ମେଧାବୀ ମେଡିକାଲ ଛାତ୍ରଙ୍କ ପାଠପଢ଼ା ଖର୍ଚ୍ଚ ଦେବେ ରାଜ୍ୟ ସରକାର, ପ୍ରଥମ ବର୍ଷ ପାଇଁ ‌ଟଙ୍କା ମଂଜୁର କଲେ

Spread the love
କନ୍ଧମାଳ ତା:୭/୧୨/୨୦୨୨(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ମେଧାବୀ ଛାତ୍ର ଇଫୁ ମଲ୍ଲିକଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର। ତାଙ୍କର ବାପା ଅତି ଗରିବ ହୋଇଥିବାବେଳେ ସେ ହଷ୍ଟେଲ୍‍ ଏବଂ ଅନ୍ୟାନ୍ୟ ପାଠପଢା ଖର୍ଚ୍ଚ ପାଇଁ କ୍ଷେତରେ ଶ୍ରମିକଭାବେ କାମ କରୁଥିଲେ। ଇଫୁ ଧାନବିଲରେ ଧାନ କାଟୁଥିବାର ଫଟୋ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଇଫୁ ମଲ୍ଲିକଙ୍କ ଆର୍ଥିକ ସମସ୍ୟା ବିଷୟରେ ଅବଗତ ହେଲା ପରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ତ୍ବରିତ ପଦକ୍ଷେପ ନେଇଛି। ଶ୍ରୀ ମଲ୍ଲିକଙ୍କ ପ୍ରଥମ ବର୍ଷ ପାଠପଢ଼ା ଖର୍ଚ୍ଚ ପାଇଁ ୬୨,୯୫୦ ଟଙ୍କା ମଂଜୁର କରିଛନ୍ତି।ଗଣମାଧ୍ୟମର ଖବରରୁ ଜଣାପଡ଼ିଥିଲା ଯେ, ଇଫୁ ମିଲ୍ଲିକ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍‌ପିଟାଲରେ ଏମ୍‌ବିବିଏସ୍‌ରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ଚଳିତ ବର୍ଷ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍‌ରେ ସଫଳତା ହାସଲ କରିଥିଲେ। କିନ୍ତୁ ‌ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ଅସମର୍ଥ ଥିଲେ। ତାଙ୍କର ପରିବାର ବହୁତ ଗରିବ ଥିବାରୁ ପାଠ ପଢ଼ିବା ଓ ଅନ୍ୟ ଖର୍ଚ୍ଚ ତୁଲାଇବା ପାଇଁ ଲକ୍ଷାଧିକ ଟଙ୍କା ଯୋଗାଡ଼ କରିବା ଅସମ୍ଭବ ହୋଇପଡ଼ିଥିଲା।ସୂଚନାଯୋଗ୍ୟ, ଏହା ପୂର୍ବରୁ ବାଲିଗୁଡା ବ୍ଲକ ଅନ୍ତର୍ଗତ ବାଗ୍ରାମିଲା ଗାଁର ଗରିବ ମେଧାବୀ ଛାତ୍ର ଇଫୁ ମଲ୍ଲିକଙ୍କ ଡାକ୍ତରୀ ପାଠପଢା ଖର୍ଚ୍ଚ ପାଇଁ କିସ୍‍ ଫାଉଣ୍ଡେସନ୍‍ ସହାୟତା ଦେବା ନେଇ ପୂର୍ବରୁ ଘୋଷଣା କରିଛି। ଇଫୁଙ୍କୁ ଆବଶ୍ୟକ ଥିବା ସହାୟତା ସଂପର୍କରେ କିଟ୍‍, କିସ୍‍ ଓ କିସ୍‍ ଫାଉଣ୍ଡେସନ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲେ। ଇଫୁଙ୍କ ଆର୍ଥିକ ଅନାଟନ ସମ୍ପର୍କରେ ଜାଣିବା ପରେ କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ତାଙ୍କର ଡାକ୍ତରୀ ପାଠପଢା ଖର୍ଚ୍ଚ ବହନ କରାଯିବ ବୋଲି ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ପରେ ଇଫୁ ଏବଂ ତାଙ୍କ ପରିବାର କିସ୍‍ ଫାଉଣ୍ଡେସନ୍‍ ଓ ଶ୍ରୀ ସାମନ୍ତଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି। କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ଇଫୁ ଭଳି ଜଣେ ଗରିବ ମେଧାବୀ ଛାତ୍ରଙ୍କୁ କିସ୍‍ ଫାଉଣ୍ଡେସନ୍‍ ସହାୟତାର ହାତ ବଢ଼ାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Related Posts

About The Author

Add Comment