ପଥର ସମସ୍ୟାର ସାମାଧାନ ନିମନ୍ତେ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ଜିଲ୍ଲାପାଳ ଓ ଏସପିଙ୍କୁ ଦାବିପତ୍ର ପ୍ରଦାନ

Spread the love

ଯାଜପୁର, ୦୧/୧୦ (ସନ୍ଧାନ ନିଉଜ)  ଯାଜପୁର ଜିଲ୍ଲାର ପଥର କାରିଗରି ତଥା କାରିଗର ଜିଲ୍ଲା ତଥା ରାଜ୍ୟ ବାହରେ ବେଶ ସୁନାମ ଅର୍ଜନ କରିଛନ୍ତି । ଯାଜପୁର ଜିଲ୍ଲାର ଶିଳ୍ପୀ ଗ୍ରାମ ଶୁଖୁଆପଡା ସହ ପଲେଇ, କଳାଶ୍ରୀ, କଂପଗଡ, ଛତିଆ, ଚଣ୍ଡିଖୋଲ ଆଦି ଅଂଚଳରେ ସାତ ଶହରୁ ଉର୍ଦ୍ଧ ପଥରଶିଳ୍ପୀ ଏହି ହସ୍ତକଳାକୁ ପାଥେୟ କରି ନିଜର ଜୀବିକା ନିର୍ବାହ କରି ଆସୁଛନ୍ତି । ସୂଚନା ଥାଉକି, ଆମ ଜିଲ୍ଲାର ପ୍ରାୟ ପଥରଶିଳ୍ପୀ କାରିଗରି ପାଇଁ ସାହାଣ ପଥର ଉପରେ ନିର୍ଭର କରିଥାନ୍ତି । ହେଲେ ବଡ ପରିତାପର ବିଷୟ, କିଛି ବର୍ଷ ହେବ କାରିଗରି ପାଇଁ ପଥର ମିଳୁ ନଥିବାରୁ ଜିଲ୍ଲାର ପଥର ଶିଳ୍ପୀ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି । ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାର ତାପଙ୍ଗ ଅଂଚଳରୁ ପଥର ଆଣି ଆମ କାରିଗର ସେମାନଙ୍କ ଆବଶ୍ୟକତା ତୁଲାଇ ପାରୁଥିଲେ । ସରକାରୀ କଟକଣା ହେତୁ କିଛି ବର୍ଷ ହେବ ଏଠାରୁ ମଧ୍ୟ ପଥର ମିଳିପାରୁନି । ଯାଜପୁର ଜିଲ୍ଲାର ବଡଚଣା ବ୍ଳକ ଅନ୍ତର୍ଗତ ଚଣ୍ଡିଆ, ଅଚ୍ୟୁତ ବସନ୍ତ ଓ ଜହ୍ନିମୁଣ୍ଡି ପାହାଡରେ କାରିଗରି ଉପଯୁକ୍ତ ସାହାଣ ପଥର ରହିଛି । ହେଲେ ଲିଜ ନଥିବାରୁ ଏଠାରୁ କାରିଗର ପଥର ପାଇ ପାରୁ ନାହାନ୍ତି । ପଥର ଅଭାବ କାରଣରୁ ଅନେକ ପଥରଶିଳ୍ପୀ ଘରଛାଡି କାମ ସନ୍ଧାନରେ ବାହାର ରାଜ୍ୟକୁ ବାଧ୍ୟ ହୋଇ ପଳାଇ ଯାଉଛନ୍ତି ।
ଖାଲି ସେତିକି ନୁହେଁ, ମଝିରେ ମଝିରେ ପଥର କାରିଗରଙ୍କ ଉପରେ ପୋଲିସ, ରାଜସ୍ୱ ଓ ଜଂଗଲ ବିଭାଗର ଜୁଲମ ଜିଲ୍ଲାର ପଥର ଶିଳ୍ପୀଙ୍କୁ ନିରୁତ୍ସାହିତ କରୁଛି । ନିକଟରେ କଳାଶ୍ରୀ ଗୋପାଳପୁରଠାରେ କର୍ମଶାଳା ଖୋଲି କାମ କରୁଥିବା ବିନୋଦ ସେନାପତିଙ୍କର ଦୁଇ ଜଣ କାରିଗରଙ୍କୁ ଚୋରାପଥର ରଖିଥିବା