ଜିଲା ଜଜ୍ କୋର୍ଟ ସ୍ଥାନାନ୍ତରରେ ମନ୍ଥରତା : ସୀମିତ ପରିବେଶରେ ଚାଲିଛି ୧୩ ଟି କୋର୍ଟ
ଜିଲା ଜଜ୍ କୋର୍ଟ ସ୍ଥାନାନ୍ତରରେ ମନ୍ଥରତା : ସୀମିତ ପରିବେଶରେ ଚାଲିଛି ୧୩ ଟି କୋର୍ଟ
Manas Kumar Rout |
August 28, 2019 |

ଭଦ୍ରକ,୨୮/୮ (ସନ୍ଧାନ ନିୟୁଜ) ଭଦ୍ରକ ସଦର ମହକୁମାର ସଂକୁଚିତ ସ୍ଥାନରେ ୧୩ ଟି କୋର୍ଟ ଚାଲୁଥିବାବେଳେ ନିର୍ମାଣ ସରିଥିବା ନଳାଙ୍ଗ ନିକଟସ୍ଥ ଜିଲା ଜଜ୍ କୋର୍ଟ ସ୍ଥାନାନ୍ତରରେ ମନ୍ଥରତା ନେଇ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଠାରେ ସୂଚନାଯୋଗ୍ୟ ଭଦ୍ରକ ସଦର ମହକୁମାର ସୀମିତ ପରିସରରେ କେବଳ ୧୩ଟି କୋର୍ଟ ନୁହେଁ, ବ୍ଲକ୍, ତହସିଲ ଓ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଭଳି ଅନେକ ବିଭାଗ ରହିଛି। ଏଭଳି ଏକ ଗହଳିପୂର୍ଣ୍ଣ ସ୍ଥାନରୁ ଜିଲା ଜଜ୍ କୋର୍ଟକୁ ନଳାଙ୍ଗ ସ୍ଥାନାନ୍ତର ପାଇଁ ୨୦୧୩ ମସିହାରେ ନିଷ୍ପତ୍ତି ନିଆଯାଇଥିଲା। ଏହାକୁ ଓକିଲ ସଂଘ ବିରୋଧ କରିଆସୁଥିବାବେଳେ ଆଞ୍ଚଳିକ ସୁରକ୍ଷା ମଂଚ ଗଠନ ହୋଇ ଏହାର ପ୍ରତିରୋଧ କରିଥିଲା। ଶେଷରେ ସରକାରଙ୍କ ନିଷ୍ପତ୍ତି ଅତୁଟ ରହିଥିଲା। ପ୍ରଶାସନ ଏ ଦିଗରେ ନଳାଙ୍ଗ ଠାରେ ୪ ଏକର ସରକାରୀ ଜମି ଯୋଗାଇ ଦେବା ପରେ ୨୫ ହଜାର ବର୍ଗଫୁଟର ଚାରିମହଲା ବିଶିଷ୍ଟ ନାଲିକୋଠା ନିର୍ମାଣର ଶୁଭାରମ୍ଭ ପାଇଁ ଆରମ୍ଭ ହେଲା ଟେଣ୍ଡର ପ୍ରକ୍ରିୟା। ପ୍ରଥମ ପର୍ଯ୍ୟାୟରେ ୧୦ କୋଟି ୭୬ ଲକ୍ଷ ଟଙ୍କା ମଂଜୁର ହେବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ୬ କୋଟି ଟଙ୍କା ମଂଜୁର କରାଗଲା। ମାତ୍ର କାର୍ଯ୍ୟର ଶେଷର ସମୟ ଅବଧି ପୂର୍ଣ୍ଣ ହେବାକୁ ବସିଥିଲେ ବି ଏହାର କାର୍ଯ୍ୟ ତ୍ୱରାନ୍ୱିତରେ ଦେଖାଦେଇଛି ମନ୍ଥରତା। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ନଳାଙ୍ଗରେ ନିର୍ମାଣାଧୀନ ଏହି କୋର୍ଟ ଜିଲା ସଦର ମହକୁମା ଠାରୁ ୩ କିଲୋମିଟର ଦୂର ହୋଇଥିବାବେଳେ ମହକିଲଙ୍କ ଗମନାଗମନ ଓ ସୁରକ୍ଷା ଏହାର ଏକ ମୁଖ୍ୟ ପ୍ରସଙ୍ଗ ହୋଇଛି। ଏହିଭଳି ଅନେକ ପ୍ରସଙ୍ଗକୁ ନେଇ ଭଦ୍ରକ ଓକିଲ ସଂଘ ଆଜିପର୍ଯ୍ୟନ୍ତ ଏହାର ବିରୋଧ କରିଆସୁଛି। ଅନ୍ୟପକ୍ଷରେ ନିର୍ମାଣରେ ମନ୍ଥରତା ଯୋଗୁଁ ଏହି କୋଠା ବହୁ ଆସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଯାହାର ପ୍ରମାଣ ଏହି କୋଠାର ଚତୁଃପାଶ୍ୱର୍ରେ ପଡିଥିବା ମଦ ବୋତଲରୁ ଜଣାପଡେ। ଆଇନ୍ଜୀବୀମାନଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରାନଯିବା ପର୍ଯ୍ୟନ୍ତ ସେମାନେ ସେଠାରେ କାର୍ଯ୍ୟ କରିବେ ନାହିଁ ବୋଲି ଅଡିବସିଥିବାବେଳେ କୋଠାର ଅନ୍ତରୀଣ କାର୍ଯ୍ୟ ଏକ ପ୍ରକାର ସଂପୂର୍ଣ୍ଣ ସରିଛି। ମାତ୍ର ଷ୍ଟାଫ ଓ ଜଜ୍ କ୍ୱାଟର୍ସ ଏପର୍ଯ୍ୟନ୍ତ ଆରମ୍ଭ ହୋଇନି। ଏହି କାର୍ଯ୍ୟ ପୂର୍ତ୍ତ ବିଭାଗକୁ ନ୍ୟସ୍ତ କରାଯାଇଥିବାବେଳେ ସଂପୃକ୍ତ ଠିକାଦାରଙ୍କୁ ଦାୟୀ କରିଛନ୍ତି ବିଭାଗୀୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ। ତେବେ ଭଦ୍ରକ ଜିଲାରେ ଏଭଳି ଏକ ଉନ୍ନୟନ ମୂଳକ କାର୍ଯ୍ୟ ତ୍ୱରାନିତ କରିବା ନେଇ ସବୁସ୍ତରର ସହଯୋଗ ଜରୁରୀ ହୋଇପଡିଛି।
Related Posts
About The Author