ନଗଦର ଅଭାବ ନାହିଁ : ଅର୍ଥମନ୍ତ୍ରୀ ନିର୍ମଳା‌ ସୀତାରମଣ

Spread the love

ନୂଆଦିଲ୍ଲୀ, ୨୭/୯ (ସନ୍ଧାନ ନିଉଜ) : ଦେଶର ଅର୍ଥନୀତିକୁ ମାନ୍ଦାବସ୍ଥା କବଳରୁ ଉଦ୍ଧାର କରିବା ଲାଗି ନିରନ୍ତର ଉଦ୍ୟମ ଜାରି ରଖିଥିବା ଅର୍ଥମନ୍ତ୍ରୀ ନିର୍ମଳା‌ ସୀତାରମଣ ଆଜି ଘରୋଇ ବ୍ୟାଙ୍କ, ହାଉସିଂ ଫାଇନାନ୍ସ କଂପାନି, ଅଣ ବ୍ୟାଙ୍କ ଆର୍ଥିକ ସଂସ୍ଥା (ଏନ୍‌ବିଏଫ୍‌ସି) ଓ ମାଇକ୍ରୋ ଫାଇନାନ୍ସ ସଂସ୍ଥା (ଏମ୍‌ଏଫ୍‌ଆଇ)ର ପ୍ରତିନିଧିଙ୍କୁ ଭେଟି ସେମାନଙ୍କ ସହ ଆର୍ଥିକ ବଜାର ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି। ବୈଠକ ଶେଷ ହେବା ପରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଦେଶରେ ନଗଦର କୌଣସି ଅଭାବ ନାହିଁ। ଆଜି ଆମେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କଲୁ। ନଗଦ ଅଭାବ ଥିବା କଥା ମୋତେ କେହି କହିନାହାନ୍ତି। ଆଜିର ବୈଠକରୁ ମୁଁ ମୋଟ ଉପରେ ଯାହା ବୁଝିଲି ତାହା ହେଉଛି ନଗଦକୁ ନେଇ କୌଣସି ଅଭାବ ନାହିଁ। ଯଦି ନଗଦର କେଉଁଠାରେ ଅଭାବ ରହିଥାଏ ତାହା ହେଉଛି ପାଇକାରୀ ଫାଇନାନ୍ସ । ଖୁଚୁରା ଫାଇନାନ୍ସ ‌କ୍ଷେତ୍ରରେ ନଗଦ ଅଭାବ ନାହିଁ ବୋଲି ସେ କହିଛନ୍ତି।

ଦେଶର ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକରେ କାର୍ଯ୍ୟ କରୁଥିବା ମାଇକ୍ରୋଫାଇନାନ୍ସ ସଂସ୍ଥାର ପ୍ରତିନିଧିମାନେ କହିଛନ୍ତି ଯେ, ଏବେବି ଋଣକୁ ନେଇ ସେହି ସବୁ ଅଞ୍ଚଳରେ ଚାହିଦା ରହିଛି ଏବଂ ସେମା‌ନେ ଗ୍ରାହକମାନଙ୍କ ଆବଶ୍ୟକତାକୁ ପୂରଣ କରୁଛନ୍ତି। ଋଣରେ ସକାରାତ୍ମକ ବୃଦ୍ଧି ହେଉଛି ବୋଲି ଏକସ୍ବରରେ ସବୁ ସଂସ୍ଥା କହିଛନ୍ତି। ଏହା ନିଶ୍ଚିତ ରୂପେ ଉତ୍ସାହଜନକ ବିଷୟ ବୋଲି ନିର୍ମଳା କହିଛନ୍ତି। ଆଜିର ବୈଠକରେ ନଗଦ ସ୍ଥିତି, ସୁଧ ହ୍ରାସ ଏବଂ ଋଣ ଆବଣ୍ଟନ ଭଳି ବିଷୟ‌ ଉପରେ ଆଲୋଚନା ହୋଇଥିଲା। ଚଳିତ ମାସ ୧୯ ତାରିଖରେ ସରକାରୀ ବ୍ୟାଙ୍କର ପ୍ରତିନିଧିମାନଙ୍କ ସହ ଅର୍ଥମନ୍ତ୍ରୀ ଆଲୋଚନା କରିଥିଲେ। ଦେଶର ୪୦୦ ଜିଲ୍ଲାରେ ଋଣ ମେଳା ଆୟୋଜନ କରିବାକୁ ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

Related Posts

About The Author

Add Comment