ଏନଜିଓ ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

Spread the love

ନୂଆଦିଲ୍ଲୀ ୧୦ /୦୭ (ସନ୍ଧାନ ନିଉଜ) କରୋନା ସଂକ୍ରମଣ କାଳରେ ବାରାଣସୀରେ ଲୋକମାନଙ୍କୁ ରିଲିଫ ଯୋଗାଇଥିବା ବାରାଣସୀର ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନର ପ୍ରତିନିଧିଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ମତ ବିନିମୟ କରିଛନ୍ତି। କରୋନା ବୈଶ୍ଵିକ ମହାମାରୀ ସତ୍ଵେ ଲୋକମାନଙ୍କ ମନରେ ଉତ୍ସାହ ଓ ଆଶା ଉଜ୍ଜୀବିତ କରିଥିବା ପବିତ୍ର ମହାନଗରୀ ବାରାଣସୀର ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।

ଶ୍ରୀ ମୋଦୀ କହିଛନ୍ତି ଯେ, ଖୁବ ସାହସ ଓ ସେବା ମନୋଭାବ ନେଇ ବାରାଣସୀର ଲୋକମାନେ ଯେପରି ଗରିବ ଲୋକମାନଙ୍କୁ ସାହାଯ୍ୟ କରିଛନ୍ତି ତାହାର ସମସ୍ତ ଖବର ସେ ରଖିଛନ୍ତି। ସଂକ୍ରମଣକୁ ରୋକିବା, ବିଭିନ୍ନ ଡାକ୍ତରଖାନାର ସୁବିଧା ଅସୁବିଧା, ସଙ୍ଗରୋଧ ବ୍ୟବସ୍ଥା ଓ ପ୍ରବାସୀ ଶ୍ରମିକମାନଙ୍କ କଲ୍ୟାଣ ଦିଗରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପର ଖବର ସେ ପାଉଛନ୍ତି। ସେ କହିଛନ୍ତି ଯେ, ମା ଅନ୍ନପୂର୍ଣ୍ଣା ଓ ବାବା ବିଶ୍ଵନାଥଙ୍କ କୃପାରୁ କାଶୀରେ କୌଣସି ଲୋକ ଭୋକରେ ଶୁଏ ନାହିଁ। ଆମ ସମସ୍ତଙ୍କର ସୌଭାଗ୍ୟ ଯେ ଈଶ୍ଵର ଆମ ମାଧ୍ୟମରେ ଦରିଦ୍ର ଜନତାଙ୍କ ସେବା କରିବାକୁ ସୁଯୋଗ ଦେଇଛନ୍ତି।

