୍କ ଅଫିସ୍‌କୁ ଡ଼ାକି ନେଇଥିଲେ। ଅଧ୍ୟକ୍ଷ ଓ କିରାଣୀ ତାଙ୍କୁ ଟଙ୍କା ଦେବାକୁ ବାଧ୍ୟ କରିବା ସହ ନହେଲେ ପରୀକ୍ଷାରେ ବସାଇ ଦିଆଯିବନି ବୋଲି ଧମକ ଦେଇଥିଲେ। ତେବେ ଟଙ୍କା ନଦେବାରୁ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶରେ ୨ଜଣ ୪ର୍ଥ ଶ୍ରେଣୀର କର୍ମଚାରୀ ହରିହର ବେହେରା ଓ ବାବାଜି ବିଶ୍ବାଳ ତାଙ୍କୁ ନିସ୍ତୁକ ମାଡ଼ ମାରି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରୁ ବାହାର କରି ଦେଇଥିବା ଛାତ୍ର ଜଣଙ୍କ ଉଦଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଅଧ୍ୟକ୍ଷ ଶ୍ରୀ ଦେଙ୍କୁ ପଚାରିବାରୁ ସେ ଘଟଣା ବାବଦରେ କିଛି ଜାଣି ନଥିବା କହିଛନ୍ତି। ତେବେ ଘଟଣା ବେଳର ଭାଇରାଲ୍ ଭିଡିଓରୁ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଆଗରେ ଏ ସବୁ ଘଟଣା ଘଟିଥିବା ସ୍ପଷ୍ଟ ଜଣାପଡ଼ୁଛି। ଉଦଳା ପୁଲିସ ଘଟଣାର ତଦନ୍ତ କରୁଛି । ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ କଲେଜ କର୍ତ୍ତୁପକ୍ଷଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ କରି ଶହଶହ ଲୋକ ପଦଯାତ୍ରାରେ ଯାଇ ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ।

Related Posts

About The Author

Add Comment