ନୂଆଦିଲ୍ଲୀ ୩୧/୧୦(ସନ୍ଧାନ ନିୟୁଜ) : ଭାରତର ଯେଉଁ ୧୦ଟି ରାଜ୍ୟେର ନୂଆ ଚାକିରି ନିହାତି ଦରକାର ସେହି ତାଲିକାରେ ଓଡ଼ିଶାର ନାମ ରହିଛି। ଓଡ଼ିଶାରେ କାମ କରିବା ପାଇଁ ଯୋଗ୍ୟ ଲୋକମାନଙ୍କ ସଂଖ୍ୟା ହେଉଛି ୨୮ ନିୟୁତ। ସେମାନଙ୍କ ପାଇଁ ୨୦୨୭ ସୁଦ୍ଧା ୨୯ ଲକ୍ଷ ନୂଆ ଚାକିରି ଦରକାର ହେବ। ପିଡବ୍ଲ୍ୟୁସି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏକ ରିପୋର୍ଟରେ ଏଭଳି ଆକଳନ କରାଯାଇଛି।
ରିପୋର୍ଟରେ କୁହାଯାଇଛି ଯେ ଆଗାମୀ ୧୦ ବର୍ଷ ଭିତରେ ସାରା ଭାରତ ପାଇଁ ୯.୯୪ କୋଟି ନୂଆ ଚାକିରି ଦରକାର ହେବ। ସେଥି ମଧ୍ୟରୁ ୮୦% ଚାକିରିର ଚାହିଦା ୧୦ଟି ରାଜ୍ୟରେ ସୃଷ୍ଟି ହେବ। ସେହି ରାଜ୍ୟଗୁଡ଼ିକ ହେଉଛି ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଓଡ଼ିଶା, ପଶ୍ଚିମ ବଙ୍ଗ, ବିହାର, ଆସାମ, ଛତିଶଗଡ଼, ରାଜସ୍ଥାନ, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର। ଏହି ରାଜ୍ୟଗୁଡ଼ିକର ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକରେ ଚାକିରି ପାଇଁ ଅଧିକ ଚାହିଦା ସୃଷ୍ଟି ହେବ।
ଭାରତ ପାଖରେ ବିପୁଳ ପରିମାଣର ଯୁବକଯୁବତୀ ରହିଛନ୍ତି। ବିଶ୍ବର ଅନ୍ୟ କୌଣସି ଦେଶ ପାଖରେ ଏବେ ଅଧିକ ସଂଖ୍ୟକ ଯୁବବର୍ଗ ନାହାନ୍ତି। ଏହାର ଲାଭ ଉଠାଇବାକୁ ହେଲେ ଭାରତକୁ ବିପୁଳ ପରିମାଣର ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପଡ଼ିବ। ୨୦୨୭ ସୁଦ୍ଧା କାମ କରିବା ପାଇଁ ଯୋଗ୍ୟ ଜନସଂଖ୍ୟାରେ ଆଉ ୧୦ କୋଟି ଲୋକ ସାମିଲ ହେବେ। ସେମାନଙ୍କ ପାଇଁ ଚାକିରି ଦରକାର ପଡ଼ିବ ବୋଲି ରିପୋର୍ଟରେ କୁହାଯାଇଛି।
ଭାରତରେ ଏବେ ଯେଉଁ ବିଶାଳ ଯୁବବର୍ଗ ରହିଛନ୍ତି ସେମାେନ ବୟସ୍କ ହେବାକୁ ଆହୁରି ୧୫ ବର୍ଷ ସମୟ ଲାଗିବ। ଅର୍ଥାତ ୨୦୩୪ ପରେ ଭାରତର ଜନସଂଖ୍ୟାର ଏକ ବଡ଼ ଭାଗ ବୟସ୍କ ହେବ। ଯୁବବର୍ଗ ଭାବେ ଭାରତ ପାଖରେ ଯେଉଁ ଶକ୍ତି ରହିଛି ସେଥିରୁ ଲାଭବାନ ହେବା ପାଇଁ ଭାରତ ପାଖରେ ୧୫ ବର୍ଷର ସମୟ ରହିଛି ବୋଲି ରିପୋର୍ଟରେ କୁହାଯାଇଛି।
ଓଡ଼ିଶା ପାଇଁ ଦରକାର ୨୯ ଲକ୍ଷ ନୂଆ ଚାକିରି,ବେକାରୀ ବଢୁଛି
|
October 31, 2018 |


