ବେଣ୍ଟକାର ଡାକଘର ପ୍ରତି ଦୃଷ୍ଟି ଦେଉନାହିଁ ଡାକ ବିଭାଗ

Spread the love
କଟକ,୧୭/୦୧ : କଟକ ସଦର ୪୨ମୌଜା ସ୍ଥିତ ସର୍ବ ପୁରାତନ ତଥା ବ୍ୟସ୍ତ ବହୁଳ ବେଣ୍ଟକାର ଡାକଘରେ ଥିବା ହୋଣ୍ଡା କମ୍ପାନୀର (ଇଏକ୍ସକେ ୨୮୦୦) ୨୨୦ ଭୋଲଟ୍ ଜେନେରେଟରଟି ଆଜକୁ ଦୀର୍ଘ ୪ମାସ ହେବ ଅକାମୀ ହୋଇ ସେବା କାର୍ଯ୍ୟରେ ଆସୁନାହିଁ । ୪୨ମୌଜା ସ୍ତରରେ ବିଦ୍ୟୁତ୍ ବିଭାଗ ଦ୍ଵାରା ବିଦ୍ୟୁତ ସଂପ୍ରସାରଣ ଓ ମରାମତି କାର୍ଯ୍ୟ ବୃଦ୍ଧି ପାଇଥିବାରୁ ପ୍ରତି ମାସରେ ଦୁଇଦିନ ସକାଳ ୯ରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ୍ ହେଉଅଛି । ଏପରି କେତେଥର ଘଟିଛି ଯେଉଁଦିନ ଡାକଘରେ ଦିନ ତମାମ ଲିଙ୍କ୍ ନଥିବା ହେତୁ ସେବା ବନ୍ଦ ଥିଲା ଓ ଠିକ୍ ତା ପର ଦିନ ଦିନଭରି ବିଦ୍ୟୁତ୍ କାଟ୍ ହୋଇ ଡାକ ସେବା ଲଗାତାର ଦୁଇଦିନ ବନ୍ଦଅଛି। ଏହି ପରିପ୍ରେକ୍ଷୀରେ ଜେନେରେଟର ଠିକ୍ ନଥିବାରୁ ହିତାଧିକାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ବ ପୋଷ୍ଟ ମାଷ୍ଟର ଦେବାଶିଷ ଦାସ ଗତ ଡ଼ିସେମ୍ବର ୨୯ ତାରିଖରୁ ଏଠାରୁ ବଦଳି ହୋଇ ତାଙ୍କ ସ୍ଥାନରେ ଗତ ଡ଼ିସେମ୍ବର ୩୦ ତାରିଖରୁ ବି.ଚନ୍ଦ୍ରଶେଖର ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଦେବାଶିଷ ଦାସ ପୋଷ୍ଟ ମାଷ୍ଟର ଥିବା ସମୟରେ ଜେନେରେଟର ମରାମତି ପାଇଁ ଉପରିସ୍ଥ ଅଧିକାରୀଙ୍କୁ ୪ଥର ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି । ନୂଆ ପୋଷ୍ଟ ମାଷ୍ଟର ବି.ଚନ୍ଦ୍ରଶେଖରଙ୍କୁ ଏ ଅବ୍ୟବସ୍ଥା ବାବଦରେ ଜଣାଇବାରୁ ସେ କହିଲେ ଉପର ଅଧିକାରୀଙ୍କୁ ଆମ୍ଭେ ଜଣାଇଛୁ ଖୁବ୍ ଶୀଘ୍ର ଏହା ମରାମତି ହେବ । ୪୨ମୌଜାରେ ଥିଵା ୬ଗୋଟି ଗ୍ରାମ ପଞ୍ଚାୟତର ହଜାର ହଜାର ଉପଭୋକ୍ତା ଏହି ଉପ ଡାକଘର ଉପରେ ନିର୍ଭରଶୀଳ । ଏତତବ୍ୟତୀତ ଏହି ଉପ ଡାକଘର ଅଧୀନରେ ୫ଗୋଟି ଶାଖା ଯଥା ଝିଙ୍କିରିଆ,ଦଧିବାମନପୁର,କଳପଡା, କୁଳସରିଚୁଆଁ ଓ ଝାରକଟା ବ୍ରାଞ୍ଚ ପୋଷ୍ଟ ଅଫିସ କାର୍ଯ୍ୟ କରୁଅଛି । ବେଣ୍ଟକାର ଉପ ଡାକଘର କାର୍ଯ୍ୟ ବ୍ୟାହତ ହେଲେ ଏ ୫ ଗୋଟି ବ୍ରାଞ୍ଚ ପୋଷ୍ଟ ଅଫିସ ସ୍ଵାଭାବିକ ଭାବେ ଅଚଳ । ଏ ବାବଦରେ କଟକ ନଗର ମଣ୍ଡଳର ବରିଷ୍ଠ ଡାକ ଅଧିକ୍ଷକଙ୍କୁ  ତାଙ୍କ ଅଫିସ ଯୋଗାଯୋଗ ନମ୍ୱର୍ ୦୬୭୧-୨୩୦୪୧୫୧  ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳି ପାରି ନଥିଲା । ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏହି ଘଟଣାକୁ ଗୁରୁତର ସହ ବିଚାରକୁ ନେଇ ସଂପୃକ୍ତ ଜେନେରେଟର ଟିକୁ ତୁରନ୍ତ କାର୍ଯ୍ୟକ୍ଷମ କରାଇଲେ ୪୨ମୌଜା ଅଞ୍ଚଳବାସୀ ବିଶେଷ ଉପକୃତ ହେବେ ବୋଲି ୪୨ମୌଜା ବିକାଶ ପରିଷଦ ଉପଦେଷ୍ଟା ତଥା ୪୨ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା ପ୍ରେସ୍ ବିବୃତିରେ ଜଣାଇଛନ୍ତି ।

Related Posts

About The Author

Add Comment