ଭଦ୍ରକ, ୨୦/୫ (ସନ୍ଧାନ ନିୟୁଜ) – ଭଦ୍ରକ ଜିଲା ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥର ୭ଟି ଦୁର୍ଘଟଣା ପ୍ରବଣ ସ୍ଥାନରେ ଅଣ୍ଡରପାସ୍ ଅଥବା ଫ୍ଲାଇଓଭର ବ୍ରିଜ୍ ନିର୍ମାଣ ହେବ । ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଉଚ୍ଚ ନ୍ୟାୟାଳୟ ଏହି ନିଦେ୍ର୍ଦଶ ଜାରି କରିଛନ୍ତି । ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ମଧ୍ୟ ସତ୍ୟପାଠ ଦାଖଲ କରିଥିଲେ । ବାଜପେୟୀଙ୍କ ସରକାର ଅମଳର ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାରେ ଭଦ୍ରକ ଦେଇ ଯାଇଥିବା ଜାତୀୟ ରାଜପଥର ଦୋହରାକରଣ କାର୍ଯ୍ୟ ସଂପନ୍ନ ହୋଇଥିଲା । ସେତେବେଳେ କେତେକ ସମ୍ବେଦନଶୀଳ ସ୍ଥାନରେ ଅଣ୍ଡରପାସ୍ ଅଥବା ଫ୍ଲାଇଓଭର ନିର୍ମାଣକୁ ଗୁରୁତ୍ୱ ଦିଆଯାଇ ନଥିଲା । ଯେଉଁ ସ୍ଥାନରେ ରାଜ୍ୟ ରାଜପଥ ତଥା ଲୋକାଲ ରୋଡ୍ ଅତିକ୍ରମ କରୁଛି ସେହି ସ୍ଥାନଗୁଡିକୁ ଜାତୀୟ ରାଜପଥ ଅଧିକାରୀ ଭେଇକୁଲାର ଅଣ୍ଡରପାସ କିମ୍ବା ଫ୍ଲାଇଓଭର ନିର୍ମାଣ କରି ନଥିବା ହେତୁ ସେହି ସ୍ଥାନମାନଙ୍କରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଲୋକଙ୍କ ଜୀବନ ହାନୀ ହୋଇଛି । ଗୁରୁତ୍ୱପୂର୍ଣ୍ଣ ଭଣ୍ଡାରିପୋଖରୀ ଛକ, ଧାମନଗର ଛକ, ମୋଟେଲ ଛକ, ଡାହାଣୀଗଡିଆ ଛକ, ନୂଆ ବସ୍ଷ୍ଟାଣ୍ଡ ଓ ରାଣୀତାଲ ଛକ ଗୁଡିକ ପ୍ରାୟତଃ ଦୁର୍ଘଟଣାପ୍ରବଣ ଥିଲା । ଏହି ସବୁ ସ୍ଥାନରେ ଦୁର୍ଘଟଣାକୁ ଏଡାଇବା ନିମନ୍ତେ ଅଣ୍ଡରପାସ୍ କିମ୍ବା ଫ୍ଲାଇଓଭର ନିର୍ମାଣ କରାଯିବା ନିମନ୍ତେ ଉଚ୍ଚ ନ୍ୟାୟାଳୟରେ ସାଳନ୍ଦୀ ନଗର ନାଗରିକ ପରିଷଦ ପକ୍ଷରୁ ଅନନ୍ତ ପ୍ରସାଦ ପଣ୍ଡା ଓ ଅନ୍ୟ ୧୪ ଜଣ ସଦସ୍ୟ ଏକ ଜନସ୍ୱାର୍ଥ ମାମଲା (ନଂ ଡବ୍ଲୁ୍ୟପିସି ୪୨୪୭) ରୁଜୁ କରିଥିଲେ । ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନ୍ଜୀବୀ ତଥା ଭଦ୍ରକ ବାସିନ୍ଦା ଅମ୍ବୁଜବନ୍ଧୁ ପରିଡା ଉକ୍ତ ଜନସ୍ୱାର୍ଥ ମୋକଦ୍ଦମା ଲଢିଥିଲେ । ଲୋକଙ୍କ ଦାବି ସପକ୍ଷରେ ଆଇନ୍ଜୀବୀ ଶ୍ରୀ ପରିଡା ଅନେକ ତଥ୍ୟ ଉପସ୍ଥାପନ କରିଥିଲେ । ତେବେ ଏହି ମାମଲାରେ ପକ୍ଷଭୁକ୍ତ ହୋଇଥିବା ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଉଚ୍ଚ ନ୍ୟାୟାଳୟଙ୍କ ନୋଟିସ୍ ପାଇବା ପରେ ଜବାବ ଦାଖଲ କରିଥିଲେ । ପ୍ରକାଶ ଥାଉକି ହରିୟାନା, ଗୁରଗାଓଁର କନସଲଟାନ୍ସି ସଂସ୍ଥା ‘ଏଇକମ’ କୁ ଉକ୍ତ ସମ୍ବେଦନଶୀଳ ସ୍ଥାନଗୁଡିକରେ ଅଣ୍ଡରପାସ କିମ୍ବା ଫ୍ଲାଇଓଭର ନିର୍ମାଣ କରାଯିବାର ଆବଶ୍ୟକତା ସଂପର୍କରେ ଅନୁଧ୍ୟାନ କରି ରାଜପଥ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେଇଥିଲେ । ‘ଏଇକମ୍’ ର ବିସ୍ତୃତ ରିପୋର୍ଟରେ ଉପରୋକ୍ତ ସମ୍ବେଦନଶୀଳ ସ୍ଥାନମାନଙ୍କରେ ଫ୍ଲାଇଓଭର / ଅଣ୍ଡରପାସ୍ ନିର୍ମାଣର ଆବଶ୍ୟକତା ସପକ୍ଷରେ ମତ ରଖାଯାଇଥିଲା । ପରେ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଚଣ୍ଡିଖୋଲ ଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ନିର୍ମାଣ କରୁଥିବା ଛଅଟିକିଆ ରାସ୍ତାରେ ସେହିସବୁ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ଅଣ୍ଡରପାସ କିମ୍ବା ଫ୍ଲାଇଓଭର ନିର୍ମାଣ କରାଯିବ ବୋଲି ଉଚ୍ଚ ନ୍ୟାୟାଳୟଙ୍କ ସତ୍ୟପାଠ ମାଧ୍ୟମରେ ଜଣାଇଥିଲେ । ତଦନୁଯାୟୀ ଭଣ୍ଡାରିପୋଖରୀ ଛକରେ ଭେଇକୁଲାର ଅଣ୍ଡରପାସ, ଧାମନଗର ଛକରେ ଭେଇକୁଲାର ଅଣ୍ଡରପାସ, ମୋଟେଲ ଛକରେ ନୂଆ ବସ୍ଷ୍ଟାଣ୍ଡ ନିକଟରେ ଫ୍ଲାଇଓଭର, ଡାହାଣୀଗଡିଆ ଛକ ନିକଟରେ ଭେଇକୁଲାର ଅଣ୍ଡରପାସ ଓ ରାଣୀତାଲ ଛକ ନିକଟରେ ଭେଇକୁଲାର ଅଣ୍ଡରପାସ ନିର୍ମାଣ ହେବାକୁ ଯାଉଥିବା ନେଇ ରାଜପଥ କର୍ତ୍ତୃପକ୍ଷ ଅବଗତ କରାଇଥିଲେ । ଉଚ୍ଚ ନ୍ୟାୟାଳୟ ମାମଲାର ରାୟ ପ୍ରକାଶଡ କରି ପ୍ରସ୍ତାବିତ ସ୍ଥାନଗୁଡିକରେ ଫ୍ଲାଇଓଭର ଓ ଅଣ୍ଡରପାସ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।



