ଛତୁଆ ବନାମ ଚୋକଡ଼*
ନିମ୍ନ ମାନର ଛତୁଆ ପ୍ରସ୍ତୁତ ନେଇ ଅଭିଯୋଗ*
ଶିଶୁ ଙ୍କ ଜୀବନ ସହ ଖେଳ ଖେଳୁଛି ପ୍ରସ୍ତୁତକାରୀ ସଂସ୍ଥା
ମା ସିଦ୍ଧ ଚଣ୍ଡୀ ସ୍ବୟଂ ସହାୟକ ଗୋଷ୍ଠୀ ନାଁରେ ଅଭିଯୋଗ
ସିଡିପିଓଙ୍କ ନିକଟରେ ଅଭିଯୋଗ କଲେ ଅଭିଭାବକ
ସିଡିପିଓ ପାଟିରେ ଚାଖି କହିଲେ ଭଲ ଛତୁଆ
ମାସକିଆ ନେଇ ପ୍ରଶାସନ ଚୁପ
ଯାଞ୍ଚ ହେଉନି ଛତୁଆ ର ମାନ
ନିର୍ଦିଷ୍ଟ ଗୋଷ୍ଠୀ କୁ ପ୍ରତିବର୍ଷ କେଉଁ ସ୍ୱାର୍ଥରେ ଟେଣ୍ଡର
ଯାଜପୁର (ସନ୍ଧାନ ନିଉଜ):ଧର୍ମଶାଳା: ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ଉଭୟ ସରକାର ସରକାରୀ ସ୍ତରରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି।ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଜରିଆରେ ପ୍ରତି ମାସରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଛତୁଆ ପ୍ରସ୍ତୁତ କରାଯାଉଛି।ହେଲେ ଯେଉଁ ଗୋଷ୍ଠୀ ର ମହିଳା ମାନଙ୍କୁ ତାହାକୁ ପ୍ରସ୍ତୁତ କରିବାକୁ ଦିଆଯାଇଛି,ପ୍ରକୃତରେ ସେମାନେ ପ୍ରସ୍ତୁତ କାରୀ ନୁହଁନ୍ତି।ବରଂ ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ଆଖି ଆଗରେ ରଖି ଏକ ନିର୍ଦିଷ୍ଟ ବ୍ୟକ୍ତି ଙ୍କୁ ଛତୁଆ ପ୍ରସ୍ତତ କରିବାକୁ ଦେଇ ଦେଇଛନ୍ତି।ଯାହା ଫଳରେ ରାଧେ ରାଧେ କୁ ଅଧେ ଅଧେ ନ୍ୟାୟରେ ଗ୍ରୁପ ସଦଷ୍ୟ ଙ୍କ ମୁହଁରେ କିଛି ଖର୍ଚ୍ଚ ଦେଇ ମାସକୁ ଲକ୍ଷାଧିକ ଟଙ୍କାର ଲାଭବାନ ହେଉଛନ୍ତି ଛତୁଆ ପ୍ରସ୍ତୁତକାରୀ ମାଲିକମାନେ।ଖାଲି ସେତିକି ନୁହଁ ବ୍ଲକ ସିଡିପିଓ,ବିଡ଼ିଓ ଓ କିଛି ରାଜନେତା ଙ୍କୁ ମାସକିଆ ପକେଟ ଗୁଂଜା ଦେଇ ଛତୁଆ ପ୍ରସ୍ତୁତ କରୁଥିବା ସଂସ୍ଥାର ମାଲିକ ମାନେ ନିମ୍ନ ମାନର ଛତୁଆ ,ବାଦାମ ଲଡୁ ,ସୁଜି ଆଦି ପ୍ରସ୍ତୁତ କରି ଯୋଗାଇ ଦେଉଛନ୍ତି।ନା କେବେ ଖାଦ୍ୟ ର ମାନ ଯାଞ୍ଚ ହେଉଛି ନା କେବେ ନିମ୍ନ ମାନର ଅଭିଯୋଗ ଆସିବା ପରେ ଲାଇସେନ୍ସ ରଦ୍ଧ ହେଉଛି।ତଳରୁ ଉପର ସମସ୍ତେ ମ୍ୟାନେଜ୍ ହୋଇ କୋମଳ ମତି ଶିଶୁ ଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ଏମାନେ।
