କାର୍ଗିଲ ବିଜୟ ଦିବସ ପାଳିତ, ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଓ ସ୍ମାରକୀ ନିର୍ମାଣ ପ୍ରତିଶ୍ରୁତି

Spread the love
ବରଗଡ :- ୨୮/୭/୨୬ (ସନ୍ଧାନ ନ୍ୟୁଜ) କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ବଳି ଦେଇଥିବା ବୀର ସହିଦମାନଙ୍କ ସ୍ମୃତିରେ ନୃସିଂହନାଥ ଧର୍ମଶାଳାଠାରେ ସହିଦ ମାଧୋ ସିଂହ ସୈନିକ ସଂଘ ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳନ ହୋଇଯାଇଛି। ସଂଘର ସଭାପତି ନବୀନ ପ୍ରଧାନଙ୍କ ଅଧ୍ୟକ୍ଷତା ତଥା ସମ୍ପାଦକ ସୁବଳ ଗଡ଼ତୀୟାଙ୍କ ପରିଚାଳନାରେ ଅନୁଷ୍ଠିତ ସମାରୋହରେ ଅମର ସହିଦମାନଙ୍କ ପ୍ରତି ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।ପ୍ରାରମ୍ଭରେ ପ୍ରଭୁ ନୃସିଂହନାଥଙ୍କ ଚରଣରେ ଦେଶର ମଙ୍ଗଳ ଓ ସୁରକ୍ଷା କାମନା କରାଯାଇଥିଲା।ସଂଘର ସଭାପତି ନବୀନ ପ୍ରଧାନ କହିଥିଲେ ଯେ, କାର୍ଗିଲ ବିଜୟ ଦିବସ କେବଳ ବିଜୟର ସ୍ମୃତି ନୁହେଁ, ବରଂ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ଅମର ବୀର ସହିଦମାନଙ୍କ ପ୍ରତି କୃତଜ୍ଞତା ଜଣାଇବାର ଏକ ପବିତ୍ର ଅବସର। ଯୁବପିଢ଼ି ମଧ୍ୟରେ ଦେଶପ୍ରେମ, ଶୃଙ୍ଖଳା ଓ ରାଷ୍ଟ୍ରସେବାର ଭାବନା ଜାଗ୍ରତ କରିବା ପାଇଁ ଏଭଳି କାର୍ଯ୍ୟକ୍ରମର ଆୟୋଜନ ନିରନ୍ତର ଜାରି ରହିବ। ବୀର ସହିଦମାନଙ୍କ ତ୍ୟାଗ ଓ ବଳିଦାନକୁ ସଦା ସର୍ବଦା ସ୍ମରଣ କରିବା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ ବୋଲି ସେ ମତପ୍ରକାଶ କରିଥିଲେ।ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା କହିଥିଲେ ଯେ, ଭାରତୀୟ ସେନାର ଅଦମ୍ୟ ସାହସ, ବୀରତ୍ୱ ଓ ଆତ୍ମବଳିଦାନ ଯୋଗୁଁ ଆଜି ଦେଶ ସୁରକ୍ଷିତ ରହିଛି। ଆଗାମୀ ପିଢ଼ି ଏହି ବୀର ଯବାନମାନଙ୍କ ଆଦର୍ଶରୁ ପ୍ରେରଣା ନେବା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ।ଏହି ଅବସରରେ ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ପାଇକମାଳରେ ଭୂତପୂର୍ବ ସୈନିକମାନଙ୍କ ପାଇଁ ଏକ ସ୍ଥାୟୀ ସଂଘ ଗୃହ ଏବଂ ବୀର ସହିଦମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଭବ୍ୟ ସହିଦ ସ୍ମାରକୀ ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ତାଙ୍କ ଏହି ଘୋଷଣାକୁ ଉପସ୍ଥିତ ଭୂତପୂର୍ବ ସୈନିକ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ କରତାଳି ମାଧ୍ୟମରେ ସ୍ୱାଗତ କରିଥିଲେ। କାର୍ଯ୍ୟକ୍ରମରେ କାର୍ଗିଲ ବିଜୟ ଓ ଦେଶପ୍ରେମ ଉପରେ ବକ୍ତୃତା ପ୍ରତିଯୋଗିତା ଏବଂ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ବିଭିନ୍ନ ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ।ପରେ ନୃସିଂହନାଥ ଧର୍ମଶାଳାରୁ ଏକ ଶୋଭାଯାତ୍ରା ବାହାରି ପାଇକମାଳ ଛକ, ଦୁର୍ଗାମନ୍ଦିର ଓ ମୁଖ୍ୟ ଛକ ପରିକ୍ରମା କରି ଦେଶପ୍ରେମମୂଳକ ନାରା ଦେଇଥିଲେ। ଏହି ଅବସରରେ ସୌର୍ଯ୍ୟଚକ୍ର ସମ୍ମାନପ୍ରାପ୍ତ ସୈନିକ ଯୁଗଳ ଶବରଙ୍କୁ ସାମ୍ବାଦିକ ସଂଘର ସଭାପତି ବଡ଼ ଶତପଥୀ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରିଥିଲେ। ଶେଷରେ ଜାତୀୟ ସଙ୍ଗୀତ ଗାନ ସହ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା

Related Posts

About The Author

Add Comment