ବାରିପଦା/ଯଶିପୁର ୨୭/୮/୨୦ (ସନ୍ଧାନ ନିଉଜ):- ମୟୂରଭଞ୍ଜ ଜିଲା ଅବକାରୀ ଅଧ୍ୟକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି କରଞ୍ଜିଆ ଅବକାରୀ ଇନିସପେକ୍ଟର ଶ୍ରୀଧର ହେମ୍ବ୍ରମଙ୍କ ନେତୃତ୍ବରେ ଅବକାରୀ ବିଭାଗ ଓ ପୁଲିସ ପକ୍ଷରୁ ଯଶିପୁର ଥାନା ଅଞ୍ଚଳର ୩ ଗୋଟି ଗ୍ରାମରେ ମହୁଲିମଦ ପ୍ରସ୍ତୁତିକାରୀଙ୍କ ଉପରେ ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ୫୭୦୦ କେଜି ପୋଚ ଓ ୧୮୫ ଲିଟର ମହୁଲିମଦକୁ ଜବତ ପରେ ନଷ୍ଟ କରାଯାଇଥିବା ବେଳେ ଜଣକୁ ଗିରଫ କରାଯାଇଥିବା ଜଣାଯାଇଛି । ଏହି ଗ୍ରାମଗୁଡିକର ନିକଟସ୍ଥ ଜଙ୍ଗଲରେ ମହୁଲିମଦ ପ୍ରସ୍ତୁତ କରାଯାଉଥିବା ଖବର ପାଇ ଚଢ଼ାଉ କରାଯାଇଥିଲା । ନିକଟରେ ଗତ ୨୦ ତାରିଖରେ ଅନୁକୂଳପୁର, କଳାପଥର, ବେଳଦିଭ ମାଛକାନ୍ଦଣା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚଢ଼ାଉ କରାଯାଇ ୬୦୦୦ କେଜି ପୋଚ ଓ ୯୦୦ ଲିଟର ମହୁଲିମଦକୁ ଜବତ ପରେ ନଷ୍ଟ କରାଯାଇଥିଲା । ଆଜି ପୁନଶ୍ଚ ଅନୁକୁଳପୁର, ବେଲଦୀ ଓ କଳାପଥର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚଢ଼ାଉ କରାଯିବା ଏବଂ ଅନୁକୂଳପୁରର ସନାତନ ମହାକୁଡ଼କୁ ଗିରଫ କରାଯିବା ସହ ବିପୁଳ ପରିମାଣର ମଦ ଓ ପୋଚ ଜବତ ହେବାନେଇ ଯଶିପୁର ଅବକାରୀ ବିଭାଗର କାର୍ଯ୍ୟକଳାପ ଉପରେ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି । ପାଞ୍ଚପୀଜ ଉପଖଣ୍ଡର ଯଶିପୁର, କରଞ୍ଜିଆ ଓ ଠାକୁରମୁଣ୍ଡା ବ୍ଲକ ଅଞ୍ଚଳରେ ବ୍ୟାପକ ମହୁଲ ଚାଷ ଓ ସଂଗ୍ରହ ହୋଇଥିବା ବେଳେ ମହୁଲ ସଂଗ୍ରହ ଓ ମହଜୁଦ ପାଇଁ କରଞ୍ଜିଆ ଅବକାରୀ ବିଭାଗ ପକ୍ଷରୁ କରଞ୍ଜିଆ ଓ ଠାକୁରମୁଣ୍ଡା ଅଞ୍ଚଳର ବେପାରୀମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯାଉଥିବା ସ୍ଥଳେ ଯଶିପୁର ଅବକାରୀ ବିଭାଗର ପ୍ରାକ୍ତନ ସବଇନିସପେକ୍ଟର ଫକୀର ଦେହୁରୀ କାହାରିକୁ ଲାଇସେନ୍ସ ପ୍ରଦାନ ନକରିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଯଶିପୁର ବ୍ଲକ ଅଞ୍ଚଳରେ ବ୍ୟାପକ ମହୁଲିମଦ ପ୍ରସାର ହୋଇଆସୁଥିବା ଏବଂ ସେମାନଙ୍କ ଉପରେ ଆଦୌ କାର୍ଯ୍ୟାନୁଷ୍ଠାନ ନହେବା କାରଣରୁ ଆଇନଶୃଙ୍ଖଳା ପରିସ୍ଥିତି ଗମ୍ଭୀର ହୋଇଥିବା ଅନୁମାନ କରାଯାଇଛି । ଆଜିର ମିଳିତ ଚଢ଼ାଉରେ ଅବକାରୀ ଇନିସ୍ପେକ୍ଟର ଶ୍ରୀଧର ହେମ୍ଭମଙ୍କ ସମେତ କରଞ୍ଜିଆ ଅବକାରୀ ସବଇନିସ୍ପେକ୍ଟର କ୍ଷିତିଶ ଦାସ, ଯଶିପୁର ଥାନାର ସବଇନିସ୍ପେକ୍ଟର ପାର୍ବତୀ ମଲ୍ଲିକ, ଯଶିପୁର ଅବକାରୀ ଏଏସଆଇ ରଘୁନାଥ ମୁଣ୍ଡା ଲୋହାର ,ଏପିଆର ପୁଲିସ ଫୋର୍ସ ଓ ଅବକାରୀ ପୁଲିସ ଫୋର୍ସ ସାମିଲ ଥିବା ଜଣାଯାଇଛି ।