ପୁରୀ 10/04 (ସନ୍ଧାନ ନିଉଜ ) ପୁଣି ବିବାଦ ଘେରରେ ଶ୍ରୀକ୍ଷେତ୍ର ତଥା ଓଡ଼ିଶାର ସର୍ବପୁରାତନ ସବୁଠାରୁ ଧନୀ ମଠ ଏମାର ମଠ । ମଠର ପରିଚାଳନା ଦାୟିତ୍ୱ ହସ୍ତାନ୍ତରକୁ ନେଇ ସୃଷ୍ଟି ହୋଇଛି ତୀବ୍ର ବିବାଦ । ସରକାରଙ୍କ ଦ୍ୱାରା ଗଠିତ ଅସ୍ଥାୟୀ ଟ୍ରଷ୍ଟବୋର୍ଡର ଜଣେ ସଦସ୍ୟଙ୍କୁ ମଠର ପରିଚାଳନା ଦାୟିତ୍ୱ ହସ୍ତାନ୍ତର ପାଇଁ ପ୍ରଶାସନର ନିର୍ଦ୍ଦେଶକୁ ମଠର ବିବାଦୀୟ ମଠାଧୀଶ ରାଜଗୋପାଳ ରାମାନୁଜ ଦାସ ରୋକଠୋକ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଦାୟିତ୍ୱ ହସ୍ତାନ୍ତର ପାଇଁ ଶୁକ୍ରବାର ପୁଲିସ ସହ ପ୍ରଶାସନିକ ଅଧିକାରୀମାନେ ପହଞ୍ଚିଥିଲେ ମଧ୍ୟ ମହନ୍ତ ଏଥିରେ ରାଜି ହୋଇନଥିଲେ । ଟ୍ରଷ୍ଟବୋର୍ଡର ସଦସ୍ୟ ଉତ୍ତରପାଶ୍ୱର୍ ମଠର ମହନ୍ତ ନାରାୟଣ ରାମାନୁଜ ଦାସଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ମହନ୍ତ ରାଜି ହୋଇନଥିଲେ ।
ଦେବୋତ୍ତର ବିଭାଗର ନିଷ୍ପତ୍ତି ଅନୁଯାୟୀ ବିବାଦୀୟ ମହନ୍ତ ଗୋପାଳ ରାମାନୁଜ ଦାସଙ୍କୁ ଅବ୍ୟାହତି ଦିଆଯାଇ ତାଙ୍କ ସ୍ଥାନରେ ନୂତନ ଟ୍ରଷ୍ଟବୋର୍ଡର ଟ୍ରଷ୍ଟି ମହନ୍ତ ନାରାୟଣ ରାମାନୁଜ ଦାସଙ୍କୁ ଦାୟିତ୍ୱ ଦିଆଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ମଠର ମହନ୍ତ ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟାରେ ସହଯୋଗ ନକରିବାରୁ ପୁଲିସ ଓ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ମଠର ତାଲା ଭଙ୍ଗାଯାଇ ନୂତନ ଟ୍ରଷ୍ଟବୋର୍ଡକୁ ଦାୟିତ୍ୱ ଦିଆଯାଇଛି । ମଠର ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ଏଭଳି ଦାୟିତ୍ୱ ହସ୍ତାନ୍ତର ବେଆଇନ ବୋଲି କହିଛନ୍ତି ମଠର ମହନ୍ତ ଓ ମଠ ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ ରାଜେଶ ରଣା । ମଠର ମହନ୍ତ ବିଭିନ୍ନ କୋଠରୀର ଚାବି ନଦେବାରୁ ଏଣ୍ଡାଓମେଣ୍ଟ ଇନ୍ସ୍ପେକ୍ଟର, ମାଜିଷ୍ଟ୍ରେଟ୍ ଓ ପୁଲିସ ଉପସ୍ଥିତିରେ ଚାବି ଭଙ୍ଗାଯାଇ ମଠର ଆସବାବପତ୍ର, ସିନ୍ଧୁକ ଓ ସମ୍ପତ୍ତିର ଗଣତି କରାଯାଇଛି । ଏହି ଗଣତି ସମୟରେ ଟ୍ରଷ୍ଟିଙ୍କ ସହ ୪ଜଣ ଟ୍ରଷ୍ଟବୋର୍ଡ ସଦସ୍ୟ, ଏଣ୍ଡାଓମେଣ୍ଟ ଇନ୍ସ୍ପେକ୍ଟର, ସିଟି ଡିଏସ୍ପି ଓ ୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ଥିଲେ ।
