ରାଉରକେଲା, ୦୧/୧୨/୨୦ (ସନ୍ଧାନ ନିଉଜ) : ମହାମାରୀ କରୋନାର ପ୍ରଭାବ ଗତ ମାର୍ଚ୍ଚ ମାସରୁ ଆରମ୍ଭ ହେବା ପରେ ସମସ୍ତ ବ୍ୟବସ୍ଥା ଅଳ୍ପ ବହୁତେ ପ୍ରଭାବିତ ହୋଇଛି । ଗରିବ, ନିଷ୍ପେଷିତ ଓ ଅବହେଳିତ ବର୍ଗର ଲୋକ ମାନେ ମଧ୍ୟ କରୋନାର ପ୍ରକୋପରୁ ଆଦୌ ବର୍ତି ପାରି ନାହାନ୍ତି । ପ୍ରତିଦିନ ରାସ୍ତା କଡ଼ର ଖୋଲା ଆକାଶ ତଳେ ଜୀବନ ଜୀବିକାକୁ ନେଇ ଅହରହ ସଂଗ୍ରାମ କରୁଥିବା ଏଭଳି ଅନେକ ନିରାଶୟ, ବେସାହାରା ମଣିଷ ଉପରେ ପଡ଼ିଛି କରୋନାର କୋପ ଦୃଷ୍ଟି! କ୍ଷୁଧାର ଜ୍ୱାଳା ମେଂଟାଇବା ପାଇଁ ଏଭଳି ବର୍ଗର ବ୍ୟକ୍ତି ମାନେ ରାସ୍ତା କଡ଼, ଦୋକାନ ପିଣ୍ଡା, ବସ ଷ୍ଟାଣ୍ଡ, ରେଳୱେ ଷ୍ଟେସନ ପ୍ଲାଟଫର୍ମ, ରେଲୱେ ଟ୍ରାକ ଆଦିରୁ ପ୍ଲାଷ୍ଟିକ ବୋତଲ ସଂଗ୍ରହ କରିବା ପରେ ଏହାକୁ ବିକ୍ରି କରି ନିଜ ପେଟ ପାଇଁ ଦୁଇ ଓଳି ଅନ୍ନ ସଂଗ୍ରହ କରିଥାନ୍ତି, ଯାହାକି ହୃଦୟ ବିଦାରକ । କରୋନା କାୟା ବିସ୍ତାର କରିବା ପରେ ଏଭଳି ବ୍ୟକ୍ତି ମାନଙ୍କ ପ୍ଲାଷ୍ଟିକ ବୋତଲ ସଂଗ୍ରହ କରିବା ଏକ ପ୍ରକାର କାଠିକର ପାଠ ହୋଇ ପଡ଼ିଛି ।
ବିଗତ ୭ ମାସ ଧରି ଲକ ଡାଉନ ଓ ସଟଉାଉନ ଭଳି ସ୍ଥିତି ଉତ୍ପନ ହୋଇଥିଲା । ପୂର୍ବରୁ ଏହି ନିରାଶୟ ବ୍ୟକ୍ତି ମାନେ ପିଲାଛୁଆ ଧରି ଷ୍ଟେସନରେ ରାତ୍ରି ଯାପନ କରୁଥିବା ବେଳେ, କୋଭିଡ଼ କଟକଣା ଯୋଗୁ ଏହା ସମ୍ଭବ ହୋଇ ପାରୁନାହିଁ । ଫଳସ୍ୱରୁପ ବର୍ତମାନ ନିରାଶୟ ମାନଙ୍କୁ ଟ୍ରାଫିକଗେଟର ପାର୍କିଂ ଏରିୟା, ବିଶ୍ରା ଛକ, ଟ୍ରାଫିକ ଗେଟ ବସଷ୍ଟପ, ମଧୂସୂଦନ ମାର୍ଗରେ ଥିବା ବିଭିନ୍ନ ଦୋକାନର ବାରଣ୍ଡାରେ ରାତ୍ରି ଯାପନ କରିବାକୁ ପଡ଼ୁଛି । ପ୍ଲାଂଟସାଇଟ ଛକରେ ଥିବା ରାତ୍ରି ଆଶ୍ରୟ ସ୍ଥଳୀ ସମସ୍ତ ନିରାଶୟଙ୍କ କାମରେ ଲାଗି ପାରୁନାହିଁ! ଆଗକୁ ଶୀତରୁତୁ ଆସୁଥିବାରୁ ଏମାନଙ୍କ ଜୀବନ ବିପନ୍ନ ହେବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ । ସହରରରେ ଦୀର୍ଘ ବର୍ଷରୁ ବସବାସ କରୁଥିବା ନିରାଶୟଙ୍କ ସହ ଯୋଡ଼ି ହୋଇ ଯାଇଛନ୍ତି ବାହାର ରାଜ୍ୟର ଅନେକ ନିରାଶୟ । ଏହି ନିରାଶୟ ମାନଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ । ପେଟପାଟଣା ପାଇଁ ଏମାନେ ମଧ୍ୟ ବିଭିନ୍ନ ଜାଗାରୁ ପ୍ଲାଷ୍ଟିକ ବୋତଲ ସଂଗ୍ରହ କରି ପେଟ ପୋଷୁଥିବା ଦେଖିବାକୁ ମିଳିଛି । ରାତି ପାହିବା ଠାରୁ ସଂଜ ନଇଁବା ଯାଏ ଏଭଳି ବହୁ ନିରାଶୟଙ୍କୁ କା୍ନ୍ଧରେ ଜରି ଅଖା ଧରି ସହରର ବିଭିନ୍ନ ଅଂଚଳରେ ପ୍ଲାଷ୍ଟିକ ବୋତଲ ସାଉଁଟିବା ଦେଖିବାକୁ ମିଳିଥାଏ । କବାଡ଼ିଖାନାରେ ପ୍ଲାଷ୍ଟିକ ବୋତଲ କିଲୋ ପିଛା ୧୨ରୁ ୧୫ ଟଙ୍କାରେ ବିକ୍ରି ହୋଇଥାଏ । ସମୟ ସମୟରେ ନିରାଶୟ ମାନେ ବୋତଲ ବିକ୍ରି କରିବା ସମୟରେ ଠକାମୀ ଓ ନିର୍ଯ୍ୟାତନାର ଶୀକାର ହୋଇଥାନ୍ତି ବୋଲି ସିମଡେଗା ଅଂଚଳର ୪୮ ବର୍ଷିୟ ନିରାଶୟ ସମରୁ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
ବର୍ତମାନ କାଁଭାଁ ଯାତ୍ରୀବାହୀ ଟ୍ରେନ ଓ ବସ ଚଳାଚଳ କରୁଥିବା ବେଳେ, ଷ୍ଟେସନ ପରିସରକୁ ଯିବା ଉପରେ ଜନସାଧାରଣଙ୍କ ଯିବା ଉପରେ ପ୍ରତିବନ୍ଧକ ଲାଗିଛି । ମାତ୍ରାଧିକ ଯାତ୍ରୀବାହୀ ଟ୍ରେନ ଚଳାଚଳ କରୁ ନଥିବା କାରଣରୁ ଯାତ୍ରୀ ମାନଙ୍କ ବ୍ୟବହୃତ ପ୍ଲାଷ୍ଟିକ ବୋତଲ ରେଲୱେ ଟ୍ରାକରୁ ମିଳିବା ଏକ ପ୍ରକାର କାଠିକର ପାଠ ହୋଇ ପଡ଼ିଛି । ସେହିପରି ଯାତ୍ରୀବାହୀ ବସରେ ଅଧିକ ଯାତ୍ରୀ ନହେବା କାରଣରୁ ଯାତ୍ରୀ ମାନେ ବ୍ୟବହାର ପରେ ଫୋପାଡ଼ି ଦେଉଥିବା ପ୍ଲାଷ୍ଟିକ ବୋତଲ ବସଷ୍ଟାଣ୍ଡ ପରିସରେ ଆଉ ଏତେଟା ମିଳି ପାରୁନାହିଁ । ଯାହା ଫଳରେ ପ୍ଲାଷ୍ଟିକ ବୋତଲ ବିକ୍ରି କରି ପେଟ ପାଇଁ ଦାନା ଯୋଗାଡ଼ କରୁଥିବା ଏଭଳି ନିରାଶୟଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଆଡକୁ ଗତି କରୁଛି କହିଲେ ବୋଧେ ଭୁଲ ହେବ ନାହିଁ । ସେହିପରି ଦକ୍ଷିଣ ରାଉରକେଲାରେ ମଧ୍ୟ ଅଳିଆ ି ମଧ୍ୟରୁ ପ୍ଲାଷ୍ଟିକ ବୋତଲ ସାଉଁଟୁଛନ୍ତି ଏଭଳି ଅନେକ ନିରାଶ୍ରୟ । ପ୍ରଶାସନ ଏହିଭଳି ନିରାଶୟ, ବେସାହାରା ମାନଙ୍କୁ ଚିହ୍ନଟ କରି ସେମାନଙ୍କ ପାଇଁ ସରକାରୀ ଯୋଜନା ଅନୁଯାୟୀ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।
ନିରାଶୟଙ୍କ ଉପରେ କରୋନାର କୋପ ଦୃଷ୍ଟି
|
December 1, 2020 |