ଯାଜପୁର,୨/୮ ଯାଜପୁର ଜିଲ୍ଲାର ଧର୍ମଶାଳା ବିଭିନ୍ନ ପ୍ରକାର ଦୁର୍ନିତି ପାଇଁ ସର୍ବଦା ଚର୍ଚ୍ଚାରେ ରହିଛି । ଏଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଧର୍ମଶାଳା ବ୍ଲକ ଏବଂ ତହସିଲ ଅଧିକାରୀ ଖାତିର କରୁ ନଥିବାର ବିଭିନ୍ନ ସମୟରେ ଲେଖା ଯୋଖା ଅଭିଯୋଗ ହୋଇଛି । ଦୁର୍ନିତି ନେଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତଦନ୍ତ ନିର୍ଦ୍ଦେଶ ଆସିବା ପରେ ଫାଇବ ଟି ବ୍ୟବସ୍ଥାକୁ ଖାତିର ନକରି ମିଛ ରିପୋର୍ଟ ମଧ୍ୟ ଦିଆଯାଉଛି ।
ଏହାର ଲେଖା ଯୋଖା ପ୍ରମାଣ ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅଂଜିରା ପଂଚାୟତ ଗୋଡିପାଟିଆ ଗ୍ରାମ କାର୍ତିକେଶ୍ୱର ପଡିଆରେ ନିର୍ମିତ ହୋଇଥିବା କ୍ଷୁଦ୍ର ଜଳପ୍ରକଳ୍ପରେ ଦେଖିବାକୁ ମିଳିଛି । ଏହି ପ୍ରକଳ୍ପରେ ବ୍ୟାପକ ଦୁର୍ନିତି ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ତଥ୍ୟଭିତିକ ଅଭିଯୋଗ ହୋଇଥିଲା । ଏହାର ଉତରରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଧର୍ମଶାଳା ବି.ଡି.ଓଙ୍କ ପତ୍ର ନଂବର-୪୧୮୦ ତା୨୦.୦୭.୨୩ ପ୍ରଦାନ କରିଛନ୍ତି । ଏହ ପତ୍ରଟି ସଂପୂର୍ଣ୍ଣ ମିଥ୍ୟା ଏବଂ ଦୁର୍ନିତିକୁ ସୁରକ୍ଷା ଦେବା ପାଇଁ କରାଯାଇଛି ବୋଲି ଗ୍ରାମବାସୀ ପୁନଶ୍ଚ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ପତ୍ରରେ ଗ୍ରାମବାସୀ ଦର୍ଶାଯାଇଛି ଯେ, ବି.ଡି.ଓଙ୍କ ପତ୍ରରେ କନିଷ୍ଠଯନ୍ତ୍ରୀ ଦୀପକ କୁମାର ଜେନା ଦର୍ଶାଇଥିବା ତଥ୍ୟ ଅନୁସାରେ ପ୍ରକଳ୍ପରେ ୧ ଲକ୍ଷ ୩ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ପ୍ରକଳ୍ପରେ କୌଣସି ଦୁର୍ନିତି ହୋଇନାହିଁ । ହେଲେ କନିଷ୍ଠ ଯନ୍ତ୍ରୀଙ୍କ ଏହି ଯୁକ୍ତି ସଂପୂର୍ଣ୍ଣ ମିଥ୍ୟା । ନିର୍ମାଣରେ ମାସକ ମଧ୍ୟରେ ପାଇପ ଫଟା ଅବସ୍ଥାରେ ଥାଇ ପାଣି ପିଚିକି ବାହାରୁଛି । ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ପରେ ମାଟି ଉପରେ ଥୁଆ ହୋଇଥିବା ପାଇପକୁ ୪ ଇଂଚ ଖୋଳା ହୋଇ ଘୋଡା ଯାଇଛି । ଟାଙ୍କି ରଖିବାକୁ ହୋଇଥିବା ସିମେଂଟ ବେସ ଫାଟିଛି । ଏହାସବୁ ନିମ୍ନ ମାନର କାର୍ଯ୍ୟର ଦୃଷ୍ଟାନ୍ତ । ଏଥିନେଇ ଅଭିଯୋଗକାରୀଙ୍କ ନିକଟରେ ଭି.ଡି.ଓ ଏବଂ ଫଟୋ ପ୍ରମାଣ ରହିଛି ।
