ଯାଜପୁର , ସନ୍ଧାନ ନ୍ୟୁଜ: ଅନ୍ୟର ଦଃୁଖ ବେଳେ ସହାୟତାର ହାତ ବଢାଇବା ମାନବିକତାର ଶ୍ରେଷ୍ଠ ନିଦର୍ଶନ । ଏ କ୍ଷେତ୍ରରେ ରକ୍ତଦାନ ପରି ଜୀବନ ଦାନରେ ସାମିଲ ହେଉଥିବା ପ୍ରତ୍ୟେକ ବ୍ୟକ୍ତି ମାନବିକତାର ଧର୍ମ ପାଳନ କରିଥାନ୍ତି ବୋଲି ଚଣ୍ଡିଖୋଲରେ ଅନୁଷ୍ଠିତ ରକ୍ତଦାନ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି । ଜାତୀୟ ରାକ୍ତଦାନ ଦିବସ ଅବସରରେ ମିଶନ ଜ୍ୟୋତି ଟ୍ରଷ୍ଟ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ରକ୍ତଦାନ କାର୍ଯ୍ୟକ୍ରମକୁ ଧର୍ମଶାଳା ସତୀଶ ବିଶ୍ୱାଳ ଫାନ୍ସ କ୍ଲବ ତରଫରୁ ଆୟୋଜନ କରାଯାଇ ଥିଲା । ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ ଅବହେଳିତ ଗ୍ରାମ ନଗଡା ଜାତୀୟ ସ୍ତରରେ ପ୍ରସଙ୍ଗ ହୋଇ ରହିଛି । ଏହି ଟ୍ରଷ୍ଟ ତରଫରୁ ନଗଡା ସମସ୍ୟା ନେଇ ସ୍ୱର ଉଠାଇବା ପାଇଁ ଗଢାଯାଇ ଥିବା ‘ମିଶନ ନଗଡା’ର ସଦସ୍ୟ ମାନଙ୍କ ସହ ହେଲ୍ପିଂ ହ୍ୟାଣ୍ଡସ ଓରିଅର, ମହାବାହୁ ଟ୍ରଷ୍ଟର ସଦସ୍ୟ ମାନେ ମୁଖ୍ୟତ ରକ୍ତଦାନ ଓ ସହଯୋଗ କରିଥିଲେ । ଏଥିରେ ଯାଜପୁର ଲୋକସଭା ସଭ୍ୟ ରବିନ୍ଦ୍ର ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ସମାଜରେ ଅନ୍ୟର ରକ୍ତ ଓ ଜୀବନ ନେଉଥିବା ଲୋକ ମାନଙ୍କ ପାଦୁର୍ଭାବ ବୃଦ୍ଧି ପାଉଛି । ଏଭଳି ଅବସ୍ଥାରେ ଅନ୍ୟକୁ ଜୀବନ ଦାନ ପାଇଁ ରକ୍ତଦାନ ମହାପୂର୍ଣ୍ଣ୍ୟ । ନଗଡାର ବିକାଶ ପାଇଁ ଆମ ସରକାର ଯତ୍ନବାନ ଥିବା ବେଳେ ଏଥିନେଇ ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏଥିରେ ବରିଷ୍ଠ ଯୁବନେତା ତଥା ସମାଜସେବୀ ସତୀଶ ବିଶ୍ୱାଳ ମୁଖ୍ୟବକ୍ତା ଭାବେ ଯୋଗଦେଇ ନଗଡାର ସମସ୍ୟା, ଧର୍ମଶାଳାର ପାହାଡ ପର୍ବତ ହରିଲୁଟରେ ଗରୀବ ଶ୍ରମିକ ମାନଙ୍କ ଜୀବନ ପୋକମାଛି ପରି ମରିବା, ପାହାଡ ପର୍ବତ ପରିବେଶର ସୁରକ୍ଷା, ନିମ୍ନ ମାନର ଓ ବିଳମ୍ବିତ ଜାତୀୟ ରାଜପଥ କାର୍ଯ୍ୟ ନେଇ ଯାଜପୁର ଜ୍ଞାନୀ, ଗୁଣୀ, ଉଚ୍ଚଶିକ୍ଷିତ ସାଂସଦ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଥିଲେ । ଏଥିରେ ଧର୍ମଶାଳା ବି.ଡି.ଓ ଦେବେନ୍ଦ୍ର ପ୍ରସାଦ ବଳ ଯୋଗଦେଇ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ପାଇଁ ପ୍ରଶାସନିକ ଅଧିକାରୀ ମାନେ ନିଷ୍ଠାର ସହ କାର୍ଯ୍ୟ କଲେ ସରକାର ଲୋକାଭିମୁଖୀ ହେବ ବୋଲି କହିଥିଲେ । ମିଶନଜ୍ୟୋତି ଟ୍ରଷ୍ଟର ମୁଖ୍ୟ ରଶ୍ମୀରେଖା ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକକୁ ପୂର୍ବତନ ସରପଂଚ ପ୍ରାଣବନ୍ଧୁ ରାଉତ ସଂଯୋଜନା ଏବଂ ସମାଜସେବୀ ସବ୍ୟସାଚୀ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିରେ ବଡଚଣା ଥାନା ଅଧିକାରୀ ଶ୍ରୀକାନ୍ତ ବାରିକ, ଚଣ୍ଡୀଖୋଲ ଫାଣ୍ଡୀ ଅଧିକାରୀ ଅସିତ ବଳବନ୍ତରାୟ ଅତିଥି ଭାବେ ଯୋଗଦେଇଥିଲେ । ଏଥିରେ ବରିଷ୍ଠ ସମାଜସେବୀ ସନ୍ତୋଷ ବିଶ୍ୱାଳଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇ ଥିଲା । ଏହାସହ ପ୍ରଶାସକ ଦେବେନ୍ଦ୍ର ବଳ, ପୋଲିସ ଅଧିକାରୀ ଶ୍ରୀକାନ୍ତ ବାରିକ, ରୋଟାରିଆନ ପ୍ରଶାନ୍ତ ବାରିକ, ମଧୁବନ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ରଶ୍ମୀରଂଜନ ପଶାୟତ, ଶିକ୍ଷାବିତ ଶଶଧର ପଣ୍ଡା , ପ୍ରାଣବନ୍ଧୁ ରାଉତ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇ
ଥିଲା । ଏହି ଅବସରରେ ସ୍ୱର୍ଗତ ଇନ୍ଦୁମତୀ ଜେନାଙ୍କ ଶ୍ରାଦ୍ଧବାର୍ଷିକ ଅବସରରେ ତାଙ୍କର ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳୀ ପ୍ରଦାନ ସହ ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇ ଥିଲା ।
ରକ୍ତଦାନ ହେଉଛି ମାନବିକତାର ଧର୍ମ
|
October 3, 2024 |