କର୍ଣ୍ଣାଟକରେ ବର୍ଷା, ବନ୍ୟା ଓ ଭୂସ୍ଖଳନ ; ୨୪ ଘଣ୍ଟାରେ ୬ଜଣଙ୍କର ମୃତ୍ୟୁ
କର୍ଣ୍ଣାଟକରେ ବର୍ଷା, ବନ୍ୟା ଓ ଭୂସ୍ଖଳନ ; ୨୪ ଘଣ୍ଟାରେ ୬ଜଣଙ୍କର ମୃତ୍ୟୁ
Manas Kumar Rout |
August 19, 2018 |
ବେଙ୍ଗାଲୁରୁ,19/8 (ସନ୍ଧାନ ନିୟୁଜ) : କେରଳ ପରେ ଏବେ କର୍ଣ୍ଣାଟକରେ ବର୍ଷା, ବନ୍ୟା ଓ ଭୂସ୍ଖଳନର ପ୍ରଭାବ ଦେଖିବାକୁ ମିଳିଛି । ରାଜ୍ୟର କୋଡ଼ାଗୁ ଜିଲ୍ଲାରେ ବର୍ଷା, ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ୬ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି । କୋଡାଗୁ ଜିଲ୍ଲାରେ ଗତ ତିନିଦିନ ଧରି ମୂଷଳଧାରାରେ ବର୍ଷା ଲାଗିରହିଛି। ଫଳରେ ସେଠାକାର ପରିସ୍ଥିତି ଅତି ଶୋଚନୀୟ ହୋଇପଡ଼ିଛି । ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ସେନାବାହିନୀ ସାମିଲ ହୋଇଛି । ମୁଖ୍ୟମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀ ୨ୟ ଦିନ ପାଇଁ ଆକାଶମାର୍ଗରୁ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ରିଲିଫ ଓ ଉଦ୍ଧାରକାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କେତେକ ଅଞ୍ଚଳରେ କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରଙ୍କ ସହାୟତା ରାଶି ଚେକ୍ ଆକାରରେ ବଣ୍ଟନ କରିଛନ୍ତି ।ଅନ୍ୟପକ୍ଷରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର କହିଛନ୍ତି ଯେ ମୃତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ସରକାର ଆହତମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ସେ କହିଛନ୍ତି । କୋଡ଼ାଗୁ ସମେତ ଶିବମୋଗା, ହାସନ, ଚିକ୍କାମାଗଲାରୁ, ଦକ୍ଷିଣ କନ୍ନଡା, ଉତ୍ତର କନ୍ନଡା ଏବଂ ଉଡୁପି ଜିଲ୍ଲାରେ ସ୍ୱଭାବିକ ଠାରୁ ଅଧିକ ବର୍ଷା ହୋଇଛି ।
ସେହିପରି ରାଜ୍ୟର ୧୬ଟି ଜିଲ୍ଲାରେ ସ୍ୱଭାବିକ ଠାରୁ କମ୍ ବର୍ଷା ଯୋଗୁଁ ମରୁଡି ଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଛି।
Related Posts
About The Author