ବଡଦିନ ଓ ନୂଆବର୍ଷ ପାଇଁ ହେବ ସ୍ବତନ୍ତ୍ର ବ୍ଯବସ୍ଥା, କେବଳ ସିଂହଦ୍ଵାର ଦେଇ ଭକ୍ତ କରିବେ ପ୍ରବେଶ

Spread the love

ପୁରୀ  ୧୭/୧୨/୨୫ (ସନ୍ଧାନ ନ୍ୟୁଜ ): ଆସନ୍ତା ବଡଦିନ ଓ ନୂଆବର୍ଷରେ ଶ୍ରୀମନ୍ଦିରରେ ଭକ୍ତମାନଙ୍କ ପାଇଁ ହେବ ସ୍ବତନ୍ତ୍ର ବ୍ଯବସ୍ଥା। ମଙ୍ଗଳବାର ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କେବଳ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ଭକ୍ତମାନେ ପ୍ରବେଶ କରିବେ ଏବଂ ଅନ୍ୟ ତିନି ଦ୍ଵାର ଦେଇ ପ୍ରସ୍ଥାନ କରିବେ ବୋଲି ନିଷ୍ପତ୍ତି ହୋଇଛି। ଶ୍ରଦ୍ଧାଳୁମାନଙ୍କ ଶ୍ରୀଜିଉ ଦର୍ଶନ ସୁବିଧା ପାଇଁ ଏହା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ମଙ୍ଗଳବାର ପୁରୀ ସର୍କିଟ ହାଉସ୍‌ଠାରେ ଅନୁଷ୍ଠିତ ପ୍ରଶାସନିକ ପ୍ରସ୍ତୁତି ବୈଠକରେ ଏସ୍‌ପି ପ୍ରତୀକ ସିଂ ଯୋଗଦେଇଥିଲେ । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ଅନ୍ୟ ଦିନମାନଙ୍କ ଅପେକ୍ଷା ବଡଦିନ ଓ ନୂଆବର୍ଷରେ ଛୁଟି ଦିନ ପଡୁଥିବାରୁ ବ୍ୟାପକ ଗହଳିର ହେବାର ସମ୍ଭାବନା ବୋଲି କହିଥିଲେ। ତେଣୁ ଆଇନ ଶୃଙ୍ଖଳା ରକ୍ଷା, ପାର୍କିଂ ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ, ଧାଡିରେ ଥିବା ଶ୍ରଦ୍ଧାଳୁଙ୍କୁ ନିୟନ୍ତ୍ରଣ, ସମୁଦ୍ର କୂଳରେ ସୁରକ୍ଷା ବ୍ୟବସ୍ଥା ଇତ୍ୟାଦି ପାଇଁ ପୋଲିସ କଡା ପଦକ୍ଷେପ ନେଇଛନ୍ତି। ଶ୍ରଦ୍ଧାଳୁଙ୍କୁ ସୂଚନା ପ୍ରଦାନ ଓ ସଚେତନତା ପାଇଁ ସାଇନଏଜ ବିଭିନ୍ନ ସ୍ଥାନରେ ଲଗାଯିବ ବୋଲି ସୂଚନା ରହିଛି ।  ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା ହୋଇଥିବାରୁ ପାନୀୟ ଜଳ ପ୍ରଦାନ ବ୍ୟବସ୍ଥା ମନ୍ଦିର ଭିତରେ ଓ ବାହାରେ କରାଯିବ। ଅଗ୍ନିଶମ ବିଭାଗ ପକ୍ଷରୁ କୌଣସି ଦୁର୍ଘଟଣା ପାଇଁ ପ୍ରସ୍ତୁତ ରହିବା, ସମୁଦ୍ର ନିକଟରେ ଆନୁସଙ୍ଗିକ ସୁରକ୍ଷା ବ୍ୟବସ୍ଥା, ଲାଇଫଗାର୍ଡ ମୁତୟନ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।  ସେହିପରି ଏହି ଦୁଇ ଦିନ ମନ୍ଦିର ନୀତିକାନ୍ତି ସଠିକ ସମୟରେ ପରିଚାଳନା ପାଇଁ ଜିଲ୍ଲାପାଳ ଶ୍ରୀମନ୍ଦିର ପ୍ରଶାସନକୁ ପରାମର୍ଶ ଦେଇଥିଲେ ଯାହା ଫଳରେ ସାଧାରଣ ଦର୍ଶନ ଶୀଘ୍ର ହୋଇ ପାରିବ।

Related Posts

About The Author

Add Comment