ବଡ଼ଦିନରେ କନ୍ଧମାଳ ଜିଲାବ୍ୟାପି ନାକାବନ୍ଦୀ, ଫ୍ଲାଗ ମାର୍ଚ୍ଚ ଓ କଡା ସୁରକ୍ଷା ବ୍ୟବସ୍ଥା

Spread the love

କନ୍ଧମାଳ,25/12.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ବଡ଼ଦିନ ପାଇଁ ୨୪ ତାରିଖ ମଧ୍ୟ ରାତ୍ରରେ ବିଭିନ୍ନ ଚର୍ଚ୍ଚରେ ବିିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହେଉଥିବାରୁ ପ୍ରବଳ ଶୀତରେ ମଧ୍ୟ ଖ୍ରୀଷ୍ଟ ଧର୍ମାବଲମ୍ବୀ ଅଧିବାସୀମାନେ କୋଭିଡ଼୍‍ ନିୟମ ପ୍ରକାରେ ଚର୍ଚ୍ଚରେ ସନ୍ଧ୍ୟାରୁ ଭିଡ ଜମାଇଲେଣି। ଗୋଟିଏ ପଟେ ହାଡ଼ଭଙ୍ଗା ଶୀତ ଅନ୍ୟପଟେ ବଡ଼ଦିନକୁ ଶୃଙ୍ଖଳିତ କରିବାକୁ ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛି। ବଡଦିନକୁ ଶୃଙ୍ଖଳିତ କରିବାକୁ ଜିଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ସମଗ୍ର ଜିଲାକୁ ନାକାବନ୍ଦୀ କରାଯାଇଛି। ଚଳିତ ବର୍ଷ କରୋନା ମହାମାରୀ କାରଣରୁ ବଡଦିନ ଫିକା ରହିବା ନିଶ୍ଚିତ। ଜିଲା ପ୍ରଶାସନ ପକ୍ଷରୁ ଗତ ୨୧ ତାରିଖରେ ଏଥିପାଇଁ ଏକ ଶାନ୍ତି କମିଟି ବୈଠକର ଆୟୋଜନ କରାଯାଇଥିଲା। ଖ୍ରୀଷ୍ଟୀୟ ସଂପ୍ରଦାୟଙ୍କ ନିବେଦନ କ୍ରମେ ଜିଲାପାଳ ଡଃ ବୃନ୍ଦା ଡି ଜିଲାର ବିଭିନ୍ନ ଚର୍ଚ୍ଚରେ ବଡ଼ଦିନ ପାଳନ ପାଇଁ ଅନୁମତି ପ୍ରଦାନ କରିଥିଲେ ହେଁ କଟକଣା ଜାରି କରାଯାଇଛି। ଚର୍ଚ୍ଚ ଭିତରେ ଆଲୋକସଜ୍ଜା ଏବଂ ଡାକବାଜି ଯନ୍ତ୍ର ବ୍ୟବହାର କରାଯାଇ ପାରିବ। କିନ୍ତୁ କୌଣସି ଶୋଭାଯାତ୍ରାକୁ ଅନୁମତି ମିଳିବ ନାହିଁ। ପର୍ବ ପାଳନ ସ୍ଥାନରେ ମାସ୍କ ଏବଂ ସାମାଜିକ ଦୂରତା, ସାନିଟାଇଜେସନ ଭଳି ସମସ୍ତ କୋଭିଡ କଟକଣାକୁ ପାଳନ କରାଯିବ। କୌଣସି ସଂକ୍ରମଣ ଜନିତ ରୋଗ ଭୋଗୁଥିବା ବ୍ୟକ୍ତି, ବୟସ୍କ, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ ପିଲାଙ୍କୁ ଏହି ସ୍ଥାନକୁ ଯିବାକୁ ଅନୁମତି ମିଳିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବିଦେଶରୁ ଫେରିଥିବା ଲୋକଙ୍କୁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସମସ୍ତ କଟକଣାକୁ ମାନି ଏହି ପର୍ବରେ ଅଂଶଗ୍ରହଣ କରିବାକୁ କୁହାଯାଇଛି। ସମଗ୍ର ଜିଲାରେ ଜିଲା ପ୍ରଶସାନ ଓ ପୁଲିସ୍‍ ପ୍ରଶାସନର ମିଳିତ ଭାବେ ଫ୍ଲାଗ ମାର୍ଚ୍ଚ କରୁଛନ୍ତି। ଗାଁ ଠାରୁ ସହର ସବୁଠି ଫ୍ଲାଗମାର୍ଚ୍ଚ। ଫୁଲବାଣୀ ପୌର ପରିଷଦ, ବାଲିଗୁଡ଼ା ଏନଏସି​ରେ ଫ୍ଲାଗ ମାର୍ଚ୍ଚ ହୋଇଛି। ବାରଖମା , ସୁଡ଼୍ରା , ବାଟାଗୁଡ଼ା ,ରୁତୁଙ୍ଗିଆ ,ସିନ୍ଦରିଗାଁ ଭଳି ଅନ୍ୟ କେତେକ ଅଞ୍ଚଳରେ ଥିବା ଶତାଧିକ ଚର୍ଚ୍ଚରେ ବଡ଼ଦିନ ପାଇଁ ସାଜସଜା ହୋଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ଏଥିରେ ବାଲିଗୁଡ଼ା ଉପଜିଲାପାଳ ଡ଼.ଶୁଭଙ୍କର ମହାପାତ୍ରଙ୍କ ସମେତ ଏସ୍‍.ଡ଼ି.ପି.ଓ ମାନସ ରଂଜନ ବାରିକ ,ଡ଼ିଏସ୍‍ପି ଅଭିନବ ଶଙ୍କର ,ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା , ତହସିଲଦାର ଶସାଙ୍କ ଶେଖର ପାତ୍ର , ବିଡ଼ିଓ ଜଗଦୀଶ ପ୍ରସାଦ ଷଡ଼ଙ୍ଗୀ ପ୍ରମୁଖ ଫ୍ଲାଗମାର୍ଚ୍ଚରେ ସାମିଲ ହୋଇଛନ୍ତି। ଦାରିଙ୍ଗବାଡ଼ି ପୁଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଦାରିଙ୍ଗବାଡି ଥାନା ଅଧିକାରୀ କୈାଶିକ ମାଝୀଙ୍କ ତତ୍ତ୍ବାବଧାନରେ ଫ୍ଲାଗ ମାର୍ଚ୍ଚ କରାଯାଇଛି। ବଡ଼ ଦିନପୁର୍ବରୁ ଗତ ରବିବାର ଠାରୁ ଦାରିଙ୍ଗବାଡ଼ି ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ବଡ଼ଦିନ ଉପଲକ୍ଷେ ସ୍ଥାନେ ସ୍ଥାନେ ନାକାବନ୍ଦୀ କରାଯାଇଛି। ସମଗ୍ର ଜିଲରେ ୩୨ ପ୍ଳାଟୁନ୍‍ ପୋଲିଓ୍‍ ଫୋର୍ସ ସହିତ ୨ କମ୍ପାନି ସିଆରପିଏଫ୍‍ ଜବାନ ସହିତ ୭୧ ଜଣ ପୁଲିସ୍‍ ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଛି।

Related Posts

About The Author

Add Comment