ଭଦ୍ରକ ଡିଏଚଏଚର ୩ ଡାକ୍ତର ପଜିଟିଭ

Spread the love

ବାଲେଶ୍ଵର, ୧୦/୦୮/୨୦୨୦ (ସନ୍ଧାନ ନିଉଜ)- ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ ଜଣ ଡାକ୍ତର କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓପିଡି ସେବାକୁ ୪୮ ଘଣ୍ଟା ପାଇଁ ବନ୍ଦ କରିଦିଆଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓପିଡି କୋଠାକୁ ସଂପୁର୍ଣ୍ଣ  ସାନିଟାଇଜ କରିବା ସହିତ ସଂକ୍ରମଣ ରୋକିବା ଲାଗି ଏହି ବ୍ୟବସ୍ଥା ଗହଣ କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡା ସନ୍ତୋଷ ପାତ୍ର କହିଛନ୍ତି । ତେବେ ରୋଗୀ ସେବା ବ୍ୟାହତ ନହେବା ଲାଗି ଟ୍ରମା ସେଣ୍ଟର ଏବଂ ସର୍ଜରୀ ବିଭାଗରେ ଓପିଡି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ସିଡିଏମଓ କହିଛନ୍ତି । ଅନ୍ୟପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେବଳ ଡାକ୍ତର ନୁହଁନ୍ତି ଏକାଧିକ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ମଧ୍ୟ କୋଭିଡ ଆକ୍ରାନ୍ତ ହୋଇଥିବା କୁହାଯାଇଛି । ଆଣ୍ଟିଜେନ ଟେଷ୍ଟରେ ସେମାନେ କୋଭିଡ ସଂକ୍ରମିତ ଆଶଙ୍କା କରାଯାଉଥିବା ବେଳେ ସେମାନଙ୍କ ସ୍ବାବ ପରୀକ୍ଷା ରିପୋଟକୁ ଅପେକ୍ଷା କରାଯାଇଥିବା ଜଣାପଡିଛି । ଅନ୍ୟପକ୍ଷରେ ଜିଲ୍ଲାରେ ଶନିବାର ମାତ୍ର ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଶନିବାର ସୁଦ୍ଧା ଜିଲ୍ଲାରେ  ମୋଟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୮୫୭ ରେ ପହଞ୍ଚିଥିବା ବେଳେ ସକ୍ରିୟ ମାମଲା ପ୍ରଥମ ଥର ପାଇଁ ୨୦୮ ଛୁଇଁଛି । ସେହିଭଳି ବର୍ଭମାନ  ସୁଦ୍ଧା ଜିଲ୍ଲାରେ କୋଭିଡରେ ୪ ଜଣ ପ୍ରାଣ ହରାଇଛନ୍ତି । ତେବେ ଜିଲ୍ଲାରେ ଏବେ ବଢିଚାଚାଇଥିବା ଆଞ୍ଚଳିକ ସଂକ୍ରମଣକୁ ନେଇ ପ୍ରଶାସନ ଚିନ୍ତା ବ୍ୟକ୍ତ କରିଛି। ଗତ ଏକ ସପ୍ତାହ ମଧ୍ୟରେ ଜିଲ୍ଲାରେ ଆଞ୍ଚଳିକ ସଂକ୍ରମଣ ୨ ଶହ ଅତିକ୍ରମ କରିଥିବା ବେଳେ ସଂକ୍ରମଣ ଥମିବାର ନାଁ ନେଉନାହିଁ । ଜିଲ୍ଲାରେ  ବଢିଚାଲିଥିବା ସଂକ୍ରମଣକୁ ରୋକିବା  ଲାଗି ପ୍ରଶାସନ ଅଗଷ୍ଟ ମାସ ସାରା ପ୍ରତି ଶନିବାର ଏବଂ ରବିବାରକୁ ୨୪ ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି ହେଲେ ଲୋକେ ପ୍ରଶାସନର ଏହି କଟକଣା ମାନୁ ନାହାନ୍ତି । ସଟଡାଉନ ସମୟରେ କେବଳ ଦୋକାନ ବଜାର  ବନ୍ଦ ରହୁଥିଲେ ମଧ୍ୟ ଲୋକ ଚଳାଚଳ  ଉପରେ ପ୍ରଶାସନର ଲଗାମ ରହୁ ନାହିଁ । ବଜାର ଘାଟରେ କୋହଳ ପୋଲିସ  କଟକଣା ଯୋଗୁ ଲୋକେ ଅବାଧରେ  ବିଚରଣକରୁଛନ୍ତି । ଏପରିକିରାତ୍ରିକାଳିନ କର୍ଫ୍ୟୁ କଟକଣାକୁ ମଧ୍ୟ ଲୋକେ ମାନୁ ନାହାନ୍ତି । ଯାହାକି ଜିଲ୍ଲାରେ ଆଞ୍ଚଳିକ ସଂକ୍ରମଣ ପ୍ରତି ବାଟ ଫିଟାଇ ଦେଇଥିବା ଆଲୋଚନା ହେଉଛି । ଅନ୍ୟପକ୍ଷରେ କୋଭିଡ  ପରୀକ୍ଷା ବୃଦ୍ଧି ଯୋଗୁ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଦୃତ ବୃଦ୍ଧିପାଉଥିବା କୁହାଯାଉଛି । ଜିଲ୍ଲା ପ୍ରଶାସନ ସୁଚନା ଅନୁଯାୟୀ ଶନିବାର ସୁଦ୍ଧା ଜିଲ୍ଲାରେ ପ୍ରାୟ  ୨୨ ହଜାର ଲୋକଙ୍କର କୋଭିଡ ପରୀକ୍ଷା କରାଯାଇଥିବା ବେଳେ ଆଗକୁ ଏହା ଓ ଯଥେଷ୍ଟ ବୃଦ୍ଧି ପାଇବ ବୋଲିକୁହାଯାଉଛି ।

Related Posts

About The Author

Add Comment