ଅଭିଯୋଗରେ ବାଲିଚନ୍ଦ୍ରପୁର ପୋଲିସ ଅଟକ ରଖିଥିଲା । ତତସହିତ ସେ କାମ କରୁଥିବା ଯନ୍ତ୍ରପାତିକୁ ସବୁ ପୋଲିସ ସିଜ କରିନେଇଥିଲା । କାରିଗରଙ୍କୁ ପୋଲିସ ଛାଡି ଦେଇଥିବାବେଳେ ଯନ୍ତ୍ରପାତି ସବୁକୁ ଏଯାବତ େ‘ରାଇ ନାହିଁ । ଆଜି ଏସଂକ୍ରାନ୍ତରେ ଓଡିଶା ଶିଳ୍ପୀ ମହାସଂଘର ଏକ ପ୍ରତିନିଧୀ ଦଳ ଯାଜପୁର ଏସପି ରାହୁଲ ପି ଆରଙ୍କୁ ଭେଟି କାରିଗରଙ୍କ ଉପରେ ପୋଲିସର ଚଢାଉ ବନ୍ଦ ରଖିବାକୁ ଅନୁରୋଧ ଜଣାଇଛନ୍ତି । ଏହି ଆଲୋଚନା ସମୟରେ ଏସପି ସଂପୃକ୍ତ କାରିଗରଙ୍କ ଯନ୍ତ୍ରପାତି େ‘ରାଇ ପୋଲିସ ଫେରାଇ ଦେବ ବୋଲି ପ୍ରତିଶୃତି ଦେଇଥିଲେ । ଏହାପରେ ଓଡିଶା ଶିଳ୍ପୀ ମହାସଂଘର ପ୍ରତିନିଧୀ ଦଳ ଯାଜପୁର ଜିଲ୍ଲାପାଳଙ୍କୁ ଭେଟିବା ଲାଗି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ପଥର ସମସ୍ୟାର ସମାଧାନ ପାଇଁ ଯାଜପୁରର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଥିଲେ ।
ନିଜ ଦାବୀ ପତ୍ରରେ – ଶୁଖୁଆପଡା ଠାରେ ଏକ କଂଚାମାଲ ବ୍ୟାଙ୍କ ଖୋଲି ସ୍ୱଳ୍ପ ମୂଲ୍ୟରେ କାରିଗରଙ୍କୁ ପଥର ଯୋଗାଇ ଦେବା, ଜିଲ୍ଲାରେ କାରିଗରି ଉପଯୁକ୍ତ ପଥର ମିଳୁଥିବା ସ୍ଥାନ ଗୁଡିକୁ କେବଳ କାରିଗରଙ୍କ ପାଇଁ ସଂରକ୍ଷିତ କରି ରଖିବା, କଂଚାମାଲ ବ୍ୟାଙ୍କ ବ୍ୟବସ୍ଥା ନହେବା ଯାଏଁ ଜିଲ୍ଲାରେ ଥିବା ସାହାଣ ପଥର ଖଣିରୁ ପଥର ଆଣିବା ପାଇଁ ପଥରଶିଳ୍ପୀଙ୍କୁ ସ୍ୱତନ୍ତ୍ର ଅନୁମତି ପତ୍ର ପ୍ରଦାନ କରିବା ଓ ପଥର କାରିଗରଙ୍କ ଉପରେ ରାଜସ୍ୱ, ପୋଲିସ ଓ ଜଂଗଲ ବିଭାଗର ଜୁଲମକୁ ବନ୍ଦ କରିବାକୁ ଅନୁରୋଧ କରାଯାଇଥିଲା । ଓଡିଶା ଶିଳ୍ପୀ ମହାସଂଘର ସଂପାଦକ ପ୍ରିୟରଂଜନ କରଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧୀ ଦଳରେ ପଥର ଶିଳ୍ପୀ ନିର୍ମଳ ମହାରାଣା, କଳ୍ପତରୁ ମହାରଣା, ଶୁଶାନ୍ତ ଦାସ, ବିପିନ ମହାରଣା, ବିନୋଦ ସେନାପତି, ଶଙ୍କର ମହାରଣା ଓ ରମଣୀ ରଂଜନ ମହାରଣା ପ୍ରମୁଖ ସାମିଲ ହୋଇଥିଲେ ।

Related Posts

About The Author

Add Comment