କୁଆଖିଆ ପୋଲିସର ନିଷ୍କ୍ରିୟତା, ଅପରାଧୀକୁ ସୁହାଉଛି

Spread the love

ରସୁଲପୁର,୯/୩(ସନ୍ଧାନ ନିଉଜ/ଜଗମୋହନ ରାଉତ): ରସୁଲପୁର ବ୍ଲକରୁ ୧୮ଗୋଟି ପଂଚାୟତ କୁଆଖିଆ ଥନା ଅଧିନରେ ରହିଛି । ଏହି ଥାନାଟି ୧୬ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଅବସ୍ଥିତ ଦୃଷ୍ଟିରୁ ଜିଲାରେ ଥାନାର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି । ମାତ୍ର ଏହି ଥାନାର ସଫଳତା ଉପରେ ପ୍ରଶ୍ନବାଚୀ ରହିଛି । ଏ ଦିଗରେ କୁଆଖିଆ ପୋଲିସର ନିଷ୍କ୍ରିୟତାକୁ ଦାୟୀ କରାଯାଉଛି । ପୋଲିସର ରକ୍ଷଣାତ୍ମକ କାର୍ଯ୍ୟ ଯୋଗୁଁ ଅପରାଧିକୁ ସୁହାଉଛି । ରାଜେନ୍ଦ୍ରପୁର ପଂଚାୟତ ସରପଂଚଙ୍କ ଭାଇ ଠୁନୁ ବେହରାଙ୍କ ଦୌରାତ୍ମ୍ୟ ଓ ଅପରାଧିକ ମାମଲାରେ ପୋଲିସର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଶିଥିଳତା ଏହାର ଏକ ଜ୍ୱଳନ୍ତ ଉଦାହରଣ ଭାବରେ ନିଆଯାଇପାରେ ।
ଘଟଣାରୁ ଜଣାଯାଏ ଅଭି୍ୟୁକ୍ତ ଠୁନୁ ନାଁରେ ଥାନାରେ ଏକାଧିକ ମାମଲା ରହିଛି । ପୋଲିସର ହାତ ତା ନିକଟରେ ପହଁଚି ପାରୁନାହିଁ । ଫଳରେ ସେ ବାରମ୍ବାର ପଂଚାୟତରେ ନାନ ଅପରାଧିକ ମାମଲାରେ ସଂପୃକ୍ତ ରହିଛନ୍ତି । ଚୋରା ବାଲି ଚାଲାଣ ହେଉ ଅବା ପଂଚାୟତରେ ଠିକାଦାରୀ, ଦାଦାବଟି ଆଦାୟରେ ସବୁଠିଁ ଠୁନୁର ପ୍ରଭାବ ଦେଖିବାକୁ ମିଳିଛି । ସେ ସ୍ପଷ୍ଟ ଦିବାଲୋକରେ ନିରୀହ ଲୋକଙ୍କୁ ମାଡ ମାରିବା ଓ ଜୀବନରୁ ମାରିବା ପାଇଁ ମାରଣାସ୍ତ୍ର ଧରି ଜୀବନରୁ ମାରିଦେବାକୁ ଧମକ ଦେବା ଭଳି ଅଭିଯୋଗ ତା ନାଁରେ ରହିଛି । ଏ ସବୁ ସତ୍ୱେ ପୋଲିସ ଠୁନୁ ଧରିବାରେ କାହିଁକି ବିଫଳ ହେଉଛି ତାକୁ ନେଇ ସାଧାରଣରେ ଏକ ବଡପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଭିଯୁକ୍ତ ଓ ତାର ୨ଜଣ ସହେଯାଗୀ ଶୁକ୍ରବାର ଅପରାହ୍ନରେ ଏହି ପଂଚାୟତର କରଜଂଗା ଗ୍ରାମର କୈଳାସ ଚନ୍ଦ୍ର ସାହୁଙ୍କୁ ଦଆଲଖଣ୍ଡି ଗ୍ରାମର ମଙ୍ଗଳା ଛକ ନିକଟରେ ମରଣାତ୍ମ ଆକ୍ରମଣ କରିଥିଲେ । ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ମଧୁବନ ଡାକ୍ତରଖାନାକୁ ନେଇଥିଲେ । ଏହି ସୁଯୋଗରେ ଅଭିଯୁକ୍ତମାନେ କୈଳାସ ଘରେ ତାର ମାକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଟଣାଓଟରା କରିଥିଲେ । ଏ ନେଇ ଘଟଣାଦିନ ରାତିରେ କୁଆଖିଆ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୋଲିସ ଥାନରେ କେସ୍ ନଂ-୫୬/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଘଟଣାକୁ ୨ଦିନ ବିତି ଯାଇଥିଲେ ବି ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ଅସଫଳ ହୋଇଛି । ପ୍ରକାଶ ଯେ ଠୁନୁ ଫେବୃଆରୀ ୧୩ ତାରିଖରେ ଏହି ପଂଚାୟତ କରଜଂଗା ଗ୍ରାମର୨ଜଣ ଛେନା ବ୍ୟବସାୟୀ ଦୁଇ ଭାଇ କୁଞ୍ଜ ପଲେଇ ଓ ତାର ଭାଇ ଗଣେଶ୍ୱର ପଲେଇଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ଅଭିଯୁକ୍ତ ଓ ତାର ସାଥୀମାନଙ୍କୁ ନେଇ ବ୍ୟବସାୟୀମାନଙ୍କୁ ମାଡ ମାରି ତଳେ ପକାଇ ଦେଇଥିଲେ । ବ୍ୟବସାୟୀ ତଳେ ପଡିଥିବା ସୁଯୋଗରେ ଅଭିଯୁକ୍ତମାନେ ତାକୁ ଏକ କାତିରେ ହାଣିବାକୁ ଉଦ୍ୟମ କରିଥିଲେ । ଛକର ଲୋକେ ଘଟଣାସ୍ଥଳରେ ପହଁଚି ଯିବାରୁ ସେମାନେ ଛାଡି ପଳାଇ ଯାଇଥିଲେ । ଏ ସଂପର୍କରେ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଏହି ଘଟଣାକୁ ନେଇ ଥାନାରେ କେସ୍ ନଂ- ୩୪/୧୯ରେ ଏକ ମାମଲା ରୁଜୁ ହୋଇଛି । ତଦନ୍ତ ଦାଇତ୍ୱ ଏଏସଆଇ ଅମୁଲ୍ୟ ମିଶ୍ରଙ୍କୁ ଦିଆଯାଇଛି । ତଦନ୍ତ ଅଧିକାରୀଙ୍କ କାର୍ଯ୍ୟରେ ଶିଥିଳତା ଯୋଗୁଁ ଅଭିଯୁକ୍ତକୁ ଖୋଲା ମେଲାରେ ବୁଲୁଛି ଓ ଗୋଟାକ ପରେ ଗୋାଟଏ ଅପରାଧ ଘଟାଇ ଚାଲିଛି । ସରପଂଚଙ୍କ ଭାଇ ଓ ତାର ସହଯୋଗୀଙ୍କ ଦୌରାତ୍ମ୍ୟ ଓ ପୋଲିସର କାର୍ଯ୍ୟାନୁଷ୍ଠାନରେ ଶିଥିଳତାକୁ ନେଇ ସ୍ଥାନୀୟ ଅଂଚଳରେ ଜନ ଅସନ୍ତୋଷ ସୃଷ୍ଟି କରୁଛି । ଏ ଦିଗରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସ୍ଥାନୀୟ ଜନସାଧାରଣ ପକ୍ଷରୁ ଥାନା ଘେରାଓ କରାଯିବାକୁ ଚେତାବନୀ ଦିଆଯାଇଛି । ଏ ସଂପର୍କରେ କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁଙ୍କୁ ପଚାରିବାରୁ ମାମଲାକୁ ପୋଲିସ ଗମ୍ଭିରତାର ସହ ନେଇଛି । ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ପୋଲିସକୁ ସଫଳତା ନିଶ୍ଚିତ ମିଳିବ ବୋଲି କହିଛନ୍ତି ।

Related Posts

About The Author

Add Comment