ଭଦ୍ରକ: ପ୍ରଧାନମନ୍ତ୍ରୀ ଆବାସର କିସ୍ତି ନପାଇ ଆମରଣ ଅନଶନରେବସିଲେ ବିଧବା ବାସନ୍ତୀ ମିଶ୍ର

Spread the love
ଭଦ୍ରକ, ,୧୭/୫ (ସନ୍ଧାନ ନିୟୁଜ) –  ପ୍ରଧାନମନ୍ତ୍ରୀଙ୍କ ଆବାସ ଯୋଜନାରେ ଭଦ୍ରକ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଠାରୁ କାର୍ଯ୍ୟାଦେଶ ପାଇ ଛାତପର୍ଯ୍ୟନ୍ତ ଗୃହ ନିର୍ମାଣ କରିଥିବା ଜଣେ ବିଧବା ନିଜର ପରବର୍ତ୍ତୀ କିସ୍ତି ନପାଇବାରୁ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ସଂପୃକ୍ତ ବିଧବା ବାସନ୍ତୀ ମିଶ୍ର ଜିଲାପାଳଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଦେଇଥିବା ଅଭିଯୋଗ ପତ୍ର ମୂଳେ ଭଦ୍ରକ ପୌରପାଳିକା ଅଧୀନସ୍ଥ  ୮ନଂ ୱାର୍ଡରେ ଯାଉଥିବା ବାଗୁରାଇ ଗ୍ରାମରେ ତାଙ୍କର ଘର । ସେ ନିଃସନ୍ତାନ ଥାଇ ଏକୁଟିଆ ରହୁଥିବାରୁ ନିଜ ଘରବାଡିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରିବା ପାଇଁ ଆବେଦନ କରି ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଠାରୁ ୨୦୧୭ ଡିସେମ୍ବର ୧ ତାରିଖ ଦିନ ୨ ଲକ୍ଷ ଟଙ୍କା ର କାର୍ଯ୍ୟାଦେଶ ପାଇଥିଲେ, ଯାହାର ନଂ ୧୧୧୦୫ ଅଟେ । ପ୍ରଥମ କିସ୍ତିରେ ସେ ୧ ଲକ୍ଷ ଟଙ୍କା ପାଇ  ଗୃହଟିକୁ ଛାତ ପର୍ଯ୍ୟନ୍ତ ନିର୍ମାଣ କରି ପରବର୍ତ୍ତୀ ଅର୍ଥ ପାଇବା ନେଇ ନିର୍ବାହୀ ଅଧିକାରୀଙ୍କୁ ଭେଟିଥିଲେ । ମାତ୍ର ସ୍ଥାନୀୟ ଜଣେ ବ୍ୟକ୍ତି ଉକ୍ତ ଜମି ସନ୍ନିକଟ ରାସ୍ତାକୁ ନେଇ ମୋକଦ୍ଦମା କରିଥିବାରୁ ପରବର୍ତ୍ତୀ କିସ୍ତି ବନ୍ଦ ରହିଛି । ଫଳରେ ସଂପୃକ୍ତ ବିଧବା ଜଣକ ଏବେ ନିଜର ଜମିରେ ଥିବା ପୁରୁଣା ଗୃହଟିକୁ ଭାଙ୍ଗି ନୂତନ ଗୃହଟି ନିର୍ମାଣ ଆରମ୍ଭ କରିଥିବାରୁ ପଲିଥିନ୍ ଘେରା ଜରାଜୀର୍ଣ୍ଣ ଘରେ ରହିବା ବିପଦସଂକୁଳ ହୋଇପଡିଛି । ଏପରିକି ପର ଘର ଶୁଣ୍ଢି ପିଣ୍ଢା ହେଉଥିବାବେଳେ ଛାତ ପାଇଁ କିଣିଥିବା ଲୁହାରଡ୍ ଗୁଡିକ ନଷ୍ଟ ହେବାକୁ ବସିଲାଣି । ବର୍ଷାଦିନରେ ସେ ପଲିଥିନ୍ ଟଣା ଉକ୍ତ ଘରେ ସରିସୃପ ଭଳି ଜୀବମାନଙ୍କ ଆତଯାତରେ ରହିବାକୁ ଆଉ ସୁରକ୍ଷିତ ମଣୁନାହାଁନ୍ତି । ଏ ଦିଗରେ ସେ ନିର୍ବାହୀ ଅଧିକାରୀଙ୍କ ନିକଟକୁ ବାରମ୍ବାର ଦୌଡି କୌଣସି ସୁଫଳ ନପାଇବାରୁ ଅବଶିଷ୍ଟ କିସ୍ତି ଅର୍ଥ ନପାଇଲେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଦେବେ ବୋଲି ଚେତାବନୀ ଦେଇଥିଲେ । ଆଜି ସେ ନିଜ ନିଷ୍ପତ୍ତି ମୂଳେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଆରମ୍ଭ କରିଥିବାବେଳେ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର ସହରାଞ୍ଚଳ ଥାନା ପୁଲିସ୍ଙ୍କ ଉପସ୍ଥିତିରେ ଉକ୍ତ ଘଟଣା ମାନ୍ୟବର ଅଦାଲତଙ୍କ ନିକଟରେ ବିଚାରାଧୀନ ଥିବାରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇପାରିବ ନାହିଁ ବୋଲି କହିବା ପରେ ପୁଲିସ୍ ସଂପୃକ୍ତ ମହିଳାଙ୍କୁ ସେଠାରୁ ଉଠାଇ ଦେଇଥିଲେ ।

Related Posts

About The Author

Add Comment