ବାରିପଦା ୨୭/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ମୟୁରଭଞ୍ଜ ଜିଲା ବେତନଟୀ ଓ ବଡ଼ସାହି ତହସିଲ ଅଞ୍ଚଳରୁ ବ୍ୟାପକ ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ ଘଟଣାରେ ବ୍ୟବସାୟୀ ଓ ବିଦାୟୀ ତହସିଲଦାରଙ୍କ ବିବାଦ ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ବୈଶିଙ୍ଗା ପୁଲିସ୍ ଶନିବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି । ସେମାନେ ହେଲେ ବାଲେଶ୍ବର ସଦର ଥାନା ଅଧୀନ ଦୁମଦା ଗ୍ରାମର ଅଭିଜିତ ମହଲ(୩୫), ବେତନଟୀର ବାପୁନ ଓରଫ ପ୍ରିୟବ୍ରତ ପଟ୍ଟନାୟକ (୩୬) ଓ ରିଣ୍ଟୁ ଓରଫ ଶିବାଶିଷ ନାଥ(୩୬) । ବେତନଟୀ କୋର୍ଟରେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ।
ବଡ଼ସାହିର ମୋରମ ବ୍ୟବସାୟୀ ଶ୍ରୀକାନ୍ତ ଦାସଙ୍କ ଅଭିଯୋଗ କ୍ରମେ ପୁଲିସ୍ ଏହି ୩ଜଣଙ୍କ ବ୍ୟତୀତ ବେତନଟୀ ତହସିଲଦାର ଅନିଶା ଦାସ, ବେତନଟୀର ଜଗା ଓରଫ ଖଗେଶ୍ବର ବେହେରା ଓ ଅନ୍ୟ ଜଣେ ଅଜ୍ଞାତ ମହିଳାଙ୍କ ନାମରେ ମାମଲା ରୁଜୁ କରିଥିଲା । ୨୦ତାରିଖ ଭୋର ସମୟରେ ଶ୍ରୀକାନ୍ତଙ୍କ ହାଇୱା ମୋରମ ବୋଝେଇ କରି ଚାନ୍ଦିପୁର ଆଇଟିଆର ଅଭିମୁଖେ ଯାଉଥିବା ବେଳେ ତହସିଲଦାର ଉପରୋକ୍ତ ଅଭିଯୁକ୍ତଙ୍କ ସହିତ ବୈଶିଙ୍ଗାରେ ଅଟକାଇ କୁଆଡ଼େ ଡ୍ରାଇଭର ନିକଟରୁ ଟଙ୍କା ଛଡ଼ାଇନେବା ସହିତ ଗାଡ଼ି ଚାଳକକୁ ମାଡ଼ ମାରିଥିଲେ । ତହସିଲଦାର ଏକ ଘରୋଇ କାରରେ ଆସିଥିବା ବେଳେ ଭିତରେ ବସିଥିବା ମହିଳାଙ୍କୁ ଉପଜିଲାପାଳ ଭାବେ ଚିତ୍ରଣ କରି ମୋରମ ଗାଡ଼ିକୁ ଥାନାରେ ଜିମା ଦେଇଥିଲେ। ୨୨ତାରିଖ ଦିନ ଉକ୍ତ ଗାଡ଼ି ବିରୋଧରେ ତହସିଲଦାର ଥାନାରେ ଅଭିଯୋଗ କରିବାରୁ ପୁଲିସ୍ ଏକ ମାମଲା ରୁଜୁ କରିଥିଲା । ତେବେ ତା’ପୂର୍ବରୁ ଶ୍ରୀକାନ୍ତ-ଅଭିଜିତ ଓ ତହସିଲଦାରଙ୍କ ଭିତରେ ମାମଲା ରଫାଦଫା ପାଇଁ ହୋଇଥିବା ଡ଼ିଲା ସଂକ୍ରାନ୍ତ କଥାବାର୍ତ୍ତାର ୪ଟି ଅଡ଼ିଓ ଭାଇରାଲ ହେବା ପରେ ରାଜନୈତିକ ମହଲ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ହଇଚଇ ସୃଷ୍ଟି ହୋଇଥିଲା । ଫଳରେ ମୟୂରଭଞ୍ଜ ଏସପି ଓ ଜିଲାପାଳ ଘଟଣାକୁ ଗୁରୁତ୍ଵର ସହିତ ନେଇଥିଲେ।
