ଲକ୍ଷ୍ନୌ/ସନ୍ଧାନ ନ୍ୟୁଜ: ଭୋଟ ଜଣେ । ଭୋଟ ବି ଗୋଟିଏ । ହେଲେ ଭୋଟର ଜଣଙ୍କ ପାଇଁ ଦେଇଛନ୍ତି ୮ ଥର ଭୋଟ । ଘଟଣା ଉତ୍ତର ପ୍ରଦେଶ ଏଟା ଅଞ୍ଚଳର । ଯାହାର ଭିଡିଓ ଭାଇରାଲ ହେବା ପରେ ବ୍ୟକ୍ତି ଜଣଙ୍କୁ ପୋଲିସ ଗିରଫ କରିଛି । ନିର୍ବାଚନ ଆୟୋଗ ଉକ୍ତ ମତଦାନ କେନ୍ଦ୍ରରେ ପୁଣି ଥରେ ଭୋଟିଂ କରିବାକୁ ସୁପାରିଶ କରିଛନ୍ତି । ପ୍ରକୃତରେ ଉତ୍ତରପ୍ରଦେଶ ଏଟାର ଏକ ମତଦାନ କେନ୍ଦ୍ରରେ ଜଣେ ବ୍ୟକ୍ତି ୮ ଥର ଭୋଟ୍ ଦେଇଥିବା ନେଇ ଦାବି କରିଥିଲେ । ଏହାର ଏକ ଭିଡିଓ କରି ସୋଶାଲ ମିଡିଆରେ ଅପ୍ଲୋଡ୍ ମଧ୍ୟ କରିଥିଲେ । ଯାହା ଭାଇରାଲ ହୋଇଥିଲା । ଏହାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ସେୟାର କରିଥିଲେ । ୨ ମିନିଟ୍ର ଭିଡିଓରେ ଜଣେ ଭୋଟର୍ ଜଣଙ୍କ ବିଜେପି ପ୍ରାର୍ଥୀ ମୁକେଶ ରାଜପୁତଙ୍କୁ ୮ ଥର ଭୋଟ୍ ଦେଉଥିବାର ଦେଖିବାକୁ ମିଳିଛି । ରାଜପୁତ ଉତ୍ତରପ୍ରଦେଶର ଫାରୁଖବାଦ ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଅଟନ୍ତି । ସମାଜବାଦୀ ପାର୍ଟି ପକ୍ଷରୁ ଏହି ଭିଡିଓକୁ ସେୟାର କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଏକାଧିକ ଥର ଭୋଟ୍ ଦିଆଯାଇଥିବା ଅଭିଯୋଗ ଆଣିଛି । ଏହି ଘଟଣା ନିଶ୍ଚିତ ଭାବରେ ବୁଥ୍ କ୍ୟାପଚରିଂକୁ ପ୍ରତିଫଳିତ କରୁଛି । ନିର୍ବାଚନ ଆୟୋଗ ଏନେଇ ଦୃଷ୍ଟି ଦେବା ଉଚିତ୍ । ଅଭିଯୁକ୍ତଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି ସପା କହିଛି । ସେପଟେ ଘଟଣା ସାମ୍ନାକୁ ଆସିବା ପରେ ଏଟା ଜିଲ୍ଲାର ନୟାଗାଓଁ ଥାନାରେ ମାମଲା ରୁଜୁ ହୋଇଥିଲା । ଉକ୍ତ ଯୁବ ଭୋଟର୍ଙ୍କୁ ପୁଲିସ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ହେଲେ ପମାରାନ ଗାଁର ରାଜନ ସିଂହ। ନିର୍ବାଚନ ଆୟୋଗ ଉକ୍ତ ବୁଥରେ ଆଉ ଥରେ ମତଦାନ ପାଇଁ ସୁପାରିଶ କରିବା ସହ ମତଦାନ ଦଳର ସମସ୍ତ ସଦସ୍ୟଙ୍କୁ ନିଲମ୍ବିତ କରିଛନ୍ତି । ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବିଜେପି ପ୍ରାର୍ଥୀଙ୍କୁ ୮ ଥର ଭୋଟ ଦେଇ ବନ୍ଧା ହେଲେ ଯୁବକ
|
May 20, 2024 |



