କଳିଙ୍ଗନଗର /୩୧ /୭ (ସନ୍ଧାନ ନ୍ୟୁଜ ):ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅଞ୍ଚଳରେ ଟ୍ରକ୍ରୁ ବ୍ୟାଟେରୀ ଚୋରି ଚକ୍ରକୁ ଧରିବାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଛିଡ଼ା ହୋଇଥିବା ଭାରୀଯାନରୁ ବ୍ୟାଟେରୀ ଚୋରି କରୁଥିବା ଅଭିଯୋଗରେ ପୋଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୯ଟି ବ୍ୟାଟେରୀ ଏବଂ ଏକ ମୋଟରସାଇକେଲ୍ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସାରଙ୍ଗପୁର ଗ୍ରାମର ଲାଲୁ ମୁଣ୍ଡା (ପିତା: ଦୁର୍ଗା ମୁଣ୍ଡା), ସୁବଳ ପେରାଇ (ପିତା: ଆଲେଖ ପେରାଇ) ଏବଂ ପ୍ରଫୁଲ୍ଲ ଜେନା (ପିତା: ଦେବା ଜେନା)।ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବିଆର୍ପିଏଲ୍ ଛକ ନିକଟରେ ପାର୍କିଂ ହୋଇଥିବା ଏକ ଟ୍ରକ୍ରୁ ବ୍ୟାଟେରୀ ଚୋରି କରି ବାଇକ୍ ଯୋଗେ ନେଇ ଯାଉଥିବା ସମୟରେ ପୋଲିସ ପାଟ୍ରୋଲିଂ ଟିମ୍ ସେମାନଙ୍କୁ କାବୁ କରିଥିଲା। ପରେ ଅଭିଯୁକ୍ତମାନଙ୍କୁ ଥାନାରେ କଡ଼ା ଜେରା କରାଯିବା ପରେ ସେମାନଙ୍କ ସୂଚନା ଆଧାରରେ ବିଭିନ୍ନ ସ୍ଥାନରୁ ଆଉ ୭ଟି ଚୋରା ବ୍ୟାଟେରୀ ଉଦ୍ଧାର କରାଯାଇଥିଲା।ଏହି ସମ୍ବନ୍ଧରେ କଳିଙ୍ଗନଗର ଥାନାରେ କେସ୍ ନଂ୨୨୦/୨୬, ଧାରା ୩୦୩(୨)/୩(୫) ବିଏନ୍ଏସ୍ (BNS) ଅନୁସାରେ ଏକ ମାମଲା ରୁଜୁ କରାଯାଇଛି। ଆଜି ଶୁକ୍ରବାର ଦିନ ପୋଲିସ ପକ୍ଷରୁ ତିନିଜଣ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି। ଇତିମଧ୍ୟରେ ଅଞ୍ଚଳରେ ବାରମ୍ବାର ଘଟୁଥିବା ଏଭଳି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଥିବାରୁ ସ୍ଥାନୀୟ ମାଲିକ ଓ ଟ୍ରକ ଚାଳକମାନେ ପୋଲିସର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।



