ଭୁବନେଶ୍ୱର,10/9 (ସନ୍ଧାନ ନିୟୁଜ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟରେ କେତେକ ଅନିୟମିତତା ନେଇ କୁଳାଧିପତି ତଥା ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହା ଉପରେ ତଦନ୍ତ ପାଇଁ ରାଜ୍ୟପାଳଙ୍କ ସଚିବାଳୟ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦେଶ ଜାରି କରାଯାଇଛି। ରାଜଭବନରୁ ଚିଠି ପାଇବା ପରେ ଏବେ ଉଚ୍ଚଶିକ୍ଷା ବିଭାଗପକ୍ଷରୁ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟରେ ହୋଇଥିବା ଅନିୟମିତତା ନେଇ ଖୋଳତାଡ଼ ଆରମ୍ଭ ହୋଇଛି।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅନିୟମିତତା ଓ ଆର୍ଥିକ ତୋସରପାତ ନେଇ କୁଳାଧିପତିଙ୍କ ନିକଟରେ ଏକାଧିକ ଅଭିଯୋଗ ପହଞ୍ଚିବା ପରେ ଏହା ଉପରେ ତଦନ୍ତ ପାଇଁ ଗତ ଜୁନ ୨୭ ଓ ଜୁଲାଇ ୨୩ତାରିଖରେ ପୃଥକ ଭାବେ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦେଶ ଦିଆଯାଇଥିଲା। ତଦନୁସାରେ ଏହା ଉପରେ ତଦନ୍ତ କରାଯିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ କୃପାସିନ୍ଧୁ ମିଶ୍ର ବିଭାଗୀୟ ଅତିରିକ୍ତ ସଚିବ ପ୍ରଶାନ୍ତ କୁମାର ଦାସଙ୍କ ନିକଟକୁ ଚିଠି ଲେଖିଛନ୍ତି। ଅଭିଯୋଗ ଉପରେ ଅନୁସନ୍ଧାନ କରି ୬୦ ଦିନ ଭିତରେ ରିପୋର୍ଟ ଦେବାକୁ କୁହାଯାଇଛି।