ଯେ କୌଣସି ପାଣି ପ୍ରକଳ୍ପ ନିର୍ମାଣ ପାଇଁ ପ୍ରଥମେ ବୋରିଂ ଆବଶ୍ୟକ । ଏଠାରେ ବୋରିଂ ନକରାଯାଇ କିଭଳି ପ୍ରକଳ୍ପ ମଂଜୁରୀ ହେଲା? ସେହିପରି ପ୍ରକଳ୍ପ ନିର୍ମାଣ ପାଇଁ ଦୁଇଟି ପାଣିଟାଙ୍କିର ଆବଶ୍ୟକ ଥିବାର ଦର୍ଶାଯାଇ ଅର୍ଥ ମଂଜୁରୀ ହୋଇଥିଲା । କେଉଁ କାରଣରେ ଦ୍ୱିତୀୟ ପାଣିଟାଙ୍କିଟି ନିର୍ମାଣ ହେଲାନାହିଁ? ଏହି କାର୍ଯ୍ୟ କରୁଥିବା ପଂଚାୟତ କାର୍ଯ୍ୟ ନିର୍ବାହୀଙ୍କର ଏହା ଘର କାମ ନୁହେଁ ଯେ, ସେ ମନଇଛା କାମ କରିବେ । ଯଦି ମନଇଛା କାମ କରି ଆଉ ଗୋଟିଏ ପାଣିଟାଙ୍କି କଲେ ନାହିଁ , ତେବେ ଏଥିନେଇ ତାଙ୍କର ଉପରିସ୍ଥ ଅଧିକାରୀ ଅଦ୍ୟାବଧି କାହିଁକି ଚୁପ ରହିଛନ୍ତି? ଏଥିନେଇ ଧର୍ମଶାଳା ବି.ଡି.ଓ ସୋକଜ ନଦେଇ ଓଲଟା କେଉଁ ଆଧାରରେ କାର୍ଯ୍ୟ ଠିକ ହୋଇଛି ବୋଲି ଉତର ଦେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଓଲୁ ବନାଉବାକୁ ଚେଷ୍ଟା କରୁଛନ୍ତି ବୋଲି ଗ୍ରାମବାସୀ ନିଜର ପତ୍ରରେ ପ୍ରଶ୍ନ କରିଛନ୍ତି ।
ଯେ କୌଣସି ପ୍ରକଳ୍ପ ନିର୍ମାଣ ପୂର୍ବରୁ ସରକାରୀ ସମ୍ପତିର ସଦୁପଯୋଗ ନେଇ ସୂଚନା ଫଳକ ଆରଶ୍ୟକ । ଏଠାରେ ଅଦ୍ୟାବଧି ସୂଚନା ଫଳକ ଲଗାନଯିବା ପ୍ରକଳ୍ପ କାର୍ଯ୍ୟରେ ମନ୍ଦ ଉଦ୍ଦେଶ୍ୟକୁ ପ୍ରମାଣିତ କରୁଛି । ସୂଚନା ଫଳକ ନଥିବା ନେଇ ଗ୍ରାମବାସୀଙ୍କ ପାଖରେ ଫଟୋ ଏବଂ ଭିଡିଓ ରହିଛି । ପ୍ରକଳ୍ପ କାର୍ଯ୍ୟ ଠିକ ହୋଇଥିବାର ଦର୍ଶାଇଥିବା କନିଷ୍ଠଯନ୍ତ୍ରୀ ସୂଚନା ଫଳକ ନଲଗାଇ ବିଲ କଲେ । ଏଥିନେଇ ଆମ ଫାଇବ ଟି ବ୍ୟବସ୍ଥା ଅନୁସାରେ ଧର୍ମଶାଳା ବି.ଡି.ଓ ସଂପୃକ୍ତ ଜେ.ଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତୁରନ୍ତ ଗ୍ରହଣ କରନ୍ତୁ ବୋଲି ଦାବି କରାଯାଇଛି ।