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ନିମ୍ନମାନର ଛତୁଆ ବଣ୍ଟନକୁ ନେଇ ବଢୁଛି ଜନ ଅସନ୍ତୋଷ। ଛତୁଆ ପ୍ରସ୍ତୁତ ଓ ଯୋଗାଣ ବାବଦକୁ ମାସିକ ୧୪ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ନେଉଛନ୍ତି ଦୁଇଟି ସ୍ୱୟଂସହାୟକ ଗୋଷ୍ଠୀ । ବ୍ଲକରେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ଅଧିନରେ ପ୍ରତିମାସରେ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଏହି ଦୁଇ ଗୋଷ୍ଠୀ ଦ୍ୱାରା ଯୋଗାଇ ଦିଆଯାଉଥିବା ଛତୁଆର ମାନ ପରୀକ୍ଷା ପାଇଁ ଆଉ ଆବଶ୍ୟକ ନାହିଁ ରାଜ୍ୟ ଖାଦ୍ୟ ପରୀକ୍ଷାଗାରର ରିପୋର୍ଟ ।କାରଣ ଏବେ ଧର୍ମଶାଳା ସିଡିପିଓ ପାଟିରେ ଚାଖି କି କହିଦେଇପାରନ୍ତି ଏହା ଭଲ କି ଖରାପ ! ଏକଥା ଆମେ କହୁନୁ, ଖୋଦ ଧର୍ମଶାଳା ସିଡିପିଓ ନିଜେ କହୁଛନ୍ତି ଗଣମାଧ୍ୟମ ସାମ୍ନାରେ । ନିମ୍ନମାନର ଛତୁଆ ଅଭିଯୋଗ ନେଇ କାର୍ଯ୍ୟାଳୟକୁ ଆସିଥିବା ଜଣେ ମହିଳା ଓ ଜଣେ ପୁରୁଷ ହିତାଧିକାରୀଙ୍କ ଛତୁଆ ପ୍ୟାକେଟକୁ ଖୋଲି ପାଟିରେ ଚାଖି ଏହି ବୟାନ ଦେଇଛନ୍ତି ଗଣମାଧ୍ୟମ ଆଗରେ । ଯଦି ସିଡିପିଓ ମହାଶୟାଙ୍କ ଏପରି ଦକ୍ଷତା ରହିଛି ତେବେ ଆଗାମୀ ଦିନରେ ଧର୍ମଶାଳା ବ୍ଲକରୁ ପ୍ରତିମାସ ସଂଗ୍ରହ ହେଉଥିବା ଛତୁଆ ନମୁନାକୁ ଆଉ ରାଜ୍ୟ ଖାଦ୍ୟ ପରୀକ୍ଷାଗାରକୁ ପଠାଯିବାର ଆବଶ୍ୟକତା ନାହିଁ ବୋଲି କୁହାଯାଉଛି । ସିଡିପିଓଙ୍କ ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି ।
