ବାଲେଶ୍ବର, 27.01.2021(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):- ଆକ୍ସନ ମୋଡରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ୨ ଦିନ ହେଲା କେନ୍ଦ୍ରମନ୍ତ୍ରୀ ଧାନମଣ୍ଡିର କର୍ମଚାରୀଙ୍କୁ ପାଣି ପିଇସାରିଲେଣି । ଗତକାଲି ବାଲେଶ୍ବର ନିଧିପଣ୍ଡା ନିକଟରେ ଅସ୍ଥାୟୀ ଧାନମଣ୍ଡି ଚାଲିଥିଲା। ଅଚାନକ କେନ୍ଦ୍ରମନ୍ତ୍ରୀ ସେଠାରେ ପହଞ୍ଚି ଯାଇଥିଲେ। ଏଠାରେ ଧାନମଣ୍ଡି କାହିଁକି ଚାଲିଛି ବୋଲି ପ୍ରଶ୍ନ କରିଥିଲେ। ଏହା ଦେଖି ନନାଙ୍କ ରାଗ ପଞ୍ଚମକୁ ଚଢ଼ି ଯାଇଥିଲା। ମିଲର ମାଲିକଙ୍କ ସୁବିଧା ପାଇଁ ଚାଷୀ ହନ୍ତସନ୍ତ ହେଉଛନ୍ତି। ଅସ୍ଥାୟୀ ଧାନମଣ୍ଡିର କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଚାଷୀଙ୍କ କର, ଖଜଣାରେ ଦରମା ପାଉଛ, ମିଲରଙ୍କ ପାଇଁ ଓକିଲାତି କରୁଛ। ତମର ଭାଗ କେତେ ପଡୁଛି। କେଉଁ ମେସିନ୍ରେ ସୁକୁତି କାଟୁଛ, ଦେଖାଇଲ ଟିକେ। ଏମିତି ଅନେକ କଥା କହିଥିଲେ ପ୍ରତାପ ଷଡ଼ଙ୍ଗୀ। ପୁଣି ମଙ୍ଗଳବାର ଆଦିବାସୀ ଗାଁର କିଛି ଲୋକଙ୍କ ଅଭିଯୋଗ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ନୀଳଗିରି ବ୍ଲକ ଅଧିନ ପିଠାହତା ପଞ୍ଚାୟତର ଶତାଧିକ ଆଦିବାସୀମାନେ ଆଜି ବିଭିନ୍ନ ଅନିୟମିତତା ହେଉଥିବା ଅଭିଯୋଗ କରିଥିଲେ। ଉକ୍ତ ଅଞ୍ଚଳର ବାବୁଲି ବୁଗୁଡି ନାମକ ଜଣେ ବ୍ୟକ୍ତିଙ୍କ ନାମରେ ଲୋନ୍ ହଡପ ହୋଇଥିବା ଅଭିଯୋଗ ନନାଙ୍କ କାନରେ ପଡିଥିଲା। ଲୋନ ଉଠିଥିବା ୩୫ ହଜାର, ଚାଷୀଙ୍କୁ ମିଳିଥିଲା ୫ ହଜାର। ପରବର୍ତ୍ତୀ ସମୟରେ ଚାଷୀଙ୍କ ଦୁଆରେ ନୋଟିସ୍ ଝୁଲାଇ ଦେଇଥିଲେ ବ୍ୟାଙ୍କ କର୍ମଚାରୀ। ଏହି କଥା ଜାଣିବା ପରେ ନନା ରାଗରେ ପୁରା ପାଚି ଯାଇଥିଲେ। ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।