ଅସଲ କଥା ହେଉଛି ଏହି ପ୍ରକଳ୍ପରେ ଦ୍ୱୀତିୟ ଟାଙ୍କି ନିର୍ମାଣ ନକରି ଫଲ୍ସ ବିଲ କରିବା ଉଦ୍ୟମରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଥିଲେ । ପ୍ରକଳ୍ପ ଡିଜାଇନ ଅନୁସାରେ ଦ୍ୱିତୀୟ ଟାଙ୍କି ନକରି ଏବଂ ପ୍ରକଳ୍ପ କାର୍ଯ୍ୟ ଶେଷ ନକରି କାହା ନିର୍ଦ୍ଦେଶରେ ପ୍ରକଳ୍ପରୁ ପାଣି ଯୋଗାଣ ଆରମ୍ବ ହେଲା? ହେଲେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ପାଇଁ ଏହି ଫଲ୍ସ ବିଲ କରିବାକୁ ସାହସ କରି ନଥିଲେ । ଯେଉଁଥିପାଇଁ ଅଭିଯୋଗ ପରେ ଜୀବନ ବିକଳେ ଦ୍ୱିତୀୟ ଟାଙ୍କି ବସାଇବାକୁ ସିମେଂଟ ବେସ ମଧ୍ୟ ନିର୍ମାଣ କରାଯାଇଛି । ଉଚ୍ଚ ଅଧିକାରୀଙ୍କୁ ବି.ଡି.ଓ ପ୍ରଦାନ କରିଥିବା ଉପରୋକ୍ତ ପତ୍ରରେ କାମ ଠିକ ହୋଇଥିବାର ଗ୍ରାମବାସୀଙ୍କ ତରଫରୁ ଗୋଟିଏ ପତ୍ର ସଂଲଗ୍ନ ରହିଛି । ଏଥିରେ ପ୍ରଥମ ଦୁଇଟି ଦସ୍ତଖତ ସଂପୂର୍ଣ୍ଣ ଜାଲିଆତି । ଏଥିନେଇ ଦସ୍ତଖତକୁ ଯାଂଚ କରାଯାଉ । ସମୁଦାୟ ୧୦ ଟି ଦସ୍ତଖତରୁ ଗୋଟିଏ ପରିବାରର ୬ ଟି ଦସ୍ତଖତ ରହିଛି । ଏମାନେ ଆବାସ ଯୋଜନାରେ ଗୃହ ପାଇଥିବା ସହ ଏହାର ଅନ୍ତରାଳରେ ବିଭିନ୍ନ କଥା ଥିବାରୁ ସେମାନଙ୍କ ଠାରୁ ଏଭଳି ସ୍ୱାକ୍ଷର ଅଣାଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥିରେ ତଦନ୍ତରେ ସ୍ୱଚ୍ଛତା ପାଇଁ କାହିଁକି ଅଭିଯୋଗକାରୀଙ୍କୁ ତଦନ୍ତ ପ୍ରକିୟାରେ ସାମିଲ କଲେନାହିଁ ଏବଂ ଅଭିଯୋଗକାରୀଙ୍କ ମତ ନିଆଗଲା ନାହିଁ? ଏଥିରୁ ତଦନ୍ତରେ ଯାଇଥିବା କନିଷ୍ଠଯନ୍ତ୍ରୀ ଏହି ଦୁର୍ନିତିରେ ସଂପୃକ୍ତ ଏବଂ ପକ୍ଷଭୁକ୍ତ ବୋଲି ପ୍ରମାଣିତ ହେଉଛି ବୋଲି ଅଭିଯୋଗ ହେଉଛି । ଏହି ପ୍ରକଳ୍ପରେ ବ୍ୟବହୃତ ସାମଗ୍ରୀ ସଂପୂର୍ଣ୍ଣ ନିମ୍ନମାନର । ଏଥିନେଇ ବ୍ୟବହୃତ ସାମଗ୍ରୀ ନେଇ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ପାଇଁ ଦାବି ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କ ଫାଇବ ଟି ବ୍ୟବସ୍ଥାକୁ ଠକୁଛି ଧର୍ମଶାଳା ବ୍ଲକ
|
August 2, 2023 |