ବାଲେଶ୍ଵର, ୨୨/୦୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) :- ବାଲେଶ୍ଵର ସଦର ଆସନ ଉପନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ପ୍ରମୁଖ ଦଳଗୁଡ଼ିକରେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ଯେତିକି ବଢ଼ିଛି, ଗୋଷ୍ଠୀ କନ୍ଦଳ ମଧ୍ୟ ସେତିକି ତେଜିବା ଆରମ୍ଭ କଲାଣି । ଏହି କ୍ରମରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କର ଘନିଷ୍ଠ ସହଯୋଗୀ ତଥା ନିକଟରେ ଜୀବନବିନ୍ଦୁ ଏବଂ ଓଡ଼ିଶା ମୋ ପରିବାରର ବାଲେଶ୍ଵର ଜିଲ୍ଲା ସଂଯୋଜକ ପ୍ରଦର ବାଦ ପଡିଥିବା ବରିଷ୍ଠ ଯୁବନେତା ଆଶିଷ କୁମାର ଘୋଷ ଏକ ସାମ୍ବାଦିକ ସମ୍ମଳନୀ ଡକାଇ ବିଜୁ ଜନତା ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି । ଶ୍ରୀ ଘୋଷଙ୍କ ଏହି ଇସ୍ତଫା ସଦର ଉପନିର୍ବାଚନ ପୂର୍ବରୁ ଦଳ ପାଇଁ ଏକ ବଡ଼ ଝଟକା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଶ୍ରୀ ଘୋଷଙ୍କ କହିବା ମୁତାବକ, ୨୦୦୯ ମସିହାରେ ସେ ବିଜେଡିରେ ସାମିଲ ହେବା ପରେ ୨୦୧୨ରେ ବାଲେଶ୍ଵର ଟାଉନ୍ ସଭାପତି ଦାୟିତ୍ବ ସମ୍ଭାଳିଥିଲେ । ତାଙ୍କ ନେତୃତ୍ବରେ ୨୦୧୩ ମସିହାରେ ଦଳ ପ୍ରଥମ ଥର ପାଇଁ ବାଲେଶ୍ଵର ପୌରପାଳିକା ନିର୍ବାଚନରେ ସଂଖ୍ୟାଧିକ ଔର୍ଡ କାଉନସିଲର । ଜିତି ଅଧ୍ୟକ୍ଷ ପଦ ଦଖଲ କରିଥିଲ । ପରେ ୨୦୧୪ ସାଧାରଣ ନିର୍ବାଚନରେ ସାଙ୍ଗଠନିକ ପରିଚାଳନା ଦାୟିତ୍ବ ନେଇ ସେ ଦଳର ସାଂସଦ ଓ ବିଧାୟକଙ୍କୁ ବିପୁଳ ଭୋଟରେ ଜିତାଇଥିଲେ ।୨୦୧୫ରେ ମଧ୍ୟ ଦଳ ଟାଉନ ସଭାପତି ଭାବେ ତାଙ୍କ ନାମ ଘୋଷଣା କରିଥିଲା ମାତ୍ର ଏହାର କିଛି ମାସ ପରେ ଚିଠି ନମ୍ବର ଓ ତାରିଖ ଉଲ୍ଲେଖ ନକରି ତାଙ୍କ ସ୍ଥାନରେ ସ୍ବରୂପ ଦାସଙ୍କୁ ଦାୟିତ୍ବ ଦିଆଯାଇଥିବା ଦଳ ପକ୍ଷରୁ ତାଲିକା ଜାରି କରାଯାଇଥିଲା । ତତ୍କାଳୀନ ସାଂସଦ ରବୀନ୍ଦ୍ର ଜେନା ଜିଲ୍ଲା ସଭାପତି ଦାୟିତ୍ବ ନେବା ପରେ ସ୍ବରୂପ ଦାସଙ୍କୁ ନଗର ସଭାପତି ଭାବେ ଗ୍ରହଣ କରିଥିଲେ । ଏହା ପରଠୁ ଆରମ୍ଭ ହୋଇଥିଲା ଦଳର ଅନ୍ତଃକନ୍ଦଳ ଯାହାର ପରିଣାମ ୨୦୧୯ ସାଧାରଣ ନିର୍ବାଚନରେ ଦଳକୁ ଭୋଗିବାକୁ ପଡ଼ିଥିଲା। ଏଥିସହ ୨୦୧୫ ମସିହାରୁ । ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ ଆରମ୍ଭ ହୋଇଥିବା । ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ଶ୍ରୀ ଘୋଷଙ୍କୁ ବାଲେଶ୍ବର ଜିଲ୍ଲା ସଂଯୋଜକ ଦାୟିତ୍ବ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସେ ସଫଳ ଭାବେ ସମ୍ପାଦନ କରି ମୁଖ୍ୟମନ୍ତ୍ରୀଙ୍କଠାରୁ ଦୁଇ ଦୁଇ ଥର ପୁରସ୍କୃତ ମଧ୍ୟ ହୋଇଥିଲେ । ଚଳିତ ମାସ ୭ ତାରିଖରେ ତାଙ୍କ ନାଁ ଜୀବନବିନ୍ଦୁ ଓଡ଼ିଶା ମୋ ପରିବାରର ଜିଲ୍ଲା ସଂଯୋଜକ ଭାବେ ଘୋଷଣା କରାଯାଇଥିବା ବେଳେ ୮ ତାରିଖ ଦିନ ତାଙ୍କ ନାଁ ସେଥିରୁ ହଟାଯାଇ ସାହିରୁଲ ହକ୍ଙ୍କ ନାଁ ଘୋଷଣା କରାଗଲା । ଏସବୁ ଘଟଣା ତାଙ୍କ ବିରୋଧରେ ଏକ ବିଧିବଦ୍ଧ ଷଡ଼ଯନ୍ତ୍ର ବୋଲି ସେ ଅଭିଯୋଗ କରିବା ସହ ଦଳ ପାଇଁ ନିଷ୍ଠାପର ଭାବେ ଏତେବର୍ଷ କାମ କରିବା ପରେ ଶୀର୍ଷ ନେତୃତ୍ଵଙ୍କଠାରୁ ସେ ଏଭଳି ଆଶା କରୁନଥିଲେ ବୋଲି କହି ନିଜର ଅସନ୍ତୋଷ ଜାହିର କରିଛନ୍ତି। ଯଦି ଏହି ପଦ ତାଙ୍କୁ ଦିଆଯିବାର ନଥିଲା, ତାହେଲେ ଥରେ ନାଁ ଘୋଷଣା କରିବା ଏବଂ ପରେ ତାଙ୍କ ସହ କିଛି ଆଲୋଚନା ନକରି ପଦରୁ ହଟେଇ ଦେବା ପଛରେ ଏକ ପ୍ରଭାବଶାଳୀ ଗୋଷ୍ଠୀର ସଂପୃକ୍ତି ରହିଛି । ସମୟ ଆସିଲେ ତାର ଜବାବ ତାଙ୍କୁ ମିଳିଯିବ ବୋଲି ସେ କହିଥିଲେ । ତେବେ ଦଳରେ ବାରମ୍ବାର ତାଙ୍କ ସ୍ବାଭିମାନ ଓ ସମ୍ମାନକୁ ଆଘାତ ପହଞ୍ଚାଯାଇଥିବାରୁ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଥିଲେ। ଅନ୍ୟପକ୍ଷରେ ବିଜେପିରେ ଯୋଗ ଦେବା ନେଇ ହେଉଥିବା ଚର୍ଚ୍ଚାରେ ଶ୍ରୀ ଘୋଷ ପ୍ରତିକ୍ରିୟା ରଖିଥିଲେ । କହିଥିଲେ, ୨୦୦୯ ମସିହା ପୂର୍ବରୁ ସେ ଏବିଭିପି ସଂଗଠନ ସହ ଜଡ଼ିତ ଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ରାଜନୈତିକ । ଗୁରୁ କିନ୍ତୁ ବିଜେଡିରେ ସାମିଲ ହେବା ପରେ ତାଙ୍କ ସହ ସେ ଯୋଗାଯୋଗ ରଖିନାହାନ୍ତି। । ଆଗକୁ ବିଜେପିରେ ସାମିଲ ହେବା ନେଇ ଏବେଠୁ ସେ କିଛି ଚିନ୍ତା କରିନଥିବା କହିଛନ୍ତି ।
ଇସ୍ତଫା ଦେଲେ ଦଳର ବରିଷ୍ଠ ଯୁବନେତା ଆଶିଷ ଘୋଷ
|
August 22, 2020 |