କନ୍ଧମାଳର ୬୨ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ଛାତ୍ର ଛାତ୍ରୀ : ମାଓ ଇଲାକାରେ ଥାନା ପରିସରରେ କରାଯାଇଛି ନୋଡାଲ କେନ୍ଦ୍ର

Spread the love

କନ୍ଧମାଳ:୦୮/୩/୨୩(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ସମେଟିଭ ଆସେସମେଣ୍ଟ-୨ ମାଟ୍ରିକ ପରୀକ୍ଷାରେ ‌କନ୍ଧମାଳ ଜିଲ୍ଲାର ମୋଟ ୬୨ କେନ୍ଦ୍ରରେ ୧୦,୧୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଚଳିତବର୍ଷ ଜିଲ୍ଲାର ମୋଟ ୨୦୮ଟି ହାଇସ୍କୁଲର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ଅଂଶଗ୍ରହଣ କରୁଛନ୍ତି। ଏଥିପାଇଁ ଜିଲ୍ଲାରେ ମୋଟ ୧୬ଟି ନୋଡାଲ କେନ୍ଦ୍ର ସ୍ଥାପନ କରାଯାଇଛି। ଫୁଲବାଣୀ ଏଜେଓ ହାଇସ୍କୁଲ, ଖଜୁରୀପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ, ଫିରିଙ୍ଗିଆ ହାଇସ୍କୁଲ, ଗୋଛାପଡ଼ା ଥାନା, ବାଲିଗୁଡ଼ା ସରକାରୀ ହାଇସ୍କୁଲ, କ.ନୂଆଗାଁ ସରକାରୀ ହାଇସ୍କୁଲ, ତୁମୁଡ଼ିବନ୍ଧ ଥାନା, କୋଟଗଡ଼ ଥାନା, ବେଲଘର ଥାନା, ଦାରିଙ୍ଗବାଡ଼ି ଥାନା, ବ୍ରାହ୍ମଣୀଗାଁ ଥାନା, ରାଇକିଆ ସେଣ୍ଟ କ୍ୟାଥେରିନ ବାଳିକା ଉଚ୍ଚ ବିଦ୍ୟାଳୟ, ଘୁ.ଉଦୟଗିରି ହବାକ୍‌ ହାଇସ୍କୁଲ, ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟ, ଚକାପାଦ ଥାନା, ସାରଙ୍ଗଡ଼ ହାଇସ୍କୁଲରେ ନୋଡ଼ାଲ ସେଣ୍ଟର କରାଯାଇଥିବା ବେଳେ ସେଥିମଧ୍ୟରୁ ୯ଟି ନୋଡାଲ କେନ୍ଦ୍ର ବିଭିନ୍ନ ହାଇସ୍କୁଲରେ କରାଯାଇଥିବାବେଳେ ଆଉ ୭ଟି କେନ୍ଦ୍ର ବିଭିନ୍ନ ଥାନାରେ କରାଯାଇଛି। ବିଶେଷକରି ମାଓ ଉପଦ୍ରୁତ ଇଲାକାରେ ନୋଡାଲ ସେଣ୍ଟରଗୁଡ଼ିକ ଥାନା ପରିସରରେ କରାଯାଇଛି। ସେହିଭଳି ମଧ୍ୟମା ପରୀକ୍ଷା ନିମନ୍ତେ ୩ଟି ପରୀକ୍ଷା କେନ୍ଦ୍ର ଏବଂ ୩ଟି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି। ଆସନ୍ତା ୧୦ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଛି। ପ୍ରତିଦିନ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ପରୀକ୍ଷା ହେବ। ୧୦ ତାରିଖ ଦିନ ପ୍ରଥମ ଭାଷା (ଓଡ଼ିଆ/ବଙ୍ଗଳା/ହିନ୍ଦୀ/ଉର୍ଦ୍ଦୁ/ତେଲୁଗୁ) ପରୀକ୍ଷା ଥିଲାବେଳେ ୧୩ ତାରିଖରେ ଦ୍ବିତୀୟ ଭାଷା (ଇଂରାଜି/ହିନ୍ଦୀ), ୧୪ ତାରିଖରେ ତୃତୀୟ ଭାଷା (ସଂସ୍କୃତ/ହିନ୍ଦୀ), ୧୬ ତାରିଖରେ ବିଜ୍ଞାନ, ୧୭ ତାରିଖରେ ଟିଏଲ୍‌ଭି ପ୍ରାକ୍ଟିକାଲ, ୧୮ ତାରିଖରେ ସାମାଜିକ ବିଜ୍ଞାନ ଏବଂ ୨୦ ତାରିଖରେ ଗଣିତ ବିଷୟରେ ପରୀକ୍ଷା ଦିନ ସ୍ଥିର କରାଯାଇଛି।

Related Posts

About The Author

Add Comment