ବାରିପଦା ୨୪/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା);- ଶିମିଳିପାଳ ଜୈବମଣ୍ଡଳ ତଥା ଅଭ୍ୟୟାରଣ୍ୟ ଏବେ କେତେକ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ ଆୟର ଉତ୍ସ ପାଲଟିଛି । ଶିମିଳିପାଳର ସୁରକ୍ଷା ନାମରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ପଇଁ ବାଟ ଖୋଲି ଦିଆଯାଇଛି । ଯାହାକୁ ନେଇ ଜିଲ୍ଲା ଦଳିତ ଆଦିବାସୀ ମହାସଂଘ ସ୍ୱର ଉତୋଳନ କରିବା ସହିତ ବିଭିନ୍ନ ପ୍ରସଙ୍ଗରେ ତଦନ୍ତ ପାଇଁ ବିଭାଗୀୟ ସଚିବଙ୍କ ନିକଟରେ ଦାବି ଜଣାଇଛି । କରୋନା ମହାମାରୀ ଅର୍ଥବ୍ୟବସ୍ଥା ଗୁରୁତର ବାବେ ପ୍ରଭାବିତ କରିଛି । ଏମିତି ସମୟରେ ଖୋଦ୍ ପ୍ରଧାନମନ୍ତ୍ରୀ ସରକାରୀ ହେଉ ବା ବେସରକାରୀ ଅନିଷ୍ଠାନର କର୍ମଚାରୀମାନଙ୍କୁ ଛଟେଇ ନକରିବା ଏପରିକି ବେତନ ପ୍ରଦାନରେ କୌଣସି ପ୍ରକାର ଅବହେଳା ନକରିବା ପାଇଁ ନିବେଦନ କରିଛନ୍ତି । ମାତ୍ର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଏସଟିଆର୍) କାର୍ଯ୍ୟାଳୟ ପକ୍ଷରୁ ଏହି ନିବେଦନକୁ ଆଦୌ ଗୁରୁତ୍ୱ ଦିଆଯାଇନି ।
ଅଭିଯୋଗ ମୁତାବକ ଏସଟିଆର ଅଧୀନ ଡୁକୁରା ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ ଗତ ୨୦୧୯ ମସିହା ଅକ୍ଟୋବର ମାସରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ସୁରକ୍ଷା ପାଇଁ ୨୨ ଜଣଙ୍କୁ ପିଏ (ବନ ସୁରକ୍ଷା କର୍ମଚାରୀ) ଭାବେ ନିଯୁକ୍ତି ପାଇଁ ଚୟନ କରାଯାଇଥିଲା । ପରେ ପରେ କରୋନା ଭଳି ଘଡସନ୍ଧି ମୂହୁର୍ତରେ ବିନା ବିଜ୍ଞପ୍ତିରେ ପୂର୍ବରୁ ମନସା କାମରେ ଦୀର୍ଘ ୭ରୁ୧୩ ବର୍ଷର ଅଭିଜ୍ଞତା ଥିବା ୨୭ ଜଣ କର୍ମଚାରୀଙ୍କୁ ଗତ ଜୁନ୍ ମାସରେ ଉକ୍ତ ପଦରୁ ଛଟେଇ କରିଦିଆଗଲା । ନିୟମ ମୁତାବକ ଅଭିଜ୍ଞତା ତଥା ଶିମିଳିପାଳ ବିଭିନ୍ନ କ୍ଷେତ୍ର ସହିତ ପରିଚିତ ଥିବା ବ୍ୟକ୍ତିଙ୍କୁ ଏହି ପଦ ପାଇଁ ଅଗ୍ରାଧିକାର ଦେବାକୁ ଥିବା ବେଳେ ନିୟମକୁ ଡୁକୁରା ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ ସମ୍ପୂର୍ଣ୍ଣ ଅଣଦେଖା କରିଛନ୍ତି । ଏହାର ପ୍ରତିବାଦରେ କିଛି ଦିନ ପୂର୍ବେ ଛଟେଇ କର୍ମଚାରୀମାନେ ନ୍ୟାୟ ଦାବିରେ ଏସଟିଆରର ଉପନିଦେ୍ର୍ଦଶକ ଯଜ୍ଞଦତ ପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଦଲିତ ଆଦିବାସୀ ମହାସଂଘ ମଧ୍ୟ ଏହାକୁ ସମର୍ଥନ ଜଣାଇଥିଲା । ମାତ୍ର ଶ୍ରୀ ପତି ସରକାରଙ୍କ ପକ୍ଷରୁ ଅନୁଦାନ ମିଳୁନଥିବା କହି ନିଜମୁଣ୍ଡରୁ ଦୋଷ କାଢି ଦେଇଥିଲେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି ନୂତନ ଭାବେ ବନ ସୁରକ୍ଷା କର୍ମଚାରୀ ନିଯୁକ୍ତି ପାଇଥିବା ଦୁଇଜଣ କର୍ମଚାରୀ ଡୁକୁରା ବନ୍ୟପ୍ରାଣୀ ରେଞ୍ଜ ଅଧୀନ ଡେଙ୍ଗାମ ସେକ୍ସନରେ କାର୍ଯ୍ୟରତ ଥିବା ଦର୍ଶାଇ ଚଳିତ ଏପ୍ରିଲ ଏବଂ ମେ ମାସରେ ଦରମା ଉଠାଇଛନ୍ତି । ହେଲେ ବାସ୍ତବରେ ସଂପୃକ୍ତ କର୍ମଚାରୀମାନେ ଡେଙ୍ଗାମରେ ଯୋଗ ଦେଇନଥିବା ଅଭିଯୋଗ ହୋଇଛି । ତେବେ ପୂରା ଘଟଣାକ୍ରମକୁ ଡୁକୁରା ବନ୍ୟାପ୍ରାଣୀ ରେଞ୍ଜ ଅଧିକାରୀ ଅନନ୍ତ କୁମାର ଜେନା ଖଣ୍ଡନ କରିଛନ୍ତି । ଏପଟେ ରେଞ୍ଜ ପକ୍ଷରୁ କରାଯାଉଥିବା ଦୁର୍ନୀତି ସମ୍ପର୍କରେ ଦଳିତ ଆଦିବାସୀ ମହାସଂଘର ସଭାପତି ରାକେଶ ସିଂ ଏକ ଉଚ୍ଚସ୍ଥରୀ ତଦନ୍ତ ଦାବି କରି ବିଭାଗୀୟ ସଚିବ ମୋନା ଶର୍ମାଙ୍କୁ ଚିଠି ଲେଖିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକଷ୍ଟରେ ନିଜର ଅଭିଯୋଗ ରଖିଥିବା ଜଣାଯାଇଛି ।
ବନ କର୍ମଚାରୀ ନିଯୁକ୍ତିରେ ଦୁର୍ନୀତି
|
July 24, 2020 |
