କେନ୍ଦ୍ର ଖାଦ୍ୟ ସୁରକ୍ଷା ଯୋଜନାକୁ ଯଦି ଏହାର ନିୟମାନୁସାରେ ଲାଗୁ କରାଯାଇ ହିତାଧିକାରୀ ଚୟନ ହୋଇଥା’ନ୍ତା-ତେବେ ରାଜ୍ୟର ଗୋଟିଏ ପରିବାର ମଧ୍ଯ ଏଥିରୁ ବଞ୍ଚିତ ହେବାର ସମ୍ଭାବନା ହିଁ ନ ଥିଲା ! ମାତ୍ର ଓଡ଼ିଶାରେ ଦୀର୍ଘ ୧୯ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଶାସନ କରୁଥିବା ଭ୍ରଷ୍ଟ ନେତୃତ୍ବ ଓ ତା’ର ସ୍ଥାନୀୟ ଜନ ପ୍ରତିନିଧିମାନଙ୍କ ଦ୍ବାରା ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇ ଦଳୀୟ ଭିତ୍ତିରେ ହିତାଧିକାରୀ ଚୟନ ହେବା କାରଣରୁ ଭିକ୍ଷାବୃତ୍ତି କରି ପରିବାର ପ୍ରତିପୋଷଣ କରୁଥିବା ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକର ସୁନ୍ଦରିଆ ପଞ୍ଚାୟତ ଅନ୍ତର୍ଗତ ସାରୋଇ ଗ୍ରାମର ଅନୂସୁଚିତ ଜାତି ବର୍ଗର ଭିନ୍ନକ୍ଷମ ବୃଦ୍ଧ ତୋଫାନ ମଳିକଙ୍କ ପରିବାର ଭଳି ରାଜ୍ୟର ହଜାର ହଜାର ପରିବାର ହୁଏତ ଏଭଳି ଏକ ଗରିବ କଲ୍ୟାଣ ଯୋଜନାରୁ ବାଦ ପଡ଼ି ନ ଥା’ନ୍ତେ ! ତୋଫାନଙ୍କ ପତ୍ନୀ ଓ ଗୋଟିଏ ଝିଅ ମଧ୍ୟ ଭିନ୍ନକ୍ଷମ ଅଟନ୍ତି ! ଏହାପରେ ବି ବାହାବା ନେବା ପାଇଁ ବାହାଦୁରି ମାରି ମୁଖ୍ୟମନ୍ତ୍ରୀ ‘ଜଣେ ବି ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ମୁଁ ଦେବି ନାହିଁ’ ନାରା ଦେଇ ନିଜସ୍ୱ ସମ୍ବଳରେ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରି ଏବେ କୁଆଡ଼େ ୧୬ଲକ୍ଷ ଲୋକଙ୍କୁ ଏହି ଯୋଜନାରେ ସାମିଲ କରିଥିବା ନେଇ ପ୍ରଚାର କରୁଛନ୍ତି ! କିନ୍ତୁ ବାସ୍ତବତା ହେଉଛି-ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡ଼ିଥିବା ତୋଫାନ ମଳିକଙ୍କ ପରିବାର ଏବେ ବି ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ହୋଇ ପାରିନାହାଁନ୍ତି ! ଅପରନ୍ତୁ ତୃତୀୟ ମହଲାର ଅତିପ୍ରିୟ ଦାତା ସାଜିଥିବା ଧର୍ମଶାଳା ବିଧାୟକଙ୍କ ଆଗଚଲା ରହି ଆସିଥିବା ସେହି ସାରୋଇ ଗ୍ରାମର କୋଟିପତି ପରିବାର ସବୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ସାଜି ନିୟମିତ ଖାଦ୍ୟଶସ୍ୟ ନେଇ ଚାଲିଛନ୍ତି ! ଏହା ନବୀନ ପଟ୍ଟନାୟକ ସରକାରଙ୍କ ରାଜ୍ୟର ଗରିବଙ୍କ ପ୍ରତି ତାଚ୍ଛଲ୍ୟର ଏକ ନଗ୍ନ ନମୁନା ନୁହେଁ କି ?
Udaynath Sahoo
chandikhole Jajpur