ଏହି ପବିତ୍ର ମହାନଗରୀରେ ବିଭିନ୍ନ ଧାର୍ମିକ କାର୍ଯ୍ୟକଳାପ ବନ୍ଦ ହୋଇଯାଇଥିଲେ ମଧ୍ୟ ବାରାଣସୀର ଜନସାଧାରଣ କରୋନା ବିରୁଦ୍ଧରେ ସଂଗ୍ରାମ ଓ ଆବଶ୍ୟକ କରୁଥିବା ଗରିବ ଲୋକମାନଙ୍କୁ ଖାଦ୍ୟ ଓ ଔଷଧପତ୍ର ବାଣ୍ଟିବାରେ ଦେଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ବିଭିନ୍ନ ସରକାରୀ ଓ ସ୍ଥାନୀୟ ପ୍ରଶାସନିକ ସଂସ୍ଥା ସହ ମିଶି ସ୍ଵେଚ୍ଛାସେବୀ ସଂଗଠନମାନେ କରିଥିବା କାର୍ଯ୍ୟର ସେ ଭୂୟସୀ ପ୍ରସଂଶା କରିଥିଲେ। ଖୁବ କମ ସମୟ ମଧ୍ୟରେ ପଙ୍ଗତରେ ଲୋକଙ୍କୁ ଖାଇବାକୁ ଦେବା, ହେଲ୍ପଲାଇନ ପ୍ରତିଷ୍ଠା ଓ ବାରାଣସୀ ସ୍ମାର୍ଟ ସିଟିର ବୈଷୟିକ ସହାୟତା ନେବା ଖୁବ ଗୁରୁତ୍ଵପୂର୍ଣ୍ଣ ଥିଲା ବୋଲି ସେ କହିଛନ୍ତି। ଡାକ ବିଭାଗ କିଭଳି ପ୍ରଶାସନକୁ ଖାଦ୍ୟ ବାଣ୍ଟିବାରେ ସାହାଯ୍ୟ କରିଥିଲା, ସେ ତାହାର ଉଦାହରଣ ଦେଇଥିଲେ। ସନ୍ଥ କବୀର ଦାସଙ୍କ ବାଣୀର ଅବତାରଣ କରି ଶ୍ରୀ ମୋଦୀ କହିଥିଲେ ଯେ, ଯିଏ ସେବା କରେ ସେ ଦିନରାତି ଉତ୍ସର୍ଗୀକୃତ ସେବା ପ୍ରଦାନ କରିଥାଏ ଓ ତା ସେବାର ମୂଲ୍ୟ ଉପରେ କୌଣସି ଆଶା ରଖି ନଥାଏ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ବର୍ଷର ବିଶାଳ ଜନସଂଖ୍ୟା ଓ ଅନ୍ୟାନ୍ୟ ପ୍ରତିବନ୍ଧକ ଯୋଗୁଁ ଦେଶ କିଭଳି ଏହି ବୈଶ୍ଵିକ ମହାମାରୀର ମୁକାବିଲା କରିବ ସେନେଇ ଅନେକ ବିଶେଷଜ୍ଞ ପ୍ରଶ୍ନ ଉତ୍ଥାପନ କରିଛନ୍ତି। ଉତ୍ତରପ୍ରଦେଶର ୨୩-୨୪ କୋଟି ଜନସାଧାରଣଙ୍କୁ ନେଇ ମହାମାରୀର କିଭଳି ମୁକାବିଲା କରାଯିବ ସେ ଭୟ ଲୋକମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସହଯୋଗ ଯୋଗୁଁ ଦୂର ହୋଇପାରିଛି। ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ପ୍ରକୋପ ହ୍ରାସ ପାଇବା ସହ ଅଧିକରୁ ଅଧିକ ସଂକ୍ରମିତ ଆରୋଗ୍ୟ ଲାଭ କରୁଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। କେନ୍ଦ୍ର ସରକାର ବିଭିନ୍ନ ସୁବିଧା ସୁଯୋଗ ଯୋଗାଇଦେବା ଯୋଗୁଁ ଦେଶର ପ୍ରାୟ ୮୦ କୋଟି ଜନସାଧାରଣ ଖାଦ୍ୟ ସାମଗ୍ରୀ ଠାରୁ ଇନ୍ଧନ ପର୍ଯ୍ୟନ୍ତ ଜିନିଷ ମାଗଣାରେ ପାଇପାରୁଛନ୍ତି ବୋଲି କହିଛନ୍ତି। ଆମେରିକାଠାରୁ ବହୁ ଗୁଣ ଅଧିକା ଜନସଂଖ୍ୟା ଥିବା ଭାରତ ବର୍ଷରେ ଗରିବ ଲୋକମାନଙ୍କ ଠାରୁ ସାହାଯ୍ୟ ପାଇଁ ପଇସାଟିଏ ମଧ୍ୟ ନିଆଯାଉ ନାହିଁ। ଏହି ଯୋଜନାର ମିଆଦକୁ ବର୍ତ୍ତମାନ ଆଗାମୀ ନଭେମ୍ବର ତଥା ଦୀପାବଳି ଓ ଛଟ ପୂଜା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ବାରାଣସୀର ବ୍ୟବସାୟୀ ଲୋକଙ୍କ ସମେତ ବିଭିନ୍ନ କାରିଗର ବିଶେଷକରି ବୁଣାକାରମାନଙ୍କ ଅଭାବ ଅସୁବିଧା ଦୂର କରିବା ପାଇଁ କେତେକ ପଦକ୍ଷେପ ନିଆଯାଉଛି। ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ଭିତ୍ତିଭୂମି ଓ ପ୍ରକଳ୍ପ ବାବଦକୁ ୮୦୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

Related Posts

About The Author

Add Comment