ବାରିପଦା,୨୮/୦୮/୨୦ (ସନ୍ଧାନ ନିଉଜ):-ଏକ ଅପହରଣ ମାମଲାର ଅଭିଯୁକ୍ତକୁ ଧରିବାକୁ ଯାଇ ନିର୍ଘାତ ମାଡ଼ ଖାଇଛି ପୁଲିସ ପୁଲିସକୁ ସାଦା ପୋଷାକ ଏବଂ ହାତରେ ବନ୍ଧୁକ ଧରିଥିବା ଦେଖି ଗାଁ ଲୋକେ ଡକାୟତ ଭାବି ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି। ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ସେହି ଅଞ୍ଚଳର ଜଣେ ୩୦ ବର୍ଷୀୟ ଯୁବକ ମାସକ ତଳେ ଅପହର କରିନେଇଥିଲା । ଏ ସଂପର୍କରେ ନାବାଳିକାର ବାପା ଧାମରା ଥାନାରେ ଏତଲା ଦେଇଥିଲେ ମଧ୍ୟ ପୁଲିସ ଅପହର୍ତୀ ଯୁବକ ସମ୍ପର୍କରେ କୌଣସି ଟେର୍ ପାଇନଥିଲା । ତେବେ ଅଭିଯୁକ୍ତର ମୋବାଇଲକୁ ଟ୍ରାକିଂ କରାଯିବାବେଳେ ଧାମରା ଅଞ୍ଚଳର ଜଣେ ଯୁବକ ସହିତ ଅଭିଯୁକ୍ତ ବାରମ୍ବାର ଫୋନ୍ରେ କଥାବାର୍ତ୍ତା ହେଉଥିବା ଜାଣିବାକୁ ପାଇଥିଲା ପୁଲିସ। ଅପହର୍ତି ନିକଟରେ ପହଞ୍ଚିବାକୁ ଲୋକେସନ୍ ଡିଟେକ୍ଟ କରାଯିବା ସମୟରେ ତାହା ବାଶଡା ଥାନା ନଳଗୋହିରା ଅଞ୍ଚଳର ଏକ ଚିଙ୍ଗୁଡ଼ି ଘେରି ବୋଲି ଜଣାପଡ଼ିଥିଲା। ଏହାପରେ ଅପହର୍ତ୍ତାକୁ ଧରିବା ପାଇଁ ଗତକାଲି ରାତି ୧୨ଟାରେ ଧାମରା ଥାନାର ଜଣେ ଏଏସ୍ଆଇ ଓ ୪ ଜଣ ପୁଲିସ କନଷ୍ଟେବଳ ସାଧାପୋଷାକରେ ନଳଗୋହିରା ବିଲ ମଧ୍ୟରେ ଥିବା ଉକ୍ତ ଚିଙ୍ଗୁଡି ଘେରିକୁ ଯାଇଥିଲେ। ସେମାନେ ୪ଟି ମୋଟର ସାଇକେଲରେ ଯାଇଥିବାବେଳେ ନାବାଳିକାର ମାମୁ ମଧ୍ୟ ସାଥିରେ ଯାଇଥିଲେ। ତେବେ ପୁଲିସ ଏଏସ୍ଆଇଙ୍କ ହାତରେ ବନ୍ଧୁକ ଦେଖି ଚିଙ୍ଗୁଡ଼ି ଘେରିରେ କାମ କରୁଥିବା ଲୋକେ ସେମାନଙ୍କୁ ଡକାୟତ ଭାବିଥିଲେ । ସାଦା ପୋଷାକରେ ଥିବା ପୁଲିସ କର୍ମଚାରୀମାନେ ରାଜୁ ତରେଇ ନାମକ ଯୁବକ ସମ୍ପର୍କରେ ପଚରାଉଚରା କରିବାବେଳେ ଚିଙ୍ଗୁଡିଘେରିର କିଛି ଲୋକ ଗାଁ ଲୋକଙ୍କୁ ଡାକ ପକାଇଥିଲେ । ଘଟଣାସ୍ଥଳରେ ଗାଁ ଲୋକେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ନିର୍ଘାତ ମାଡ଼ ଜୀବନବିକଳରେ ସମସ୍ତେ ନିଜ ନିଜର ପରିଚୟପତ୍ର ଦେଖାଇଥିଲେ ମଧ୍ୟ କେହି ବିଶ୍ବାସ କରିନଥିଲେ। କାଦୁଅରେ ଗଡ଼େଇତଡ଼େଇ ପ୍ରବଳ ମାଡ଼ ମାରିବା ସହ ସମସ୍ତଙ୍କର ମୁହଁକାନ ଫୁଲାଇ ଦେଇଥିଲେ ଏବଂ ଗୋଟିଏ ଘରେ ପୂରାଇ ଦେଇଥିଲେ। ପୁଲିସକୁ ମାଡ଼ ହେଉଥିବାବେଳେ ନାବାଳିକାର ମାମୁ କୌଶଳକ୍ରମେ ସେଠାରୁ ଖସି ପଳାଇ ଆସି ବ୍ୟଶଡା ଥାନାକୁ ଖବର ଦେଇଥିଲେ। ପରେ ବ୍ୟଶଡ଼ା ଥାନା ପୁଲିସ ଆସି ଅଟକ ଥିବା ଧାମରା ଥାନା ପୁଲିସ କର୍ମଚାରୀଙ୍କୁ ଉଦ୍ଧାର କରିଥିଲା। ତେବେ ଏହି ଘଟଣାକୁ ନେଇ ଗ୍ରାମବାସୀ ଭିନ୍ନ ର ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, ୪ଟି ବାଇକ୍ରେ ଆସିଥିବା ୫ ଜଣ ପୁଲିସ କର୍ମଚାରୀ ପ୍ରବଳ ମଦ୍ୟପାନ କରିଥିଲେ । କାହାରି କଥାବାର୍ତ୍ତାରେ ତାଳମେଳ ନଥିଲା । ପୁଲିସ ପୋଷାକ ପିନ୍ଧିନଥିବାରୁ ଏବଂ ଏତେ ରାତିରେ ଚିଙ୍ଗୁଡ଼ି ଘେରିକୁ ଆସିଥିବାରୁ ସେମାନଙ୍କୁ ଡକାୟତ ସନ୍ଦେହରେ ମାଡ଼ ମରାଯାଇଥିଲା । ତେବେ ଚଢ଼ାଉ ସମୟରେ ବ୍ୟଶଡ଼ା ଓ ଧାମରା ପୁଲିସ ଏକାସାଙ୍ଗର ଯିବେ ବୋଲି କଥା ହୋଇଥିଲେ। କିନ୍ତୁ ଧାମରା ପୁଲିସ କାହିଁକି ଏକୁଟିଆ ଯାଇଥିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ, ଏ ସଂପର୍କରେ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ବ୍ୟଶଡା ଥାନା ଅଧିକାରୀ କରୁଣାକର ରାଉତ କହିଛନ୍ତି।
ଅଭିଯୁକ୍ତକୁ ଧରିବାକୁ ଯାଇଥିବା ପୁଲିସକୁ ନିର୍ଘାତ ମାଡ଼
|
August 28, 2020 |



