ମାହାଙ୍ଗା ବିଜେପି ନେତା କୁଳମଣିଙ୍କ ହତ୍ୟାକାରୀଙ୍କୁ ଗିରଫ କରିବା ଦାବିରେ ଡିଜିପି ଅଫିସ ଘେରାଉ କଲା ବିଜେପି

Spread the love

କଟକ/ଭୁବନେଶ୍ୱର, ୦୮/୦୧/୨୧ (ସନ୍ଧାନ ନିଉଜ) : ମାହାଙ୍ଗାରେ ବିଜେପି ନେତା କୁଳମଣିଙ୍କ ହତ୍ୟାକାରୀଙ୍କୁ ଗିରଫ କରିବା ଦାବିରେ ଆଜି କଟକ ଠାରେ ହଜାର ହଜାର ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତ୍ତା ମାତା ମଠ ଠାରୁ ବିଶାଳ ଶୋଭାଯାତ୍ରାରେ ବାହାରି ଡିଜପି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଜେପିର ଅଭିଯୋଗ ଅନୁଯାୟୀ, ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରରୋଚନାରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଛି। ପଶ୍ଚିମବଙ୍ଗ ପରି ଓଡ଼ିଶାରେ ରାଜନୈତିକ ହିଂସା ଦେଖାଦେଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ ଯେପରି ବିଜେପି ନେତାଙ୍କୁ ହତ୍ୟା କରାଯାଉଛି ଠିକ୍ ସେହିପରି ରାଜ୍ୟରେ ବିଜେଡିର ଦୁର୍ନୀତି ଭଷ୍ଟ୍ରାଚାର ବିରୁଦ୍ଧରେ ମୁହଁ ଖୋଲିଲେ ଶାସକ ଦଳ ନେତାଙ୍କ ନିର୍ଦ୍ଦେଶରେ ବିରୋଧୀଙ୍କୁ ହତ୍ୟା କରାଯାଉଛି। ଏହି ହତ୍ୟାକାଣ୍ଡରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ୧୪ ଜଣଙ୍କ ନାଁ’ରେ ଏତଲା ଦିଆଯାଇଛି। କିନ୍ତୁ ପୋଲିସ ଶାସକ ଦଳ ଚାପରେ ଆଇନ ମନ୍ତ୍ରୀଙ୍କୁ ଗିରଫ କରିବା ତ’ ଦୂରର କଥା ତାଙ୍କୁ ତଦନ୍ତ ପରିସରଭୃକ୍ତ କରୁନାହିଁ। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ଏହି ହତ୍ୟାକାଣ୍ଡରେ ସାମିଲ ଥିବା ସମସ୍ତ ଅପରାଧୀଙ୍କୁ ଗିରଫ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ପକ୍ଷରୁ ଆଜି ଡିଜିପି ଅଫିସ ଘେରାଉ କରାଯାଇଥିଲା। ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପି ନେତା କୁଳମଣି ବରାଳ ସବୁବେଳେ ପ୍ରତିବାଦ କରି ଆସୁଥିଲେ। ଏହି କାରଣରୁ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଷଡ଼ଯନ୍ତ୍ର କ୍ରମେ ତାଙ୍କର ଏକାନ୍ତ ଅନୁଗତ ପୂର୍ବ ବ୍ଲକ ଅଧ୍ୟକ୍ଷ ଭିକାରୀ ଚରଣ ସ୍ୱାଇଁ ଓ ସରପଞ୍ଚଙ୍କ ସ୍ୱାମୀ ପ୍ରଫୁଲ ବିଶ୍ୱାଳଙ୍କ ନେତୃତ୍ୱରେ ବିଜେଡିର କିଛି କାର୍ଯ୍ୟକର୍ତ୍ତା ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଭିଆଇଥିଲେ। ମୃତ୍ୟୁ ପୂର୍ବରୁ କୁଲମଣି ବରାଳ ଓ ଦିବ୍ୟସିଂହ ବରାଳ ମୃତ୍ୟୁକାଳୀନ ଜମାନବନ୍ଦୀରେ ଆକ୍ରମଣକାରୀଙ୍କ ନାମ ପରିବାର ଲୋକଙ୍କୁ ଜଣାଇଥିଲେ। ସେହି ଜମାନବନ୍ଦୀ ଆଧାରରେ କୁଳମଣି ବରାଳଙ୍କ ପୁଅ ଥାନାରେ ଏତଲା ଦେଇଥିଲେ। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ପୋଲିସ ତଦନ୍ତ ପରିସରଭୃକ୍ତ କରୁନାହିଁ କି ଗିରଫ କରିନାହିଁ। ଗତ ୨ ବର୍ଷ ତଳେ ବିଜେପି ପଞ୍ଚାୟତ ସଭାପତି ଅନୁସୂଚିତ ଜାତି ବର୍ଗର ବିକାଶ ଜେନାଙ୍କୁ ମଧ୍ୟ ସମାନ ଢଙ୍ଗରେ ହତ୍ୟା କରାଯାଇଥିଲା। ହତ୍ୟାକାରୀ ମାନେ ଫେରାର୍ ହୋଇଥିବା କଥା ପୋଲିସ କହୁଥିବା ସମୟରେ ସେମାନେ ଗାଁ’ରେ ରହି ଉପଦ୍ରବ କରିବା ସହ ଅନେକ ସମୟରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସାଙ୍ଗରେ ରହୁଥିଲେ ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରମାଣ ରହିଛି। କୁଳମଣି ବରାଳ ଏବଂ ତାଙ୍କ ପରିବାର ଲୋକଙ୍କୁ ହତ୍ୟା କରିବା ପାଇଁ ଧମକ ଦିଆଯିବା ପରେ ପୋଲିସ ଏହାକୁ ହେୟଜ୍ଞାନ କରିଥିଲା ବୋଲି ବିଜେପିର ନେତୃବୃନ୍ଦ ପୋଲିସ ଡିଜିପିଙ୍କ ପାଖରେ ଅଭିଯୋଗ କରିଛନ୍ତି।

Related Posts

About The Author

Add Comment