ରାଉରକେଲା, ୧୨/୧୦ (ସନ୍ଧାନ ନିଉଜ/ଏସ ନାୟକ) : ଜାତୀୟ ରାଜପଥ–୧୪୩ ସଂପ୍ରସାରଣ ପାଇଁ ଉଚ୍ଛେଦ ପ୍ରକ୍ରୀୟା ଆରମ୍ଭ ହୋଇଛି । ଅପରପକ୍ଷରେ ଉଚ୍ଛେଦ ଦ୍ୱାରା ପ୍ରଭାବିତ ହେଉଥିବା ବସ୍ତିବାସୀ ମାନେ କ୍ଷତିପୂରଣ ଓ ଜାଗା ପାଇଁ ଦାବି କରିଛନ୍ତି । ଏହାକୁ ନେଇ ବସ୍ତି ବାସିନ୍ଦା ମହାସଂଘର ଜିଲା ଆବାହକ ସାଥି ଅଜୟ ଶର୍ମାଙ୍କ ସଭାପତିତ୍ୱରେ ଜଲଦା, ଦେଓଗାଁ, ତରକେରା, ଅଂଚଳରୁ ପ୍ରାୟ ଏକଶତରୁ ଉର୍ଦ୍ଧ ଲୋକ ଲାଠିକଟା ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଏହି ଅବସରରେ ଦୁଲାଲ ମହାନ୍ତ, ଗଣେଶ ରାଉତ, ଚନ୍ଦ୍ରି ବରୁଆ, ରଂଜିତ ସାହୁ, ଦିପେଶ କୁମାର ସାହୁ, ନିରଜ କୁମାର ଦାସ, ଆଦି ସାଥି ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଉକ୍ତ ଧାରଣା କାର୍ଯ୍ୟକ୍ରମକୁ ସମର୍ଥନ ଜଣାଇ ସିପିଆଇଏମ ବଣାଇଁର ବିଧାୟକ ଲକ୍ଷ୍ମଣ ମୁଣ୍ଡା, ବରିଷ୍ଠ ଶ୍ରମିକ ନେତା ବନମାଳି ଧୂପାଳ, ସାଥି ବିମାନ ମାଇତି, ସିପିଆଇଏମ ଜିଲା ସମ୍ପାଦକ ପ୍ରମୋଦ ସାମଲ, ବସ୍ତି ବାସିନ୍ଦା ମହାସଂଘର ଜିଲା ସଭାପତି ଚନ୍ଦ୍ରଭାନୁ ଦାସ, ସମ୍ପାଦକ ପ୍ରସାଦ ପ୍ରଧାନ, ଯୁବନେତା ବିଶ୍ୱଜିତ ମାଝୀ, ବସନ୍ତ କୁମାର ତୋରିଆ, ସୁରୁ ଦାସ, ଅମିତେଶ ସିଂ, ଉମେଶ ନାୟକ, ତପନ ଲାକ୍ରା, ଆଦି ସାଥି ମାନେ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ ।
ଏହାପରେ ଏକ ପ୍ର୍ତିନିଧି ଦଳ ଯାଇ ଲାଠିକଟା ତହସିଲଦାରଙ୍କ ସହିତ ଆଲୋଚନା କରିଥିଲେ । ବସ୍ତି ବାସିନ୍ଦା ମହାସଂଘ ପକ୍ଷରୁ ଏନଏଚ–୧୪୩ ସଂପ୍ରସାରଣ ଯୋଗୁ ଉଚ୍ଛେଦ ହେଉଥିବା ବସ୍ତି ବାସିନ୍ଦାଙ୍କୁ କ୍ଷତିପୂରଣ ତଥା ଭୂମିହୀନଙ୍କୁ ଜାଗା ଯୋଗାଇ ଦେବାକୁ ଦାବି କରାଯାଇଥିଲା । ଏହାପରେ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ଜିଲା ଆବାହକ ଅଜୟ ଶର୍ମା, ସିପିଆଇଏମ ଜିଲା ସମ୍ପାଦକ ପ୍ରମୋଦ ସାମଲ, ଶ୍ରମିକ ନେତା ବନମାଳି ଧୂପାଳ, ବିମାନ ମାଇତି ଆଦି ସାଥି ମାନେ ଏନଏଚଏଆଇ ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟାଳୟରେ ଯାଇ ଆଲୋଚନା କରିଥିଲେ । ଏନଏଚଏଆଇ ବରିଷ୍ଠ ଅଧିକାରୀ କହିଲେଯେ, ଆମେ କ୍ଷତିପୂରଣ ଦେବାକୁ ରାଜି ଅଛୁ । ଜାଗା ସମ୍ବନ୍ଧରେ ସୁନ୍ଦରଗଡ଼ ଜିଲାପାଳ ନିଷ୍ପତି ନେଇ ପାରିବେ ।