ଘଟଣାର ତଦନ୍ତ ପାଇଁ ବାଲେଶ୍ବର କ୍ରାଇମ ଡ଼ିଏସପି ମନୋଜ ରାଉତଙ୍କ ନେତୃତ୍ବରେ ବେତନଟୀ ଏସଡ଼ିପିଓ ଲଳିତ ମୋହନ ପଟ୍ଟନାୟକ, ଆଇଆଇସି ଆଶୋକ କୁମାର ନାୟକ, ବୈଶିଙ୍ଗା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁ ଓ ବଡ଼ସାହି ଆଇଆଇସି ମିଳିତ ଭାବେ ବୈଶିଙ୍ଗା ଥାନାରେ ଅଭିଯୁକ୍ତଙ୍କୁ ମାରାଥନ ଜେରା କରିଥିଲେ । ତହସିଲଦାରଙ୍କ ସହିତ ୩ ଅଭିଯୁକ୍ତ ଓ ଅନ୍ୟ ଅଟକ ମହିଳାଙ୍କ ବୟାନ ରେକର୍ଡ଼ ପରେ ୩ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ତହସିଲଦାରଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛଡ଼ା ଯାଇଥିବା ବେଳେ କ୍ଷମତାର ଅପବ୍ୟବହାର ପାଇଁ ପ୍ରଶାସନିକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପୂର୍ବକ ତାଙ୍କୁ କଳାହାଣ୍ଡି ଡ଼େପୁଟି କଲେକ୍ଟର ଭାବେ ବଦଳି କରାଯାଇଛି । ସେ ଶୁକ୍ରବାର ରିଲିଫ ହେବା ପରେ ଅତିରିକ୍ତ ତହସିଲଦାର ନମିତା ଧଳ ଭାରପ୍ରାପ୍ତ ତହସିଲଦାର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଉପଜିଲାପାଳ ଚିତ୍ରଣ କରାଯାଇଥିବା ମହିଳା ଭାବେ ଅଭିଯୁକ୍ତ ପ୍ରିୟବ୍ରତଙ୍କ ପତ୍ନୀ ଅମ୍ରିତା ସୁମନ ମନ୍ତ୍ରୀଙ୍କ ଠାରୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ରେକର୍ଡ଼ ପରେ ତାଙ୍କୁ ସରକାରୀ ସାକ୍ଷୀ ଭାବେ ଗ୍ରହଣ କରାଯାଇ ଛାଡ଼ି ଦିଆଯାଇଛି । ଅଭିଯୁକ୍ତ ଅଭିଜିତଙ୍କ ମାଧ୍ୟମରେ ବେତନଟୀ/ବଡ଼ସାହି ତହସିଲ ଅଞ୍ଚଳରୁ ଲଘୁଖଣିଜ ଦ୍ରବ୍ୟ ଚୋରାଚାଲାଣ ହେଉଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଅଭିଜିତ ବ୍ୟବହାର କରୁଥିବା ନାଲିରଙ୍ଗର ଏସୟୁଭି କାରକୁ ପୁଲିସ୍ ଜବତ କରିଛି । ଗାଡ଼ିରୁ ତହସିଲଦାରଙ୍କ ସ୍ବାକ୍ଷର ଥିବା ଟ୍ରାନଜିଟି ଓ ଚାଲାଣ ଭଳି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ଯାହା ଠିକ କି ନୁହେଁ ତଦନ୍ତ ପାଇଁ ପଠାଯାଇଛି । ଭାଇରାଲ ଅଡ଼ିଓ ବର୍ତ୍ତାଳାପର ଫରେନସିକ ପରୀକ୍ଷା ପାଇଁ କଲକାତା ପଠାଯାଇଛି । ଅନ୍ୟପକ୍ଷରେ ଅଭିଜିତ ସୋସିଆଲ ମିଡ଼ିଆ ପ୍ରୋଫାଇଲରେ ନିଜକୁ ଓଡ଼ିଶା ପୁଲିସର କର୍ମଚାରୀ ଦଶାଇଥିବା ଉଲ୍ଲେଖ ରହିଛି । ଫ୍ରେଣ୍ଡଲିଷ୍ଟରେ ବିଭିନ୍ନ ରାଜନୈତିକ ନେତାଙ୍କ ତାଲିକା ରହିଛି । ଅନୁସନ୍ଧାନରୁ ଜଣାପଡ଼େ ଯେ ସେ ବାଲେଶ୍ବର ଫୁଲାଡ଼ି ଫାଣ୍ଡି ଅଧୀନରେ ୧୩/୧୪ବର୍ଷ ପୂର୍ବେ ହୋମଗାର୍ଡ ଭାବେ କାର୍ଯ୍ୟ କରିବା ସମୟରେ ଚୋରା ବେପାରୀଙ୍କ ସଂସ୍ପର୍ଶରେ ଆସି ନିଜର ବ୍ୟବସାୟ ଆରମ୍ଭ କରିଥିଲା । ଖାକି ଚାକିରି ଛାଡ଼ିସେ ବର୍ତ୍ତମାନ କୋଟିପତି ! ଯାହା ତାଙ୍କର ଦୁମଦାରେ ଥିବା ଦ୍ବିମହଲା ପ୍ରାସାଦ ଦେଖିଲେ ପ୍ରମାଣ ମିଳୁଛି। ପୁଲିସ ଏହି ଘରେ ଶୁକ୍ରବାର ଚଢ଼ାଉ କରିଥିଲେ ହେଁ ସେପରି ପ୍ରମାଣମୂଳକ କୌଣସି ସାମଗ୍ରୀ ଜବତ କରିପାରିନାହିଁ । ଅଭିଜିତ ଜରିଆରେ ବେତନଟୀ ତହସିଲ ଅଧୀନ ଚୁଆପଦା,ମୋହନପୁର, ଭାଲିଆଡ଼ିହ, ଭିତରଶୋଳ ଓ ଭୁଡ଼ରବଣିର ସଂରକ୍ଷିତ ଜଙ୍ଗଲ ଓ ଗୋଚର ଜମି ସହିତ ଗରୁଡ଼ବସା ଦେବୋତ୍ତର ଜମିରୁ ବ୍ୟାପକ ବେଆଇନ ଖନନ ପୂର୍ବକ ମୋରମ ଚୋରାଚାଲାଣ ହୋଇଛି । ଯାହାର କ୍ରାଇମବ୍ରାଞ୍ଜ ତଦନ୍ତ ହେଲେ ବେତନଟୀର ପୂର୍ବ ତହସିଲଦାର ରବିନାରାୟଣ ଶତପଥଙ୍କ ଭଳି ବିଦାୟୀ ତହସିଲଦାର ଅଡ଼ୁଆରେ ପଡ଼ିବେ । ପୂର୍ବତନ ତହସିଲଦାର ଅତୀତରେ କଳମ-ଜୟପୁରିଆ ଅଞ୍ଚଳରେ ଚୋରା ମୋରମ ଚାଲାଣ ପାଇଁ ଜେଲ ଯିବା ସହିତ ରାଜସ୍ବ ହାନୀ ବାବଦରେ ଅର୍ଥ ଭରଣା ମାମଲାରେ ଛନ୍ଦି ହୋଇଥିଲେ । ରାଜନୈତିକ ଛତ୍ରଛାୟା ତଳେ ବେତନଟୀର କେତେକ ଅସାମାଜିକ ଗୋଷ୍ଠୀ ଏପରି କାର୍ଯ୍ୟରେ ଲିପ୍ତ ଥିବାରୁ ସମସ୍ତଙ୍କୁ ତଦନ୍ତ ପରିସରକୁ ଆଣିବାପାଇଁ ବିକାଶମଞ୍ଚର ଆବାହକ ହରିଶ୍ଚନ୍ଦ୍ର ନନ୍ଦଗୋସ୍ବାମୀ ଦାବି କରିଛନ୍ତି । ସେହିପରି ବୈଶିଙ୍ଗା ଜିଲାପରିଷଦ ସଦସ୍ୟ ବ୍ରଜମୋହନ ବେହେରା ୨୦୧୯ ମସିହାରେ ଚୋରାଚାଲାଣ ସମ୍ପର୍କରେ ଅଭିଯୋଗ ଲିଖୁତ ଭାବରେ ପ୍ରଦାନ କରିଥିଲେ ହେଁ ପ୍ରଶାସନ କିମ୍ବା ପୁଲିସ୍ କାର୍ଯ୍ୟାନୁଷ୍ଠାନ ଶୂନ୍ୟ ପାଇଁ ସରକାର ବିପୁଳ ରାଜସ୍ବ ହରାଇଛନ୍ତି ବୋଲି କହିଛନ୍ତି । ତେବେ ରାଜସ୍ବ ମନ୍ତ୍ରୀଙ୍କ ଜିଲାରେ ତହସିଲଦାର ଓ ମାଫିଆଙ୍କ ସଲାସୁତରାରେ ଏପରି ଘଟଣା ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେ ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରାଯାଉଛି ।