ଯାଜପୁର ସଡକ ସୁରକ୍ଷା ବୈଠକରେ ବିଷଦଗାର ଜାତୀୟ ରାଜପଥ ନିର୍ମାଣରେ ଦୁର୍ନିତି ଏବଂ ମନୋମୁଖୀ କାର୍ଯ୍ୟ ପାଇଁ ପୋକମାଛି ପରି ଲୋକେ ଦୁର୍ଘଟଣାରେ ମରୁଛନ୍ତି

Spread the love

ଯାଜପୁର,୧୬/୦୫ (ନି.ପ୍ର) ଯାଜପୁର ଜିଲ୍ଲାରେ ଜାତୀୟ ରାଜପଥ ନିର୍ମାଣରେ ମନୋମୁଖୀ ଆଚରଣ, ବ୍ୟାପକ ଦୁର୍ନିତି ସଡକ ସୁରକ୍ଷାକୁସଂପୂର୍ଣ୍ଣ ବିପର୍ଯ୍ୟସ୍ତ କରୁଛି । ସଡକ ସୁରକ୍ଷା ବୈଠକରେ ହେଉଥିବା ନିଷ୍ପତିକୁ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ କରୁଥିବା ଠିକା ସଂସ୍ଥାମାନେ ମାନୁ ନାହାନ୍ତି । ସେମାନଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା, ସଡକ ସୁରକ୍ଷା କମିଟି ବୈଠକ ନିଷ୍ପତ୍ତି କାର୍ଯ୍ୟକାରୀ ନହେବା ଫଳରେ ଠିକା ସଂସ୍ଥାର ବେପରୁଆ ମନୋଭାବ ଅଧିକ ବଳବତ୍ତର ହେଉଛି । ଯେଉଁଥିପାଇଁ ପେକମାଛି ପରି ଧନ ଜୀବନ ବିପନ୍ନ ହେଉଛି ବୋଲି ଯାଜପୁର ସଡକ ସୁରକ୍ଷା କମିଟି ବୈଠକରେ ସଭ୍ୟ ତଥା ବରିଷ୍ଠ ସାମ୍ବାଦିକ ସତୀଶ ବିଶ୍ୱାଳ ବିଷଦଗାର କରିଥିବା ବେଳେ ଏହାକୁ ଅନ୍ୟ ସଭ୍ୟମାନେ ସମର୍ଥନ କରିଥିଲେ । ଆଜି ଯାଜପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ସତୀଶ ଅଭିଯୋଗ କରିଥିଲେ ଯେ, ୧୬ ନଂବର ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟରେ ଡି.ବି.ଏଲ କମ୍ପାନୀ ଲୁଟିଥିବା ବାଲି,ଗୋଡି,ମାଟି ନେଇ ଆମ ଜିଲ୍ଲା ବହୁକୋଟି ଟଙ୍କାର ରାଜସ୍ୱ ହରାଇଛି । ହେଲେ ରାସ୍ତା ନିର୍ମାଣ ଶେଷ କରିବା ପରେ ବିଭିନ୍ନ ସ୍ଥାନରେ ରାସ୍ତାକୁ ଯେଭଳି ଅଧାପନ୍ତରିଆ କରି ପକାଇଛି, ତାହା ଦୁର୍ଘଟଣାର କାରଣ ହେଉଛି । ବର୍ଷକ ଭିତରେ ବିଭିନ୍ନ ସ୍ଥାନରେ ରାସ୍ତାରୁ ପିଚୁ ବର୍ଷାରେ ଧୋଇ ଯାଉଛି । ଯାରକା ସମେତ ଅନେକ ସ୍ଥାନରେ ରାସ୍ତାର ଡ୍ରେନ ଉପରେ କଭର ନଥିବାରୁ ସେଥିରେ ଲୋକେ ପଡି ମରଣ ସହ ଯୁଝୁଛନ୍ତି । ଯାରକା ଅଂଚଳରେ ମଧ୍ୟ ଅନେକ ସ୍ଥାନରେ ଷ୍ଟ୍ରିଟ ଲାଇଟ ଅଚଳ ହୋଇ ପଡିବା ଫଳରେ ସଡକ ସୁରକ୍ଷା ବିପନ୍ନ ହେଉଛି ଚଣ୍ଡୀଖୋଲ-ଡୁବୁରୀ ଜାତୀୟ ରାଜପଥ ଏବେ ଚାଷ ବିଲରେ ପରିଣତ ହୋଇଛି । ଦୁଇ ଚକିଆ ଯାନରେ ଯାଉଥିବା ଯାତ୍ରୀଟିଏ ଘରେ ପଂହଚିଲା ବେଳକୁ ତାର ଦେହ ସଂପୂର୍ଣ୍ଣ ବର୍ଯ୍ୟ ପାଉଁସରେ ପାଉଁସିଆ ରଙ୍ଗ ଦେଖା ଯାଉଛି । ଚାଷଜମି ଠାରୁ କୂଅ ପୋଖରୀ ବି ପାଉଁସ ହୋଇ ଯାଉଛି । ପାଉଁସ ଓ ଧୂଳିରେ ରାସ୍ତାରେ  ଯାଉଥିବା ଲୋକଙ୍କୁ ଆଉ ରାସ୍ତା ଦେଖା ଯାଉନାହିଁ । ରାସ୍ତା ଯାକ ଖାଲରେ ପରିପୂର୍ଣ୍ଣ । ଚାଳକଟିଏ କେଉଁ ଆଡକୁ ଗାଡିଟି ନେବ ତାହା ଚିନ୍ତା କରି ପାରୁନି । ଚଣ୍ଡୀଖୋଲ ଛକ ନିଜର ଗରିମା ଓ ସ୍ଥିତି ହରାଇବାକୁ ବସିଲାଣି । ଚଣ୍ଡୀଖୋଲ-ଡୁବୁରୀ ରାସ୍ତାରେ ଏଭଳି ରାବଣରାଜ ନେଇ ଶତାଧିକ ଅଭିଯୋଗ ହୋଇଛି, ହେଲେ କେଉଁ ଗୋଟିକରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଏହାର ଠିକାଦାରୀ ପଛରେ ସ୍ଥାନୀୟ କ୍ଷମତାସୀନ ରାଜନେତାଙ୍କ ହାତ ରହିଥିବାରୁ ନୀତିଦିନ ଏହି ରାସ୍ତାରେ ଲୋକେ ଦୁର୍ଘଟଣାରେ ପୋକମାଛି ପରି ମରୁଛନ୍ତି । ଏହି ରାସ୍ତା ନିର୍ମାଣରେ ମନୋମୁଖୀ କାର୍ଯ୍ୟ ଏବଂ ଦୁର୍ନିତି ନେଇ ଏକ କମିଟି କରାଯାଇ କାର୍ଯ୍ୟର ଅନୁଧ୍ୟାନ କରାଯିବାକୁ ହୋଇଥିବା ନିଷ୍ପତ୍ତି ଅନୁସାରେ ମୁଁ ଏହି କମିଟିରେ ଯାଇଥିଲି । ରାସ୍ତା ନିର୍ମାଣରେ ଆଖିବୁଜା ଦୁର୍ନିତି କମିଟି ନଜରକୁ ଆସିଥିଲା । ହେଲେ ଅଦ୍ୟାବଧି
କମିଟି କଣ ରିପୋର୍ଟ ଦେଲା ଏବଂ ଏଥିନେଇ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ତାହା କାହାକୁ ଜଣାନାହିଁ । ତୁରନ୍ତ ଏହି କିମିଟି ରିପୋର୍ଟ ଏବଂ କାର୍ଯ୍ୟାନୁଷ୍ଠାନ ବିବରଣୀ ପ୍ରଦାନ ପାଇଁ ସତୀଶ ଦାବି କରିଥିଲେ । ବାଲି ପଥର ଲୁଟ ପାଇଁ ଜେନାପୁର, କୁସ୍ତିରା, ସାରୋଇ ନିକଟରେ ଓଭରଲୋଡ ଗାଡି ବନ୍ଦ କରିବା ପାଇଁ ହୋଇଥିବା ବାଡାକୁ ଭାଙ୍ଗି ଦିଆଗଲା । ହେଲେ କୌଣସି
କାର୍ଯ୍ୟାନୁଷ୍ଠାନ ନାହିଁ । ନାକପୋଲରୁ ଜେନାପୁର ଅଭିମୁଖେ ଯାଇଥିବା ଆର ଏଣ୍ଡ ବି ରାସ୍ତା କଡରେ ଥିବା ସମସ୍ତ ଲୁହା ବାଡାକୁ ଚୋରି କରି ନିଆଗଲା । କୌଣସି ପ୍ରକାର ସରକାରୀ ଅନୁମତି ନଥାଇ ବିଭିନ୍ନ ରାସ୍ତାରେ ବଡ ବଡ ହମ୍ପସ ମାନ କରାଯାଇ ସଡକ ସୁରକ୍ଷାକୁ ବିପନ୍ନ କରାଯାଉଛି । ଦ୍ରୁତ ବେଗରେ ଗାଡି ଚାଳନା ଏବଂ ମଦୁଆ ଡ୍ରାଇଭର ହିଁ ଦୁର୍ଘଟଣାର ଅସଲ କାରଣ । ଏହାକୁ ରୋକିବାରେ ପୋଲିସ ପ୍ରଶାସନ ଅଧିକ ଯତ୍ନବାନ ହେଉ । ଯାଜପୁର ଜିଲ୍ଲାପାଳ ସଡକ ସୁରକ୍ଷା ନେଇ ନିଷ୍ଠାର ସହ କାର୍ଯ୍ୟ କରୁଥିଲେ ମଧ୍ୟ ଉପରୋକ୍ତ ମୁଖ୍ୟ ସମସ୍ୟା ନେଇ ଠୋସ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳୁନାହିଁ । ଯାଜପୁର ଜିଲ୍ଲାର କେନ୍ଦ୍ରସ୍ଥଳ କୁଆଖିଆ ଠାରେ ଆଉ ଗୋଟିଏ ଆମ୍ବୁଲାନ୍ସ ପ୍ରଦାନ ପାଇଁ ସତୀଶ ଦାବି କରିଥିବା ବେଳେ ପ୍ରଶାସନ ତରଫରୁ ଆମ୍ବୁଲାନ୍ସ ପ୍ରଦାନ ପାଇଁ ପ୍ରତିଶୃତି ପ୍ରଦାନ କରାଯାଇ ଥିଲା । ଯାଜପୁର ଅତିରିକ୍ତ ଜିଲ୍ଲାପାଳ ଦଃୁଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯାଜପୁର ଅତିରିକ୍ତ ଏସ.ପି ନାରାୟଣ ଚନ୍ଦ୍ର ବାରିକ, ଚଣ୍ଡୀଖୋଲ ଆରଟିଓ ସମ୍ବିତ କୁମାର, ଯାଜପୁର ଆରଟିଓ ନୀଳକଣ୍ଠ ପ୍ରଧାନ, ଯାଜପୁର ଏମ.ଭି.ଆଇ ଦୀପକ କୁମାର ସେଠୀଙ୍କ ସମତେ ଜାତୀୟ ରାଜପଥ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଏବଂ ଟ୍ରକ ଓ ବସ ମାଲିକ ସଂଘର ପ୍ରତନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ତେବେ ଉପରୋକ୍ତ ସମସ୍ତ ଦିଗ ନେଇ ପ୍ରଶାସନ ଗୁରୁତ୍ୱର ସହ ବିଚାର କରି
ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ବୈଠକକୁ ପ୍ରତିଶୃତି ଦିଆଯାଇଛି ।

Related Posts

About The Author

Add Comment