ଭୁବନେଶ୍ୱର, ୨୦/୦୪/୨୦ (ସନ୍ଧାନ ନିଉଜ) : କରୋନା ଭାଇରସର ମୁକାବିଲା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ରାଜ୍ୟବାସୀଙ୍କ ସୁରକ୍ଷା ନିମନ୍ତେ ନିଆଯାଉଛି ଗୋଟିଏ ପରେ ଗୋଟିଏ ପଦକ୍ଷେପ। ଇତିମଧ୍ୟରେ ରାଜ୍ୟରେ ୯ ହଜାର ୬୯୦ ସ୍ୱାବ ନମୁନା ପରୀକ୍ଷା ହୋଇଥିବା ବେଳେ ୬୧ଟି ନମୁନା ପଜିଟିଭ ଚିହ୍ନଟ ହୋଇଛିି। ସେଥିରୁ ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜଣଙ୍କର ମୃତ୍ୟୁ ହୋଇଛି। ବିଭିନ୍ନ କୋଭିଡ ହସ୍ପିଟାଲରେ ୩୬ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ଏହି ରୋଗୀଙ୍କ ମଧ୍ୟରୁ ଅନେକଙ୍କ ଠାରେ କରୋନା ଲକ୍ଷଣ ନାହିଁ। ତେଣୁ ରୋଗୀ କମ ଦିନ ମଧ୍ୟରେ ସେମାନେ ସୁସ୍ଥ ହୋଇଯିବେ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି।
ସରକାରୀ ତଥ୍ୟ ଅନୁଯାୟୀ ଓଡ଼ିଶାର୧୦ଟି ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ଭୁବନେଶ୍ୱରର। ଏପର୍ଯ୍ୟନ୍ତ ଭୁବନେଶ୍ୱରରେ ୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୯ ଜଣଙ୍କ ଚିକିତ୍ସା ଚାଲିଛି। ପୁରୀ ଓ କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଜଣେ ଲେଖାଏଁ ରୋଗୀ ସୁସ୍ଥ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ଜଣେ ଭଲ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଚିକିତ୍ସା ଚାଲୁ ରହିଛି। କେନ୍ଦ୍ରାପଡ଼ାର ୨ ଜଣ, ଢେଙ୍କାନାଳର ଜଣେ ଓ ବାଲେଶ୍ୱରର ଜଣେ କରୋନା ରୋଗୀଙ୍କ ଚିକିତ୍ସା ଚାଲିଥିବା ବେଳେ କଳାହାଣ୍ଡି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଭଲ ହୋଇଛନ୍ତି।



