ବାରିପଦା , ଗୋରୁମହିଷାଣୀ, ୧୨/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା); ଖଣି ମାଲିକ ଶ୍ରମିକଙ୍କୁ ସେମାନଙ୍କ ପ୍ରାପ୍ୟ ଦେଇନାହାନ୍ତି। ଫଳରେ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଳକୁ ଗୋରୁମହିଷାଣୀସ୍ଥ ଲୌହଖଣି ଦୀର୍ଘ ୫୦ ବର୍ଷ ହେବ ମେସର୍ସ ଘନଶ୍ୟାମ ମିଶ୍ର ଆଣ୍ଡ ସନ୍ସ ପ୍ରାଲି ମାଲିକାନାରେ ଥିଲା। ଗତ ୩୧ ମାର୍ଚ୍ଚ ୨୦୨୦ରେ ଖଣିର ଲିଜ୍ ସରିଯାଇଥିଲା । ଫଳରେ ଇ-ନିଲାମ ଜରିଆରେ ପୁଣିଥରେ ଘନଶ୍ୟାମ ମିଶ୍ର ଆଣ୍ଡ ସନ୍ସ ପ୍ରାଲି ଖଣିର ମାଲିକାନା ହାସଲ କରିଛି। ତେବେ ପୂର୍ବରୁ ଖଣିରେ କାମ କରୁଥିବା ଶ୍ରମିକମାନେ ସେମାନଙ୍କର ହକ୍ ଓ ଅଧିକାର ଏଯାଏ ପାଇନାହାନ୍ତି। ଫଳରେ ସେମାନେ ଖଣି କର୍ତ୍ତୃପକ୍ଷଙ୍କ ବିରୋଧରେ ତାତିଛନ୍ତି। ବର୍ଷ ବର୍ଷ ଧରି ଖଣିରେ ।କାମ କରୁଥିବା ଶ୍ରମିକଙ୍କୁ ବକେୟା ପ୍ରାପ୍ୟ ପ୍ରଦାନ, ପ୍ରଭାବିତ ଶ୍ରମିକଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ, ଖଣି ପାରିପାର୍ଶିକ ଅଂଚଳରେ ବ୍ୟାପକ ବନୀକଚଣ କରାଯିବା, ଚାଷଜମିକୁ ଜଳସେଚନ ବ୍ୟବସ୍ଥା କରିବା, ୩୧ ମାର୍ଚ୍ଚ ୨୦୨୦ ପୂର୍ବରୁ ଖଣିରେ ନିଯୁକ୍ତ ସମସ୍ତ ଶ୍ରମିକଙ୍କୁ ପୁନଃନିଯୁକ୍ତି ଦେବା, ୫ ଶହ ନୂଆ ଶ୍ରମିକଙ୍କୁ ନିଯୁକ୍ତି ଦେବା, ନିଯୁକ୍ତି କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳର ଯୁବକ ଯୁବତୀଙ୍କ ପାଇଁ ୮୦ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖିବା, ମାଲ ପରିବହନ କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳର ୮୦ ପ୍ରତିଶତ ଗାଡ଼ି ମାଲିକଙ୍କୁ ସୁଯୋଗ ଦେବା, ଶ୍ରମ ଆଇନ କଡ଼ାକଡ଼ି ଲାଗୁ କରିବା, ପ୍ରତ୍ୟେକ ଶ୍ରମିକଙ୍କୁ ନିଯୁକ୍ତିପତ୍ର ୧ ପ୍ରଦାନ କରିବା, ପେ-କ୍ଲିପ୍ ପ୍ରଦାନ କରିବା, ଭବିଷ୍ୟନିଧି ଯୋଜନାରେ ସାମିଲ କରିବା, ଉଚିତ ବୋନସ୍ ଦେବା, ରାସ୍ତାଘାଟର ଉନ୍ନତି କରିବା, ସ୍ଵାସ୍ଥ୍ୟ ଓ ଶିକ୍ଷାର ଉନ୍ନତି କରିବା ଆଦି ଦାବି ଉଠାଇବା ସହ ଗତ ଅଗଷ୍ଟ ୨୧ ତାରିଖ ଦିନ ବ୍ଲକ୍ ତଥା ଜିଲ୍ଲା ପ୍ରଶାସନକୁ ଅବଗତ କରିଥିଲେ।ତେବେ ଏଇଭିତରେ ଦୁଇ ସପ୍ତାହରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଫଳରେ ଆଜି ୫ ଶହରୁ ଅଧିକ ଶ୍ରମିକ ଗୋରୁମହିଷାଣୀ ବିକାଶ ପରିଷଦ ତତ୍ବାବଧାନରେ ଖଣିର ମୁଖ୍ୟ ଫାଟକ ସମ୍ମୁଖ୍ୟରେ ଧାରଣା ଦେଇଥିଲେ। ପରେ ଗୋରୁମହିଷାଣୀ ଥାନାରେ ଏକ ବୁଝାମଣା ବୈଠକ ହୋଇଥିଲା । ଏଥିରେ ଥାନା ଅଧିକାରୀ ପିକେ ସ୍ବାଇଁ, ଶ୍ରମିକନେତା ଲକ୍ଷ୍ମଣ ଟୁଡୁ, ଖଣିର ମ୍ୟାନେଜର ବିକାଶ ରଂଜନ ନାୟକ, ସମାଜସେବୀ ଦୟାନିଧି ମହାକୁଡ଼ଙ୍କ ସହ ଶତାଧିକ ଶ୍ରମିକ ସାମିଲ ହୋଇ ଦାବି ପୂରଣ ବାବଦରେ ଆଲୋଚନା କରିଥିଲେ। ଖଣି ମ୍ୟାନେଜର ଶ୍ରୀ ନାୟକ କିଛି ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ୧୫ ଦିନ ମଧ୍ୟରେ ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନ ହେବ ବୋଲି ଶ୍ରମିକମାନେ କଡ଼ା ଚେତାବନୀ ଦେଇଥିବା ଜଣାପଡ଼ିଛି।
ବାରମ୍ବାର ଦାବି ପରେ ବି ମିଳୁନି ପ୍ରାପ୍ୟ : ଖଣି ଶ୍ରମିକଙ୍କ ଧାରଣା
|
September 12, 2020 |