ବିଦ୍ୟାଳୟ କାର୍ଯ୍ୟ ସରିବାର ଦୀର୍ଘ ଦିନ ପରେ ମଧ୍ୟ ବିଲ୍ ନ ମିଳିବାରୁ ସ୍କୁଲ ଫାଟକରେ ତାଲା ପକାଇଲେ ଠିକାଦାର, ବାହାରେ ପଢିଲେ ପିଲା

Spread the love

ବାଲିଗୁଡା : ୦୭/୯/୨୩: (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ ପକାରୀରେ ୫-ଟି ଯୋଜନାରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କାମ କରି ଦୀର୍ଘ ଦିନ ପରେ ବି ଠିକାଦାରଙ୍କୁ ବିଲ୍ ହୋଇପାରିଲା ନାହିଁ । ଏ ନେଇ ଠିକାଦାର ବାରମ୍ବାର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଜଣାଇଥିଲେ ମଧ୍ଯ କୌଣସି ଫଳ ମିଳିଲା ନାହିଁ। ଶେଷରେ ବାଧ୍ୟ ହୋଇ ଠିକାଦାର ସ୍କୁଲ ଫାଟକରେ ତାଲା ପକାଇ ଦେଇଛନ୍ତି।  ସୂଚନା ଅନୁଯାୟୀ, ଉକ୍ତ ବିଦ୍ୟାଳୟ କୁ ଠିକାଦାର ଅଲେଖ ନାୟକ ଓ ତାଙ୍କ ସହଯୋଗୀ ୨୦୨୧ ମସିହାରେ ମିଶି ରୂପାନ୍ତରଣ କାର୍ଯ୍ୟ କରିଥିଲେ। କାମ ସରିବାର ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ  ସେମାନଙ୍କୁ ସମ୍ପୂର୍ଣ୍ଣ ବିଲ ଅଦ୍ୟାବଧି ସୁଦ୍ଧା ମିଳିଲା ନାହିଁ। ଏନେଇ ସେମାନେ କୋଟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଗତ ଅଗଷ୍ଟ ୨୫ ତାରିଖରେ ଲିଖତ ଭାବେ ଜଣାଇଥିଲେ ଯେ ଦଶ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରାନଗଲେ ବିଦ୍ୟାଳୟରେ ତାଲା ପକାଇ ବନ୍ଦ କରି ପ୍ରତିବାଦ କରିବେ । ଏଣୁ ସେହି ଅନୁସାରେ ଆଜି ଗୁରୁବାର ସକାଳ ୯.୩୦ ଘଣ୍ଟାରେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଥିଲେ ।ଯାହା ଫଳରେ ବାଧ୍ୟ ହୋଇ ପିଲାଙ୍କୁ ବାହାରେ ସାଇକେଲ ଷ୍ଟାଣ୍ଡ ଓ ପଡ଼ିଆରେ ବସାଇ ଶିକ୍ଷକ ମାନେ ଶିକ୍ଷା ଦାନ କରିଥିଲେ। ଟଙ୍କା ନ ମିଳିବା ପର୍ଯ୍ୟନ୍ତ ତାଲା ଖୋଲିବେ ନାହିଁ ବୋଲି ଉଭୟ ଠିକାଦାର ଜିଦ ଧରିବା ସହ ଏନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି। ଏପରି ଖବର ପାଇ ଗୁରୁବାର ଅପରାହ୍ନରେ ବ୍ଳକ ଆକାଉଣ୍ଟଟେଣ୍ଟ ସଞ୍ଜୟ ରାଉଳ ଓ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ କୁମାର ମହାପାତ୍ର ବିଦ୍ୟାଳୟରେ ପହଞ୍ଚି ଠିକାଦାରଙ୍କ ସହ  ଆଲୋଚନା କରି ଫାଟକରେ ପଡ଼ିଥ‌ିବା ତାଲା ଖୋଲି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ କୋଠରୀକୁ ପ୍ରବେଶ କରିଥିବା ଜଣାପଡିଛି l ତବେ କେବଳ ଏହି ବିଦ୍ୟାଳୟ ନୁହେଁ, ଜିଲ୍ଲାର ଏପରି ଅନେକ ବିଦ୍ୟାଳୟର କାମ ସରିଥିଲେ ମଧ୍ୟ ଠିକାଦାର ମାନଙ୍କୁ ବିଲ୍ ମିଳି ନ ଥିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଠିକାଦାରମାନଙ୍କ ରୋଷର ଶିକାର ହେଉଛନ୍ତି। ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ଏବଂ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଶିକ୍ଷାବିତ୍ ଏବଂ ଅଭିଭାବକ ମାନେ ମତ ଦେଇଛନ୍ତି

Related Posts

About The Author

Add Comment