ବସ୍ତି ଉଚ୍ଛେଦ ବିରୁଦ୍ଧରେ ବିକ୍ଷୋଭ

Spread the love

ଭୁବନେଶ୍ୱର, ୯/୬,(ସନ୍ଧାନ ନିୟୁଜ୍)- ଓଡ଼ିଶା ଆଦିବାସୀ ଅଧିକାର ମଂଚ ଏବଂ ବସ୍ତି ବାସିନ୍ଦା ମହାସଂଘ ତରଫରୁ ବିନା ଥଇଥାନରେ ବସ୍ତି ଉଚ୍ଛେଦ ବନ୍ଦ କରିବା, ଜଙ୍ଗଲ ଅଧିକାର ଆଇନ୍ରେ ଆଦିବାସୀ ଏବଂ ପାରମ୍ପରିକ ଜଙ୍ଗଲ ଅଧିବାସୀଙ୍କୁ ଅଧିକାର ଦେବା, ଜଙ୍ଗଲ ଜମିର ବେଆଇନ୍ ହସ୍ତାନ୍ତର ବିରୁଦ୍ଧରେ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବା, ପୂର୍ବରୁ ଭଙ୍ଗା ଯାଇଥିବା ବସ୍ତିଘରର କ୍ଷତିପୂରଣ ଦେବା ପ୍ରମୁଖ ଦାବିରେ ସ୍ଥାନୀୟ ଜାଭିୟରଛକସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ର ଫାଟକ ନିକଟରେ ଏକ ବିକ୍ଷୋାଭ ସଂଗଠିତ ହୋଇଯାଇଛି । ସ୍ଥାନୀୟ ଉପଜିଲ୍ଲାପାଳ ଭୁବନେଶ୍ୱର ଏବଂ ବି.ଏମ୍.ସି. କମିଶନରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସମଗ୍ର ସାଲିଆ ସାହି ଜଙ୍ଗଲ ଜମିରେ ଥିବାରୁ ବହୁ ବର୍ଷ ଧରି ଉନ୍ନୟନ କାମ ହେଉନଥିଲା । କିନ୍ତୁ ସେହି ସଂରକ୍ଷିତ ଜଙ୍ଗଲ ଜମିରୁ ପ୍ରାୟ ୫ ଏକର ଜମି କେଉଁଭଳି ଭାବରେ ଓଡ଼ିଶୀ ଗବେଷଣା କେନ୍ଦ୍ର ନାମକ ସଂସ୍ଥାକୁ ଦିଆଯାଇଛି । କିନ୍ତୁ ବସ୍ତିବାସିନ୍ଦା ଥଇଥାନ ବେଳେ ସରକାର ଜଙ୍ଗଲ ଜମି ହିଁ ବାଧକ ବୋଲି  କହୁଛନ୍ତି । ୧୮୮୨ ମସିହା ପରେ କୌଣସି ଜଙ୍ଗଲ ଜମି ଅଣ ଜଙ୍ଗଲ କିିସମରେ ପରିବର୍ତନକୁ କଟକଣା କରାଯାଇଛି । ଏହା ସତ୍ୱେ କେଉଁଭଳି ଭାବରେ ଜି.ଏ. ଡ଼ିପାର୍ଟମେଂଟ ଓଡ଼ିଶୀ ଗବେଷଣାକୁ ଜମି ଦେଲେ ତାହା ବସ୍ତିବାସିନ୍ଦାଙ୍କୁ ଆଶ୍ଚର୍ଯ୍ୟ କରିଛି । ଯଦି ଜି.ଏ., ବି.ଡି.ଏ. ଜମି ଦେଇପାରୁଛନ୍ତି, ତାହେଲେ ବସ୍ତିବାସିନ୍ଦାଙ୍କୁ କାହିଁକି ଥଇଥାନ କରୁନାହାଁନ୍ତି । ଯଦି ଜଙ୍ଗଲ କିସମ ଜମି, ତାହାହେଲେ ସହରାଂଚଳରେ ଜଙ୍ଗଲ ଅଧିକାର ଆଇନ୍ ଲାଗୁ ପାଇଁ ଥିବା ଗାଇଡ୍ ଲାଇନ୍କୁ ସରକାର କାହିଁକି ପାଳନ କରୁନାହିଁ । ବର୍ତମାନ ଓଡ଼ିଶୀ ଗବେଷଣା କେନ୍ଦ୍ର ମଉକା ଦେଖି ଗୋଟିଏ ଗୋଟିଏ ଘର ଭାଙ୍ଗୁଛି । ବସ୍ତିବାସିନ୍ଦାମାନଙ୍କୁ ରାଜୀବ ଆବାସ ମାଧ୍ୟମରେ ଥଇଥାନ କରିବାର ଯୋଜନା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ।  ବସ୍ତିବାସିନ୍ଦାଙ୍କ ଠାରୁ ଇଂଚେ ଜମି ଛାଡ଼ାଇବାକୁ ମଧ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ବିକ୍ଷୋଭରେ ଘୋଷଣା କରାଯାଇଛି । ରାଜ୍ୟ ସରକାର ରାଜ୍ୟର ସମସ୍ତ ମୁନିସପାଲିଟି ଏବଂ ଏନ୍ଏସି ଅଂଚଳରେ ଘରଡ଼ିହ ପଟ୍ଟା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଭୁବନେଶ୍ୱର ଏବଂ ସେହିଭଳି ମହାନଗର ଅଂଚଳରେ ପଟ୍ଟା ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି । ଜମିର ଅଧିକାର ଲଢେଇକୁ ଦୃଢତର କରାନଗଲେ ବସ୍ତିବାସିନ୍ଦାଙ୍କର ଅଧିକାର ରକ୍ଷା କରାଯାଇ ପାରିବ ନାହିଁ । ଏହି ବିକ୍ଷୋଭରେ ଓଡ଼ିଶା ଆଦିବାସୀ ଅଧିକାର ମଂଚର ରାଜ୍ୟ ସମ୍ପାଦକ ସାଲ ମାର୍ଣ୍ଡି, ବସ୍ତିବାସିନ୍ଦା ମହାସଂଘର ସ୍ଥାନୀୟ ଆବାହକ ଜୟଦେବ ନାୟକ, ରଘୁନାଥ ନାଥ, ଶ୍ରମିକ ନେତା ବିକ୍ରମ ନାୟକ, ପ୍ରଭାତ ପାଣିଗ୍ରାହୀ, ଆଦିବାସୀ ଅଧିକାର ମଂଚର ସଭାପତି ଡ଼ମ୍ବୁରୁ ସୋରେନ, ସମ୍ପାଦକ ରବୀନ୍ଦ୍ର ଟୁଡୁ, ବାସିଆ ମୁର୍ମୁ, ରାଜୁ ହାଁସଦା ପ୍ରମୁଖ ଯୋଗଦେଇ ବସ୍ତିବାସିନ୍ଦାଙ୍କୁ ବିନା ଥଇଥାନରେ ଉଚ୍ଛେଦ କରାଗଲେ ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ବୋଲି ମତପ୍ରକାଶ ପାଇଛି । ବିକ୍ଷୋଭ ପୂର୍ବରୁ ସ୍ଥାନୀୟ ଜାଭିୟର ବସ୍ତିରୁ ପଟୁଆର ବାହାରି ଓଡ଼ିଶୀ ଗବେଷଣା କେନ୍ଦ୍ର ନିକଟରେ ପହଂଚିଥିଲା ।

Related Posts

About The Author

Add Comment