ଶ୍ରୀମନ୍ଦିର ଗର୍ଭଗୃହରେ ରକ୍ତ ଛିଟା, ମହାପ୍ରଭୁଙ୍କ ବଡ଼ ମହାସ୍ନାନ

Spread the love

ପୁରୀ, ୨୬/୯(ସନ୍ଧାନ ନିୟୁଜ) : ଶ୍ରୀମନ୍ଦିରରେ ଗତ ଦୁଇ ଦିନ ଭିତରେ ଦୁଇଟି ଅଘଟଣ ଘଟିଲାଣି। ଗତକାଲି ଜଣେ ମନ୍ଦିର ପୁଲିସ (ଚର୍ଚ୍ଚା) ଲାଗି ମାଳ ଛୁଇଁ ଦେବାରୁ ମହାପ୍ରଭୁଙ୍କ ମହାସ୍ନାନ ହୋଇଥିବା ବେଳେ ଆଜି ଶ୍ରୀମନ୍ଦିର ଗର୍ଭଗୃହରେ ରକ୍ତ ଛିଟା ପଡିବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଛି। ମଙ୍ଗଳବାର ପୂର୍ବାହ୍ନରେ ସକାଳ ଧୂପ ବଢିବା ପରେ ୧୧ଟା୪୦ ବେଳକୁ ଗଙ୍ଗାଧର ଦାସମହାପାତ୍ର ନାମକ ଜଣେ ଦଇତା ସେବକ ଶ୍ରୀମନ୍ଦିର ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ। ଅସାବଧାନତାବଶତଃ ଶ୍ରୀ ଦାସମହାପାତ୍ର ଝୁଣ୍ଟି ପଡିବାରୁ ତାଙ୍କ ମୁଣ୍ଡ ଫାଟି ରକ୍ତ ବୋହିଥିଲା। ଗର୍ଭଗୃହରେ ରକ୍ତ ପଡ଼ିବାରୁ ଶ୍ରୀମନ୍ଦିର ସ୍ୱତ୍ୱଲିପି ମୁତାବକ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ହୋଇଥିଲା। ଜୟବିଜୟଦ୍ୱାରଠାରୁ ଶୋଧ ହୋଇ ଚୁନ ପଡିବା ସହ ମହାପ୍ରଭୁଙ୍କ ବେଶ ଓଲାଗି ହୋଇ ନୂଆ ବେଶ ଲାଗି ହୋଇଥିଲା। ଶ୍ରୀମନ୍ଦିରରେ ସାଧାରଣ ଭାବେ ମହାସ୍ନାନ ହେଉଥିବା ବେଳେ ବଡ଼ ମହାସ୍ନାନ ବହୁତ କମ ହୋଇଥାଏ। ଭିତରକାଠ ଗର୍ଭଗୃହରେ ରକ୍ତ, ମଳମୂତ୍ର ପଡ଼ିଗଲେ ବଡ଼ ମହାସ୍ନାନ ହୋଇଥାଏ। ଆଜି ବଡ଼ ମହାସ୍ନାନ ଯୋଗୁ ଘଣ୍ଟାଏରୁ ଅଧିକ ସମୟ ପର୍ଯ୍ୟନ୍ତ ଠାକୁରଙ୍କ ନୀତି ବିଳମ୍ବ ହୋଇଥିଲା।

Related Posts

About The Author

Add Comment