ସୂଚନାଯୋଗ୍ୟ, ୨୦୧୧ ମସିହାରେ ମଠରୁ ୫୨୨ଖଣ୍ଡ ରୁପାଇଟା ଯାହାର ଆନୁମାନିକ ମୂଲ୍ୟ ୯୦କୋଟି ଟଙ୍କା ହେବ ଏକ ମୁଦା କୋଠରୀ ଭିତରୁ ବାହାରିବା ପରେ ମଠ ଚର୍ଚ୍ଚାକୁ ଆସିଥିଲା । ମଠର ମହନ୍ତ କିଛି ରୁପାଇଟା ବିକ୍ରୟ କରି ଗିରଫ ହେବା ପରେ ହାଇକୋର୍ଟରୁ ଜାମିନ ପାଇଛନ୍ତି । ମଠରୁ ଜବତ ହୋଇଥିବା ରୁପାଇଟା ଏବେ ପୁରୀ ପୁଲିସର ଆର୍ମୋରିରେ ରଖାଯାଇଛି । ରାମାନୁଜ ସମ୍ପ୍ରଦାୟ ଦ୍ୱାରା ପ୍ରତିଷ୍ଠିତ ଏହି ମଠ ସେହି ସମୟରୁ ବିବାଦଘେରରେ ରହିଆସିଛି । ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ନିରାପତ୍ତା କରିଡର୍ ନିର୍ମାଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ମଠର ବହୁ ପୁରାତନ ସୌଧ ଭଙ୍ଗାଯିବାବେଳେ ମଧ୍ୟ ପ୍ରବଳ ବିବାଦ ଉପୁଜିଥିଲା । ପ୍ରଶାସନ ପକ୍ଷରୁ ମଠର ସିଂହଦ୍ୱାର ସମ୍ମୁଖସ୍ଥ ଶତାଧିକ ବର୍ଷର ପୁରାତନ ତଥା ବହୁ ଦୁଷ୍ପ୍ରାପ୍ୟ ବିରଳ ପୁସ୍ତକ ଓ ପୋଥି ଗଚ୍ଛିତ ଥିବା ଐତିହ୍ୟସମ୍ପନ୍ନ ରଘୁନନ୍ଦନ ଲାଇବ୍ରେରୀକୁ ଭାଙ୍ଗି ଦିଆଯାଇଥିଲା । ଏହାକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଥିଲା । ତେବେ କଲି ମଧ୍ୟ କେଚି ରୂପ ନିର୍ମିତ ଅଳଙ୍କାର ମିଳିଛି ।
ମଠ ପରିସରରେ ଥିବା ଜରାଜୀର୍ଣ୍ଣ କୋଠରୀଗୁଡ଼ିକୁ ଭାଙ୍ଗି ଦିଆଯାଇଥିବାବେଳେ ମହନ୍ତ ରହୁଥିବା ପ୍ରକୋଷ୍ଠକୁ ଭଙ୍ଗାଯିବା ପାଇ ମହନ୍ତଙ୍କୁ ଏକ ଲୁହା ନିର୍ମିତ କଣ୍ଟେନର୍ରେ ରଖାଯିବାକୁ ନେଇ ବିବାଦ ଉପୁଜିଥିଲା । ମହନ୍ତ ନିଜ ପ୍ରକୋଷ୍ଠ ଛାଡ଼ି କଣ୍ଟେନର୍କୁ ନଯିବା ପାଇଁ ଜିଦ୍ ଧରିଥିଲେ । ମଠରୁ ରୁପାଇଟା ଜବତ ପରେ ମହନ୍ତଙ୍କୁ ପରିଚାଳନା ଦାୟିତ୍ୱରୁ ବାହାର କରିଦିଆଯାଇ ଏକ ଅସ୍ଥାୟୀ ବୋର୍ଡ ହାତରେ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ତେବେ ମଠାଧୀଶ ଏହି ବୋର୍ଡର ଅନ୍ୟତମ ସଦସ୍ୟ ଥିଲେ । ଏବେ ମଠର ଭଙ୍ଗା ଯାଇଥିବା ସ୍ଥାନରେ ଗଛ ଲଗାଯିବା ସହ ରାସ୍ତା ନିର୍ମାଣ କରାଯାଇଛି ।
ମଠର ପ୍ରବେଶ ଦ୍ୱାର ଓ ସମ୍ମୁଖ ଭାଗ ନିଶ୍ଚିହ୍ନ ହୋଇଯାଇଛି । ମଠରୁ ରୁପା ଇଟା ଉଦ୍ଧାର ଓ ସୁନା ରୁପା ହଡ଼ପ ନେଇ ମାମଲା ରୁଜୁ କରାଯିବା ସହ କେତେଜଣଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଏହି ମାମଲାର ସ୍ଥିତି ସନ୍ଦେହଘେରରେ ରହିଛି । ମଠରୁ ଜବତ ହୋଇଥିବା ରୁପା ଇଟା ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ସ୍ଥାନାନ୍ତର କରାଯିବା ପାଇଁ ଶ୍ରୀଜଗନ୍ନାଥ ସେନା ଦାବି କରିଆସୁଛି । ଏକଦା ଶ୍ରୀକ୍ଷେତ୍ରର ଏକ ଶ୍ରୀ ବୋଲି କୁହାଯାଉଥିବା ଏମାର ମଠ ଶ୍ରୀହୀନ ହୋଇ ଧ୍ୱଂସସ୍ତୂପ ଭଳି ପଡ଼ିରହିଛି । ରଘୁନନ୍ଦନ ଲାଇବ୍ରେରୀର ପୁସ୍ତକ ଓ ପୋଥିର ସୁରକ୍ଷା ନେଇ ମଧ୍ୟ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।