ଭୁବନେଶ୍ୱର(ସନ୍ଧାନ ନ୍ୟୁଜ୍)୧୨/୦୭-: କରୋନା ରୋଗୀଙ୍କ ମୃତଦେହରୁ କାଢ଼ି ନେଲେ ସୁନା ଅଳଙ୍କାର । ପ୍ରମାଣ ଥାଇ ବି ଘଟଣାକୁ ଫାଙ୍କି ଦେଲେ ହସ୍ପିଟାଲ୍ କର୍ତ୍ତୃପକ୍ଷ । ଏମିତି ଅଭାବନୀୟ ଘଟଣା ଘଟିଛି ଇନ୍ଫୋସିଟି ଥାନା ଅଧୀନରେ ଥିବା ଏକ ଘରୋଇ ହସ୍ପିଟାଲ୍ରେ ଘଟିଛି । ମୃତକଙ୍କ ସମ୍ପର୍କୀୟ ଏନେଇ ଥାନାରେ ଏତଲା ଦେଲେ । ଯଥେଷ୍ଟ ପ୍ରମାଣ ବି ଧରାଇଲେ । କିନ୍ତୁ ପୁଲିସ୍ ମାମଲା ରୁଜୁ କରି ଚୁପ୍ ବସି ପଡ଼ିଛି ।
ଚନ୍ଦ୍ରଶେଖପୁର ଏମ୍ଆଇଜି-ଏସ୍ ୨୮ରେ ରହୁଥିବା ଅବସରପ୍ରାପ୍ତ ଆର୍ମି ଅଫିସ୍ର ପାରେଶ୍ୱର ସାହୁଙ୍କ ପତ୍ନୀ ଗତ ମେ’ରେ କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲ ଗଲେ । ଶ୍ରୀ ସାହୁଙ୍କ ଶାଶୁ ଓ ଶ୍ୱଶୁର ଝିଅକୁ ଦେଖିବାକୁ ବଲାଙ୍ଗୀରରୁ ଭୁବନେଶ୍ୱର ଆସିଥିଲେ । ମେ’ ୨୫ ତାରିଖରେ ଶାଶୁ ଝରା ପ୍ରଧାନଙ୍କ ମଧ୍ୟ କୋଭିଡ୍ ପଜିଟିଭ୍ ବାହାରିଲା । ତାଙ୍କୁ ଉକ୍ତ ହସ୍ପିଟାଲରେ ଭର୍ତ୍ତି କରାଗଲା । ହସ୍ପିଟାଲ ଯିବା ବେଳେ ସେ ନାକରେ ୨ଟି ସୁନା ରିଙ୍ଗ ପିନ୍ଧିଥିଲେ । ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରେ ରଖାଗଲା । ଜୁନ୍ ୫ରେ ହସ୍ପିଟାଲ କର୍ତ୍ତୃପକ୍ଷ ଭିଡିଓ କଲ କରି ଶ୍ରୀମତି ପ୍ରଧାନଙ୍କ ସହ ପରିବାର ଲୋକଙ୍କ କଥା କରାଇଥିଲେ । ସେଦିନ ମଧ୍ୟ ନାକରେ ୨ଟି ସୁନା ରିଙ୍ଗ ଥିବାର ଭିଡିଓ ରେକର୍ଡିଂ ପରିବାର ଲୋକଙ୍କ ପାଖରେ ଏବେ ବି ଅଛି । ଜୁନ୍ ୭ ତାରିଖ ଦିନ ଅପରାହ୍ଣରେ ତାଙ୍କର ମୃତ୍ୟୁ ହେଲା । ପରଦିନ ମୃତ ଦେହ ନେବାକୁ ଆସିଥିଲାବେଳେ ଶ୍ରୀମତି ପ୍ରଧାନଙ୍କ ନାକରେ ୨ଟି ସୁନା ରିଙ୍ଗ ଗାଏବ୍ ଥିଲା ।
ଶ୍ରୀ ସାହୁ ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେମାନେ ପ୍ରଥମେ ଅନ୍ତେଷ୍ଟିକ୍ରିୟା ସାରି ଆସିଲେ, ସିସି କ୍ୟାମେରା ଦେଖି ଖୋଜ୍ଖବର ନେବାକୁ ପ୍ରତିଶ୍ରୁତି ଦେଲେ । କ୍ରିୟାକ୍ରମ ସାରିବା ପରେ ଶ୍ରୀ ସାହୁ ଜୁଲାଇ ପହିଲାରେ ହସ୍ପିଟାଲକୁ ଗଲେ । କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ ଅଭିଯୋଗକୁ ଗ୍ରହଣ କଲେନି । ଶେଷରେ ଶ୍ରୀ ସାହୁ ଗତ ୭ ତାରିଖରେ ଇନ୍ଫୋସିଟି ଥାନାରେ ଅଭିଯୋଗ କଲେ । ଭିଡିଓ କଲ୍ ରେକର୍ଡିଂକୁ ମଧ୍ୟ ପ୍ରମାଣ ଭାବେ ଦେଖାଇଥିଲେ । ୨ ଦିନ ଭିତରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ କଥା ହୋଇ ସୁନା ଫେରାଇଦେବାକୁ ଥାନାରେ ପୁଲିସ ତାଙ୍କୁ କହିଲା । କିନ୍ତୁ ପୁଲିସ୍ ମଧ୍ୟ ଏବେ ହସ୍ପିଟାଲ କର୍ତ୍ତୃପକ୍ଷ ଭଳି ଭୁଆଁ ବୁଲାଇବାରେ ଲାଗିଛି ।