ପୁରୀ, ୩୧/୧୦ (ସନ୍ଧାନ ନିୟୁଜ) ଶଙ୍ଖକ୍ଷେତ୍ର ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ମାଧ୍ୟମରେ ଚିତ୍ର ଉଠେଇଥିବା ଘଟଣା ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ସୋସିଆଲ ମିଡିଆରେ ଏହି ଭିଡ଼ିଓ ଭାଇରାଲ ହେବାପରେ ସିଂହଦ୍ୱାର ପୋଲିସ ପକ୍ଷରୁ ଗତକାଲି ଏକ ମାମଲା ରୁଜୁ କରାଯାଇଥିଲା । ପୁରୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅର୍ବାନ୍ ରିଲାକ୍ସ ଭିଡ଼ିଓ ମେକର ଗ୍ରୁପ ବିରୋଧରେ ଆଇପିସିର ଦଫା ୨୯୫ (କ), ଐତିହ୍ୟ କୀର୍ତ୍ତିରାଜି ଆଇନର ଦଫା ୩୦, ଶ୍ରୀମନ୍ଦିର ୧୯୫୪ ଆଇନର ଦଫା ୩୦ (କ), ୪ (ଗ), ଆଇଟି ଆକ୍ଟର ଦଫା-୬୦ରେ ମାମଲା ରୁଜୁ କରିଛି । ଏ ନେଇ ପୁରୀର ବୁଦ୍ଧିଜୀବୀ ହେକ୍ଟର ମିଶ୍ର ଥାନାରେ ଅଭିଯୋଗ କରିଥିବା ବେଳେ ସମ୍ପୃକ୍ତ ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଶ୍ରୀମନ୍ଦିରକୁ ନୋ-ଫ୍ଲାଇଙ୍ଗ୍ ଜୋନ୍ ଘୋଷଣାକୁ ପୁନର୍ବାର ଦାବି ହୋଇଛି । ଅପରପକ୍ଷରେ ଘଟଣା ସମ୍ପର୍କରେ ସମ୍ପୃକ୍ତ ସଂସ୍ଥା ଇମେଲ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛି । ସେମାନେ କୌଣସି ବେଆଇନ କାମ କରିନଥିବା କହିଛନ୍ତି । ଏପରି କି ସଂସ୍ଥା ପକ୍ଷରୁ ଡ୍ରୋନ୍ ମାଧ୍ୟମରେ ଶ୍ରୀମନ୍ଦିରର ଚିତ୍ର ଉତ୍ତୋଳନ କରିଥିବା ମାନିଥିବାବେଳେ ମେଘନାଦ ପାଚେରୀ ବାହାରୁ ଏଭଳି ଚିତ୍ର ଉତ୍ତୋଳନ କରିଥିବା କହିଛନ୍ତି । ଡ୍ରୋନ୍ କ୍ୟାମେରା ଦ୍ୱାରା ଭାରତରେ ସୁଟିଂ କରିବାର କୌଣସି କଟକଣା ନଥିବା ସମ୍ପୃକ୍ତ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଏଭଳି ପ୍ରତିକ୍ରିୟା ଉପରେ ପୁରୀର ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି ଯେ, ସମ୍ପୃକ୍ତ ସଂସ୍ଥା ଭାରତୀୟ ଆଇନ ଅନୁସାରେ ଡ୍ରୋନ୍ ଉଡାଇବା ନେଇ ଅନୁମତି ନେଇଥିଲା କି? ଡିଜିସିଏର ଗାଇଡଲାଇନ ଅନୁସାରେ ଡ୍ରୋନ୍ ଉଡାଇବା ନେଇ ଅନୁମତିର ଆବଶ୍ୟକତା ଥିବା ବେଳେ ସେଭଳି କାହିଁକି କରାଯାଇନଥିଲା? ଏପରି କି ଶ୍ରୀମନ୍ଦିର ସୁରକ୍ଷା ଦୂରଷ୍ଟିରୁ ଉପରେ ୪ଶହ ଫୁଟରୁ ଅଧିକ ଉଚ୍ଚତାରେ ଡ୍ରୋନ୍ ନ ଉଡାଇବାକୁ ପୂର୍ବରୁ ନିୟମ ରହିଛି ।
ପୁରୀ ଜିଲ୍ଲା ପ୍ରତିିନିଧି ଲାଲା ଅନନ୍ତ କୁମାର ସିଂହ ରିପୋର୍ଟ



