ବାଟ ହୁଡ଼ୁଛି ସର୍ବ ଶିକ୍ଷା ଅଭିଯାନ… ଅବହେଳିତ ୧୦୮ବର୍ଷର ପ୍ରାଥମିକ ବିଦ୍ୟାଳୟ!

Spread the love

ବନ୍ତ, ୨୮/୧୧ (ସନ୍ଧାନ ନିଉଜ) : ଶିକ୍ଷକ ଅଛନ୍ତି, ପିଲାବି ଅଛନ୍ତି କିନ୍ତୁ ଶ୍ରେଣୀ ଗୃହ ଅଭାବରୁ ଏକ କାଳିନ ୩ ଶିକ୍ଷକ ଗୋଟିଏ କୋଠରୀ ରେ ୩ଟି ଶ୍ରେଣୀର ପିଲାଙ୍କୁ ପାଠ ପଢାଉଛନ୍ତି । କାନକୁ ଭୁଲ ଶୁଭୁଥିଲେ ସୁଦ୍ଧା ଏହା ସତ୍ୟ । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଲକ ଅଡ଼ାଳପଙ୍କସ୍ଥ ଯୋଗୀନ୍ଦ୍ର ପ୍ରାଥମିକ ବିଦ୍ୟାଳୟଠାରେ ।୧୯୧୧ ମସିହାରେ ସ୍ଥାପିତ ଏହି ପ୍ରାଥମିକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରେ ୮୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ପାଂଚଟି ଶ୍ରେଣୀ ପାଇଁ ଦୁଇଟି ଗୃହ ଉର୍ଦ୍ଦିଷ୍ଟ ଥିବା ବେଳେ ୫ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ଏହା ମଧ୍ୟରେ ୧୦୮ ବର୍ଷ ଅତିକ୍ରମ କରିଯାଇଥିଲେ ସୁଦ୍ଧା ବିଦ୍ୟାଳୟଟିର ଶୈକ୍ଷିକ ପରିବେଶରେ ଉନ୍ନତି ନ ହେବା ବଡ଼ ଦୁଃଖ ଓ ଅନୁତାପର ବିଷୟ । ଦୁଇଟି ଗୃହରେ ପାଂଚଟି ଶ୍ରେଣୀର ପାଠ ପଢା କିପରି ·ଲୁଛି ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ନିତ କରିବା ସହ ଏଠାରେ କିପରି ଅଧ୍ୟାପନା କାର୍ଯ୍ୟ ସଂପାଦନ ହେଉଥିବ ତାହା ସହଜରେ ଅନୁମେୟ । ଗୋଟିଏ କୋଠରୀରେ ୩ଟି ଶ୍ରେଣୀ ଓ ଅନ୍ୟ କୋଠରୀରେ ୨ଟି ଶ୍ରେଣୀର ପାଠପଢା ଚାଲିଛି । ଦୁଇଟି ଗୃହ ଅଛି ସତ କିନ୍ତୁ ତାର ଅବସ୍ଥା କହିଲେ ନ ସରେ । ବର୍ଷା ହେଲେ ଛାତରୁ ପାଣି ଗଳିବା ସହ ଠାଏଁ ଠାଏଁ ଏହା ଫାଟି ବିପଦ ସଙ୍କୁଳ ଅବସ୍ଥାରେ ଅଛି । ବିଦ୍ୟାଳୟଟିର ସ୍ଥାୟୀ ପାଚେରୀ ସଂପୂର୍ଣ୍ଣ ହୋଇ ନଥିବାରୁ ଓ ଏହା ସମ୍ମୁଖରେ ରାସ୍ତା ଯାଇଥିବା ସହ ବିଦ୍ୟାଳୟ ପରିସରରେ ଏକ ପୋଖରୀ ଥିବାରୁ ଏହା ମଧ୍ୟ କୋମଳମତି ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ବିଦ୍ୟାଳୟ କାର୍ଯ୍ୟାଳୟଟି ମଧ୍ୟ ବିପଦ ସଙ୍କୁଳ ଅବସ୍ଥାରେ ଦଣ୍ଡାୟମାନ । କାନ୍ଥ ସବୁ ଫାଟି ଯାଇଥିବାରୁ ଏହା ମଧ୍ୟରେ ବିଶଧର ସାପ ରହୁ ଥିବାର ଦୃଷ୍ଟି ଗୋଚର ହେଉଛି । ଶ୍ରେଣୀ ଗୃହ ଅଭାବରୁ ସାଂସଦଙ୍କ ପାଣ୍ଠିରୁ ଅନୁମୋଦିତ କମ୍ପ୍ୟୁଟର ଅଫିସ ଗୃହରେ ବିପଦ ସଂକୁଳ ଅବସ୍ଥାରେ ବ୍ୟବହାର ଯୋଗ୍ୟ ହୋଇ ନପାରି ଖତ ଖାଉଛି । ସର୍ବ ଶିକ୍ଷା ଅଭିଯାନ ମାଧ୍ୟମରେ ମିଳିଥିବା ରୋଷେଇ ଗୃହ ଅବସ୍ଥା କହିଲେ ନସରେ । ବର୍ଷାହେଲେ ବାହାରେ ରୋଷେଇ କାର୍ଯ୍ୟ ସଂପାଦନା ହେଉଛି । ସ୍ଥାୟୀ ପାଚେରୀ ନଥିବାରୁ ବୁଲା ଗୋରୁଗାଈଙ୍କର ଅବାଧ ପ୍ରବେଶ ହେଉଥିବାରୁ ଅଧିକାଂଶ ସମୟରେ ଏହାର ଶୈକ୍ଷିକ ପରିବେଶ ନଷ୍ଟ ହେବାରେ ଲାଗିଛି । ବିଦ୍ୟାଳୟ ପରିସରରେ ପରିତ୍ୟକ୍ତ ଗୃହ ମଧ୍ୟ ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ଏହି ଗୃହକୁ ଭାଙ୍ଗିବାର କୈାଣସି ସୁବନ୍ଦୋବସ୍ତ ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ । ତେଣୁ ଏତେ ପୁରାତନ ବିଦ୍ୟାଳୟଟିରେ ଏହିପରି ଅବ୍ୟବସ୍ଥା ଯଦି ଲାଗି ରହେ ତେବେ ଏହା ନିଶ୍ଚିନ୍ତ ଭାବେ କୋମଳମତି ଛାତ୍ରଛାତ୍ରୀଙ୍କ ଉପରେ କୁପ୍ରବାହ ପକାଇବ ଏଥିରେ ଦ୍ୱିମତ ନାହିଁ ବୋଲି ବୁଦ୍ଧିଜୀବିମାନେ ମତ ପ୍ରକାଶ କରୁଛନ୍ତି । ବିଭାଗୀୟ ଅଧିକାରୀମାନେ ବିଭିନ୍ନ ସମୟରେ ବିଦ୍ୟାଳୟ ପରିଦର୍ଶନରେ ଆସି ସମସ୍ୟା ବିଷୟରେ ଅନୁଧ୍ୟାନ କରି କୈାଣସି କାର୍ଯ୍ୟନୁଷ୍ଠାନ ଆଜି ପର୍ଯ୍ୟନ୍ତ ନେଉ ନଥିବାର ଜଣାପଡ଼ିଛି । ବିଦ୍ୟାଳୟଟିର ସମସ୍ୟା ବିଷୟରେ ପ୍ରଧାନ ଶିକ୍ଷକଙ୍କୁ ଯୋଗଯୋଗ କରିବାରୁ ସେ ବିଦ୍ୟାଳୟଟିର ସମସ୍ୟା ବିଷୟରେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବାର ଆମ ପ୍ରତିନିଧିଙ୍କୁ କହିଛନ୍ତି । ଶିକ୍ଷା ବ୍ୟବସ୍ଥାରେ ଏହିପରି ପ୍ରହସନ ଆଉ କେତେ ଦିନ ବୋଲି ସାଧାରଣ ଲୋକମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ସବୁ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Related Posts

About The Author

Add Comment