କଳଙ୍କି ଖାଉଛି ଓଡିଶାର ପ୍ରଥମ ବାୟୋଡିଜେଲ ପ୍ରକଳ୍ପ

Spread the love
କେନ୍ଦୁଝର, ୦୬/୧୨ (ସନ୍ଧାନ ନିୟୁଜ): ଦିନେ ଜଙ୍ଗଲର ଅଦରକାରୀ ମଞ୍ଜିରୁ ତେଲ ବାହାର କରି ସମଗ୍ର ଗାଁରୁ ଦୂର କରୁଥିଲା ଅନ୍ଧକାର । ହେଲେ ଆଜି ସେହି ଦରକାରୀ ବସ୍ତୁ ଘଞ୍ଚ ଜଙ୍ଗଲରେ ଖାଉଛି କଳଙ୍କି । 2005 ମସିହା । ଏମିତି ଏକ ସମୟ ଯେତେବେଳେ ଅନେକ ଗାଁ ବିଦ୍ୟୁତ୍ କଣ ଜାଣିନଥିଲା…ସେଭଳି ଏକ ଘଡିସନ୍ଧି ମୂହୂର୍ତ୍ତରେ କେନ୍ଦୁଝର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଟେନ୍ତଳାପସି ଗ୍ରାମପଞ୍ଚାୟତର ବଡକମଣ୍ଡରା ଗାଁରେ ଗଢି ଉଠିଥିଲା ଓଡିଶାର ପ୍ରଥମ ବାୟୋଡିଜେଲ ପ୍ରକଳ୍ପ । ଘଞ୍ଚ ଅରଣ୍ୟ ଓ ପାହାଡର ଅନତିଦୂରରେ ଥିବା ଏହି ଗାଁରେ ଏହି ପ୍ରକଳ୍ପ ପ୍ରତିଷ୍ଠା କରିବାର ଏକମାତ୍ର ଲକ୍ଷ୍ୟ ଥିଲା ଅଦରକାରୀ ମଞ୍ଜିରୁ ତେଲ ବାହାର କରି ବିଦ୍ୟୁତ୍ ଶକ୍ତି ଉତ୍ପାଦନ । ଆଉ ଏଥିପାଇଁ ସହଯୋଗର ହାତ ବଢାଇଥିଲେ ଏକ ବିଦେଶୀ ସଂସ୍ଥା ।
ଏହି ପ୍ରକଳ୍ପ ଯୋଗୁଁ ସନ୍ଧ୍ୟାରେ ଗାଁରୁ ଅନ୍ଧକାର ଦୂର ହେବା ସହ ଦିନରେ ଧାନ କଳ, ହଳଦୀ କଳ ଚାଲୁଥିଲା । ତେବେ ପ୍ରାରମ୍ଭର କିଛି ମାସ ବେଶ ସୁଚାରୁ ରୂପେ ଚାଲିଥିଲା । ହେଲେ ଏହାର ପରିଚାଳନା ଦାୟିତ୍ବରେ ଥିବା ଲୋକମାନେ ବେଶୀ ଦିନ ପର୍ଯ୍ୟନ୍ତ ଏହାକୁ ଚଲାଇ ପାରିନଥିଲେ । ସେପଟେ ତେଲ ବାହାରୁଥିବା ମଞ୍ଜି ବିପୁଳ ମାତ୍ରାରେ ନମିଳିବାରୁ ପ୍ରକଳ୍ପ ଗୃହରେ ପଡିଥିଲା ତାଲା । ବହୁ ଦିନ ତାଲା ପଡି ରହିବାରୁ ଏଥିରେ ଵ୍ୟଵହୃତ ଅଧିକାଂଶ ଯନ୍ତ୍ରାଂଶ ଚୋରି ହୋଇଥିଲା । ଏନେଇ ଦାୟିତ୍ବରେ ଥିବା ଲୋକମାନେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିଥିଲା । ଯେଉଁ ପ୍ରକଳ୍ପ ଦିନେ ବିଜୁଳି ଆଲୁଅ ଯୋଗାଇ ବନ୍ୟ ଜନ୍ତୁ ଠାରୁ ସୁରକ୍ଷିତ ରଖିବା ସହ ପିଲାଙ୍କ ପାଠପଢାରେ ସହାୟକ ହେଉଥିଲା ତାହା ଏବେ ଘଞ୍ଚ ଅରଣ୍ୟ ଭିତରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ।

Related Posts

About The Author

Add Comment