ଭଦ୍ରକ,୨/୯ (ସନ୍ଧାନ ନିୟୁଜ): ଗୋଟିଏ ରାତିରେ ଦୁଇ ଦୁଇଟି ମନ୍ଦିରରେ କଳାକନା ବୁଲାଇଛନ୍ତି ଚୋର । ଏ ସମ୍ପର୍କରେ ସହରାଞ୍ଚଳ ଥାନାରେ ଦୁଇଟି ପୃଥକ ଅଭିଯୋଗପତ୍ର ଦାଖଲ ହୋଇଛି । ପୁଲିସ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କେତେକ ଦୁର୍ବୁତ୍ତ ଚାରିଘରିଆ ଜାନୁଗଞ୍ଜ ଛକସ୍ଥିତ ମା’ ତାରିଣୀ ମନ୍ଦିରର ମୁଖ୍ୟ କବାଟ ଭାଙ୍ଗି ମା’ଙ୍କ ୩ଟି ସୁନା ଓ ରୂପା ମୁକୁଟ, ଅନ୍ୟାନ୍ୟ ଅଳଙ୍କାର, ପୂଜା ଉପକରଣ ନେଇଯାଇଛନ୍ତି । ଏଥିସହ ମନ୍ଦିର ମଧ୍ୟରେ ଥିବା ଦାନବାକ୍ସକୁ ମଧ୍ୟ ନେଇ ପଳାଇବା ପରେ ନିକଟସ୍ଥ ଏକ ବିଲରେ ଏହାକୁ ଭାଙ୍ଗି ସମସ୍ତ ଦାନ ଟଙ୍କା ନେଇ ପଳାଇଛନ୍ତି । ଉକ୍ତ ବାକ୍ସକୁ ପରିତ୍ୟକ୍ତ ଅବସ୍ଥାରେ ସେମାନେ ପକାଇ ପଳାଇଛନ୍ତି । ସକାଳେ ମନ୍ଦିର ପୂଜକ ଚୋରି ହୋଇଥିବା ଦେଖି ମନ୍ଦିର କମିଟି ସଭାପତି ରବି ଜେନାଙ୍କୁ ଖବର ଦେଇଥିଲେ । ପରେ ଶ୍ରୀ ଜେନା ଏ ସମ୍ପର୍କରେ ଟାଉନ ଥାନାରେ ଲିଖିତ ଅଭିଯୋଗପତ୍ର ଦାଖଲ କରିଛନ୍ତି । ଚୋରୀ ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଶ୍ରୀ ଜେନା ନିଜ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି । ଅଭିଯୋଗ ଆଧାରରେ ଟାଉନ ଥାନାଧିକାରିଣୀ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ନେଇ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେହିପରି ତାରିଣୀ ମନ୍ଦିରର ୨ଶହ ମିଟର ଦୂରରେ ଥିବା ମା’ ମଙ୍ଗଳା ମନ୍ଦିରରୁ ମଧ୍ୟ ଅନୁରୂପ ଚୋରୀ ହୋଇଥିବାବେଳେ, ମନ୍ଦିର କମିଟି ପକ୍ଷରୁ ଏଥିନେଇ ଲିଖିତ ଅଭିଯୋଗପତ୍ର ଦାଖଲ ହୋଇଛି ।
ଗୋଟିଏ ରାତିରେ ଦୁଇ ଦୁଇଟି ମନ୍ଦିରରେ କଳାକନା ବୁଲାଇଛନ୍ତି ଚୋର
|
September 3, 2019 |
