ବଡଚଣା,୧୨/୪(ସନ୍ଧାନ ନିୟୁଜ): ମାଳମାଳ ଅଭିଯୋଗ ଆସୁଛି,ହେଲେ ସମାଧାନ ହେଉନି । ଫଳରେ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି ବହୁ ଲୋକ । ଏମିତିକି ବରିଷ୍ଠ ନାଗରିକ ମାନେ ମଧ୍ୟ ବାଦ ପଡୁନାହାନ୍ତି । ନ୍ୟାୟ ପାଇଁ ତହସିଲକୁ ଦୌଡି ଦୌଡି ନୟାନ୍ତ ହୋଇଗଲେଣି । କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ସାନ୍ତନା ଦେବାକୁ କେହି ବି ନାହାନ୍ତି । ଅଭିଯୋଗ ରଖୁଛନ୍ତି,ନାଲି ଫାଇଲରେ ବାନ୍ଧି ଦେଲେ କାମ ଶେଷ ହୋଇଯାଇଛି । ଏଭଳି ନ୍ୟାୟରେ ଚାଲିଛି ଦର୍ପଣ ତହସିଲ । ପ୍ରକାଶ ଥାଉକି ଦର୍ପଣ ତହସିଲ ଖଇରା ରାଜସ୍ୱ ନିରିକ୍ଷକଙ୍କ ଅଧିନସ୍ଥ ଚଣ୍ଡିତଳ ମୌଜାର ରଘୁନାଥ ସେଠୀଙ୍କ ପୁଅ କରୁଣାକର ସେଠୀ ଦିର୍ଘ ୧୧ବର୍ଷ ଧରି ଜମିଜମାକୁ ନେଇ ଦର୍ପଣ ତହସିଲରେ ଅଭିଯୋଗ କରିଆସୁଥିଲେ ମଧ୍ୟ ଅଦ୍ୟବଧି ତାଙ୍କୁ ନ୍ୟାୟ ମିଳିନାହିଁ । ଚଣ୍ଡିତଳ ମୌଜାର ଖାତା ନମ୍ବର ୬୨୧,ପ୍ଲଟ ନଂ-୧୬୬୨କୁ ନେଇ ପାଖପଡୋଶୀଙ୍କ ସହ ବିବାଦ ଲାଗି ରହିଛି । ଶ୍ରୀ ସେଠୀ ଏ ନେଇ ଦର୍ପଣ ତହସିଲରେ ବଣ୍ଟନ ପାଇଁ ବହୁବାର ଅଭିଯୋଗ କରିଥିଲେ ମଧ୍ୟ ନ୍ୟାୟ ପାଇବାରୁ ବଂଚିତ ହୋଇଛନ୍ତି । ଏ ନେଇ ଉଭୟ ପରିବାର ମଧ୍ୟରେ ବାଦବିବାଦ ଲାଗି ବାରମ୍ବାର ଥାନାର ଦ୍ୱାରସ୍ତ ହୋଇଛନ୍ତି । କିଛିଦିନ ପୂର୍ବେ ଉକ୍ତ ଜମିରେ ଗୃହ ନିର୍ମାଣକୁ ନେଇ ଏକ ବିବାଦ ଦେଖାଦେଇଥିଲା । କରୁଣାକର ଏ ନେଇ ମାନ୍ୟବର କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । କୋର୍ଟ ତାଙ୍କ ଅଭିଯୋଗକୁ ଗ୍ରହଣ କରି ଉକ୍ତ ଜମିରେ ୧୪୪ ଧାରା ଜାରି କରିବା ସହ ତହସିଲକୁ ବଣ୍ଟନପତ୍ର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତହସିଲ କର୍ତ୍ତୁପକ୍ଷ ଏହି ନିର୍ଦ୍ଦେଶକୁ ହାଲୁକା ଭାବେ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ସେ ଅଭିଯୋଗ କରିଛନ୍ତି । ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ପରିବାର ଲୋକେ ନିବେଦନ କରିଛନ୍ତି ।
ଦର୍ପଣ ତହସିଲର ଅଜବ ନୀତି, ଅଭିଯୋଗ ପରେ ବି ମିଳୁନି ନ୍ୟାୟ
|
April 12, 2021 |


