ଭୁବନେଶ୍ୱର ୦୪/୦୭ (ସନ୍ଧାନ ନିଉଜ) ପଦ୍ମଶ୍ରୀ ହଳଧର ନାଗଙ୍କ ବିରୋଧରେ ମେଲଛାମୁଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇଛି। ଶ୍ରୀ ନାଗଙ୍କ ବିରୋଧରେ ଥାନାରେ ଏହି ଏତଲା ଦେଇଛନ୍ତି ଘେଁସର ଆଇନଜୀବୀ କୁଞ୍ଜବିହାରୀ ସାହୁ। ଶ୍ରୀ ସାହୁଙ୍କ ଅଭିଯୋଗ ହେଲା, ତାଙ୍କ ଝିଅ ଦିଲ୍ଲୀରେ ସୁପ୍ରିମକୋର୍ଟରେ ଓକିଲାତି କରୁଛନ୍ତି। ଗତ ୧୩ ତାରିଖ ସେ ଘେଁସସ୍ଥିତ ବାସଭବନକୁ ଆସିଥିଲେ। ଏନେଇ ଶ୍ରୀ ସାହୁ ସରପଞ୍ଚ ଏବଂ ବିଡିଓଙ୍କୁ ଆଗୁଆ ସୂଚନା ଦେଇଥିଲେ। ଝିଅ ଫେରିବା ପରେ ତାଙ୍କୁ ହୋମ୍ କ୍ବାରାଣ୍ଟିନ୍ରେ ରଖାଯାଇଥିଲା। ୧୭ ତାରିଖ ତାଙ୍କ ସ୍ବାବ୍ ପରୀକ୍ଷା ପାଇଁ ପଠାଗଲା ଏବଂ ୧୯ ତାରିଖ ରିପୋର୍ଟରେ ତାହା ନେଗେଟିଭ୍ ଆସିଥିଲା। ହେଲେ ଶ୍ରୀ ନାଗ କିଛି ଲୋକଙ୍କୁ ମତାଇ ତାଙ୍କ ଘର ସମ୍ମୁଖକୁ ଆସି ପାଟିତୁଣ୍ଡ କରିଥିଲେ। ଝିଅକୁ ସଂଗରୋଧ କେନ୍ଦ୍ରରେ ରଖିବାକୁ ଦାବି କରିଥିଲେ। ୨୧ ତାରିଖରେ ଶ୍ରୀ ସାହୁଙ୍କ ଝିଅଙ୍କୁ ପୁଣି ସଂଗରୋଧ କେନ୍ଦ୍ରରେ ରଖାଗଲା। ଏହା ପରେ ଶ୍ରୀ ସାହୁ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ତାଙ୍କ ଝିଅକୁ ସେଠାରୁ ଉଦ୍ଧାର କରି ଘରକୁ ପଠାଇଥିଲା। ହେଲେ ଝିଅ ଅପମାନବୋଧ କରି ସେଠାରୁ ଦିଲ୍ଲୀ ପଳାଇଥିଲେ। ହଳଧର ନାଗଙ୍କ ଇଂଗିତରେ ତାଙ୍କ ପରିବାର ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଲା ଏବଂ ଏଥିରେ ସେମାନଙ୍କ ମାନହାନି ହୋଇଛି ବୋଲି ଶ୍ରୀ ସାହୁ ଗତ ୨୨ ତାରିଖରେ ଥାନାରେ ଏତଲା ଦେଇଥିଲେ। ୨୫ ତାରିଖରେ ଏହାକୁ ନେଇ ଏକ ମାମଲା ରୁଜୁ ହୋଇଛି। ଘଟଣା ବିଷୟରେ ଜିଲ୍ଲାପାଳ ଏବଂ ଏସ୍ପି ମଧ୍ୟ ଅବଗତ ଅଛନ୍ତି।
ପଦ୍ମଶ୍ରୀ ହଳଧର ନାଗଙ୍କ ବିରୋଧରେ ଥାନାରେ ମାମଲା ରୁଜୁ
|
July 4, 2020 |



