ସମ୍ବଲପୁର,( ସନ୍ଧାନ ନିଉଜ /ଜିତେନ୍ଦ୍ର ମୁଦୁଲି):ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ସଂଖ୍ୟା ଲଘୁ ଓ ପଛୁଆ ବର୍ଗ ଉନ୍ନୟନ ବିଭାଗ ପତ୍ର ସଂଖ୍ୟା ୫୫୬୧/୨୦୨୪, ଅନୁଯାୟୀ, ଅନୁସୂଚିତ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ରୂପା ରୋସନ୍ ସାହୁ, ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ଯୁଗ୍ମ ନିର୍ଦ୍ଦେଶକ ଟୁକୁ ବାରିକ୍, ଉପ ନିର୍ଦ୍ଦେଶକ ମନୋଜ୍ ନାୟକ, ଅର୍ଥ ବିଭାଗର ଅତିରିକ୍ତ ସଚିବ ଚିତ୍ତରଞ୍ଜନ ହୋତା ଏଵଂ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବଙ୍କ ଉପସ୍ଥିତି ରେ ଗତ ୭ ତାରିଖ ଦିନ ଭୁବନେଶ୍ଵର ସ୍ଥିତ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ, ସଭାପତି ଚନ୍ଦ୍ରମଣି ତାଜନ, ସାଧାରଣ ସଂପାଦକ ବିଜୟ କୁମାର ରଥ ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ୧୫ ଦଫା ଦାବି ଉପରେ ବିସ୍ତ୍ରୁତ ଆଲୋଚନା କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଭଳି ବିଭିନ୍ନ ବର୍ଗ ର ଶିକ୍ଷକ ମାନଙ୍କ କ୍ୟାଡ଼ରଗତ ଦରମା ଅସଙ୍ଗତି ଦୂର କରିବାକୁ ଆଲୋଚନା ବେଳେ ପ୍ରତିଶ୍ରୁତି ଦିଆଯାଉଥିଲା। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ସଂଖ୍ୟା ଲଘୁ ଓ ପଛୁଆ ବର୍ଗ ଉନ୍ନୟନ ବିଭାଗର ଏଲିମେଣ୍ଟାରି ରୁଲ ନୂତନ ଭାବେ ପ୍ରଚଳନ ସହିତ ଯେଉଁ ସବୁ ଦରମାଗତ ଅସଙ୍ଗତି ରହିଛି ତାହା ଦୂର କରିବା ପାଇଁ ଅର୍ଥ ବିଭାଗ ଠାରୁ ସ୍ପଷ୍ଟୀକରଣ ଲୋଡାଯାଇଛି। ଶିକ୍ଷା ନିରୀକ୍ଷକ ମାନଙ୍କ କ୍ୟାଡ଼ର ରେ ପରିବର୍ତ୍ତନ କରାଯାଇ ନାମ ପଦ୍ଧତି ରେ ପରିବର୍ତ୍ତନ କରାଯିବ ବୋଲି କୁହାଯାଇଥିଲା। ଜମନକିରା ବ୍ଲକ୍ ସାମ୍ୱାଦିକ ୟୁନିଅନ ଅଫିସ ଠାରେ ଗୁରୁବାର ଆୟୋଜିତ ପ୍ରେସମିଟ ରେ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର ରାଜ୍ୟ ପ୍ରବକ୍ତା ରାଜେନ୍ଦ୍ର ଜଗତ ଉଦବେଗ ପ୍ରକାଶ କରି ସାମ୍ୱାଦିକ ମାନଙ୍କୁ ଏହି ସୂଚନା ଦେଇଛନ୍ତି । ସେ ଆହୁରି କହିଥିଲେ, ରାଜ୍ୟରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ସଂଖ୍ୟା ଲଘୁ ଓ ପଛୁଆ ବର୍ଗ ଉନ୍ନୟନ ବିଭାଗ ଦ୍ଵାରା ପ୍ରାୟ ୧୭୫୦ ଗୋଟି ସ୍କୁଲ ରହିଛି। ଗତ ୯ ତାରିଖରେ ପୁଣି ଥରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର କ୍ୟାଡ଼ର ରେ ପରିବର୍ତ୍ତନ କରି ପ୍ରାଥମିକ ଶିକ୍ଷକ ଓ ଶିକ୍ଷାଧିକାରୀ ମାନଙ୍କ ଦରମା ଉଚ୍ଚ ସ୍ତରରେ ପ୍ରଦାନ କରିଛନ୍ତି। ବର୍ତ୍ତମାନ ଏମାନଙ୍କ କ୍ୟାଡ଼ର ରେ ପୁଣି ଥରେ ପରିବର୍ତ୍ତନ କରାଯିବ। ସେମାନେ ଦୀର୍ଘ ବର୍ଷ ହେଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶିକ୍ଷକ ମାନଙ୍କ ଠାରୁ କମ୍ ଦରମା ରେ କାର୍ଯ୍ଯ କରୁଛନ୍ତି। ବର୍ତ୍ତମାନ ଉଭୟ ବିଭାଗ ରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦରମାରେ ବିରାଟ ପାର୍ଥକ୍ୟ ରହୁଛି। ଆଗାମୀ ନିର୍ବାଚନ ପୂର୍ବରୁ ସରକାର ପ୍ରାୟ ସବୁ ବିଭାଗର ସମସ୍ତ ବର୍ଗର କର୍ମଚାରୀ ମାନଙ୍କ ପାଇଁ କିଛି ନା କିଛି ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି କିନ୍ତୁ ତାଙ୍କ ବିଭାଗ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅହୋରାତ୍ର ୨୪ ଘଣ୍ଟା ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାନଙ୍କ କଲ୍ୟାଣ ପାଇଁ କାର୍ଯ୍ଯ କରୁଥିଲେ ହେଁ କୌଣସି ଘୋଷଣା ନ କରିବା ସମସ୍ତଙ୍କୁ ମର୍ମାହତ କରିଛି। ସେମାନେ କାର୍ଯ୍ଯ କରୁଥିବା ବିଭାଗରେ ସମସ୍ତ ବର୍ଗ ର ଶିକ୍ଷକ ମାନଙ୍କ ଦରମାଗତ ଅସଙ୍ଗତି ଦୂର କରାଯାଇ କ୍ୟାଡ଼ର ନିୟମର ସଂଶୋଧନ କରାଯାଉ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ସଂଖ୍ୟା ଲଘୁ ଓ ପଛୁଆ ବର୍ଗ ଉନ୍ନୟନ ବିଭାଗ ରେ କାର୍ଯ୍ୟରତ ଶିକ୍ଷକ ମାନଙ୍କ ପ୍ରାୟ ୪/୫ ଗୋଟି ଦାବି ରହିଛି। ୬ ବର୍ଷର ଚୁକ୍ତି ଭିତ୍ତିକ କାର୍ଯ୍ୟକୁ ମୂଳ ଚାକିରୀ ସହିତ ଗଣନା କରାଯାଇ ୬ ଟି ନେସନାଲ ଇନକ୍ରିମେଣ୍ଟ ପ୍ରଦାନ, ୨୦୦୪ ରୁ କାର୍ଯ୍ୟରତ ସମସ୍ତ ଶିକ୍ଷକ ମାନଙ୍କ ନିମନ୍ତେ ଅର୍ଥ ବିଭାଗ ନିୟମ ଅନୁଯାୟୀ ମାନକ ନିର୍ବାହ ପଦ୍ଧତି (ଏସଓପି) ପ୍ରକାରେ ଦରମା ପ୍ରଦାନ କରାଯାଉ। ତେଣୁ ରାଜ୍ୟ ସରକାର ଶିକ୍ଷକ ମାନଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସେମାନଙ୍କ ଦାବି ଗୁଡିକ ପୂରଣ ପାଇଁ ତୁରନ୍ତ ପଦକ୍ଷେପ ନେଲେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଆତ୍ମ ବିଶ୍ୱାସ ବୃଦ୍ଧି ପାଇବା ସଙ୍ଗେ ରାଜ୍ୟ ସରକାରଙ୍କ ନିକଟରେ ଶିକ୍ଷକ ମାନେ କୃତଜ୍ଞ ରହିବେ ବୋଲି ରାଜ୍ୟ ପ୍ରବକ୍ତା ଶ୍ରୀ ଜଗତ କହିଥିଲେ । ଆଗାମୀ ଦିନରେ ଶିକ୍ଷକ ମାନେ ଯେଭଳି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ନ ପଡେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି।
ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର ପ୍ରବକ୍ତା ଶ୍ରୀ ରାଜେନ୍ଦ୍ର ଜଗତ ଙ୍କ ପ୍ରେସମିଟ
|
March 15, 2024 |