ସୂଚନା ଥାଉକି ଗତକାଲି ମଧ୍ୟାହ୍ନରେ ବଡମଙ୍ଗଳପୁର ଗ୍ରାମର ରୋଜି ସାହୁ ଓ ନିଳମଣୀ ରାଉତ ଦୁଇ ଜଣ ହିତାଧିକାରୀ ଦୁଇଟି ଛତୁଆ ପ୍ୟାକେଟ ଓ ଗୋଟେ ହାଲୁଆ ପ୍ୟାକେଟ ନେଇ ସିଡିପିଓଙ୍କ ନିକଟକୁ ଅଭିଯୋଗ କରିବାକୁ ଆସିଥିଲେ । ଛତୁଆ ପ୍ରସ୍ତୁତକାରୀ ସଂସ୍ଥା ପାଟପୁର ସ୍ଥିତ ମା ସିଦ୍ଧ ଚଣ୍ଡି ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏହି ପ୍ୟାକେଟ ହିତାଧିକାରୀଙ୍କୁ ଯୋଗଇ ଦିଆଯାଇଥିଲା । ଦୀର୍ଘ ଦିନ ଧରି ନିମ୍ନମାନର ଛତୁଆ ଯୋଗାଇ ଆସୁଥିବାରୁ ସେ ଆଜି ବାଧ୍ୟ ହୋଇ ସିଡିପିଓଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ କାର୍ଯ୍ୟାଳୟକୁ ଆସିଥିଲେ । ସିଡିପିଓଙ୍କୁ ଏକ ଅଭିଯୋଗପତ୍ର ଦେବା ସହ ଏହି ଦୁଇ ପ୍ୟାକେଟ ଦେଇଥିଲେ । ସିଡିପିଓ ଗୋଟିଏ ଛତୁଆ ପ୍ୟାକେଟ ଦେବା ସହ ବାହାରେ ରାସ୍ତା ଉପରେ ଗୋଟିଏ ପ୍ୟାକେଟକୁ ଖୋଲି ଚୁନା ଚଲାରେ ଚଲାଇ ଗଣମାଧ୍ୟମ ଆଗରେ ଡେମୋ ଦେଖାଇଥିଲେ । ସେଥିରୁ ଅର୍ଦ୍ଧାଧିକ ଓଜନର ଚୋକଡ ବାହାରିଥିବା ଦେଖିବାକୁ ମିଳିଥିଲା । ହିତାଧିକାରୀ ଅଭିଯୋଗ କରିଥିଲେ ଯେ, ଛତୁଆରେ ସୋଲା ଓ ଚିନା ବାଦାମ ଯଦି ପଡିଥାନ୍ତା ଏହା ବାସ୍ନା ହୋଇଥାନ୍ତା । କିନ୍ତୁ ଏହାକୁ ଶୁଙ୍ଘିଲେ ଗନ୍ଧ ବାହାରୁଛି । ଛୋଟ ପିଲା ଖାଇବାକୁ ଘୃଣା କରୁଛନ୍ତି । ସେହିପରି ହାଲୁଆ ପ୍ୟାକେଟରେ ଲେଖା ଅଛି ୧୫ ଗ୍ରାମ, କିନ୍ତୁ ଓଜନ କଲେ ଆସୁଛି ୧୩୫୦ ଗ୍ରାମ । ସୁଜି ୭୬୦ ଗ୍ରାମ ବଦଳରେ ୧୧୫୦ ଗ୍ରାମ, ଚିନି ୪୦୦ ଗ୍ରାମ ଜାଗାରେ ୨୦୦ ଗ୍ରାମ, ବେସନ ୨୬୦ ଗ୍ରାମ ଓ ତେଲ ୮୦ ଗ୍ରାମ ଲେଖା ହୋଇଥିବା ବେଳେ ଏହି ଦୁଇଟି ସାମଗ୍ରୀ ପ୍ୟାକେଟରେ ରହୁ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏନେଇ ଗଣମାଧ୍ୟମ ପ୍ରତିନିଧିମାନେ ସିଡିପିଓ ସଂଞ୍ଜୁଲତା ନାୟକଙ୍କୁ ପଚାରିବାରୁ, ହିତାଧିକାରୀ ଆଣିଥିବା ଗୋଟିଏ ସିଲ୍ଡ ପ୍ୟାକେଟ ଚାଖିକି ଯାହା ଅନୁଭବ କଲେ ଏହା ଠିକ ଅଛି । ଏହା ଟିକେ ଖଦଡା ଖଦଡା ରହିବ । ଗ୍ରାଇଣ୍ଡିଙ୍ଗ ପରେ ଚଲା ହେଉନାହିଁ । ଯଦି ଅଧିକା ବାହାରୁ ଥାଏ ତେବେ ଠିକ କଥା ନୁହେଁ । ନିୟମ ଅନୁସାରେ ସୁଜି ଓ ବେସନ ଭଜା ହୋଇଯିବା କଥା । ମୋର ଏହି ଅଫିସକୁ ଆସିବା ଭିତରେ ଏହା ପ୍ରଥମ ଅଭିଯୋଗ । ସେ ଛତୁଆ ୟୁନିଟକୁ ଯାଇ ତଦନ୍ତ କରିବି ବୋଲି କହିଥିଲେ । ସେହିପରି ଛତୁଆ ପ୍ରସ୍ତୁତ ଓ ଯୋଗାଣ ଦାୟିତ୍ୱ ନେଇଥିବା ମା ସିଦ୍ଧ ଚଣ୍ଡିକୁ ମାସିକ ୯ ଲକ୍ଷ ଓ ଅମରେଶ୍ୱରୀ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ନେଉଛନ୍ତି ବୋଲି କହିଥିଲେ । ଗତ ବର୍ଷ ଅଗଷ୍ଟ ମାସରୁ ଏହି ଅଫିସରେ ଯୋଗଦେଇଥିବା ଶ୍ରୀମତୀ ନାୟକ କିପରି ନୂଆ କରି ଆସିଛନ୍ତି ଓ କିଛି ଜାଣି ନାହାନ୍ତି ଓ ପ୍ରଥମ ଅଭିଯୋଗ ବୋଲି କହି ଖସିଯିବାକୁ ଚେଷ୍ଟା କରୁଛନ୍ତି ତାକୁ ନେଇ ଗୁଞ୍ଜରଣ ସୃଷ୍ଟି କରିଛି । ଛତୁଆର ଗୁଣାବତ୍ତା ମାପ ନିମନ୍ତେ ବୈଷୟିକ ପଦ୍ଧତି ରହିଥିବା ବେଳେ ସେ କିପରି ନିଜେ ଚାଖି କରି କହିଦେଉଛନ୍ତି ଏଭଳି ମନ୍ତବ୍ୟ ଉପରେ ଉଚ୍ଚ ଅଧିକାରୀମାନେ ଦୃଢ କାଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ତେବେ ଏଠାରେ ପ୍ରଶ୍ନ ଉଠିଛି ଯେ, ଛତୁଆରୁ ଯଦି ଏତେ ପରିମାଣର ଚୋକଡ ବାହାରୁଛି ଓ ସୋଲା କି ଚିନା ବାଦାମ ମିଶ୍ରଣ ହେଉନାହିଁ ତେବେ ପ୍ରତିମାସ ଏହି ସଂସ୍ଥା ଠାରୁ ସଂଗ୍ରୀହୃତ ଛତୁଆ ନମୁନା ରାଜ୍ୟ ଖାଦ୍ୟ ପରୀକ୍ଷାଗାରରେ କିପରି ନିମ୍ନ ମାନର ନହୋଇ ଭଲ ବା ଖାଦ୍ୟ ଉପଯୋଗୀ ରିପୋର୍ଟ ଆସୁଛି ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ତେବେ ଧର୍ମଶାଳା ବ୍ଲକରେ ଯୋଗାଇ ଦିଆଯାଉଥିବା ଛତୁଆ ଓ ଅନ୍ୟ ସାମଗ୍ରୀ ଯାଞ୍ଚ କରିବା ପାଇଁ ସାଧାରଣରେ ଦାବି ହୋଇଛି ।ସେହିପରି ଉକ୍ତ ନିର୍ଦିଷ୍ଟ ଗୋଷ୍ଠୀ କୁ କିପରି ପ୍ରତି ବର୍ଷ ଛତୁଆ ପ୍ରସ୍ତୁତ କରିବାକୁ ଟେଣ୍ଡର ଦିଆଯାଉଛି ଆଉ ଯାହାକୁ ପୁଣି ସାର୍ବଜନୀନ କାହିଁକି କରାଯାଉନି ବୋଲି ସାଧାରଣ ରେ ଅନେକ ଅଭିଯୋଗ ଆସିଛି।ତେବେ ଏହା ଉପରେ ଉପସ୍ଥିତ ଅଧିକାରୀ ଦୃଷ୍ଟି ଦେଲେ ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିବ ବୋଲି ଅନେକ ବୁଦ୍ଧି ଯିବିରେ ମତ ପ୍ରକାଶ ପାଇଛି।