ରସୁଲପୁର, ୧୮/୧୦/୨୦ (ସନ୍ଧାନ ନିଉଜ) : ଚାକିରୀର ଅବସର ପରେ ପରିବାର ସହିତ ଖୁସିରେ ବାକିତକ ଜୀବନ ଅତିବାହିତ କରିବା ଓ ତୀର୍ଥଭ୍ରମଣ କରିବାକୁ ସମସ୍ତଙ୍କର ଇଛା ଥାଏ । କିନ୍ତୁ ବ୍ରହ୍ମବରଦା ପଞ୍ଚାୟତ ଅନ୍ତର୍ଗତ ଆଜାଦନଗର ଗ୍ରାମର ଅବସରପ୍ରାପ୍ତ ସେନା ଅଧିକାରୀ ଅକତର ହୁସେନ ଖାନ (୬୩ବର୍ଷ) ଜଣେ ଅନନ୍ୟ ଉଦାହରଣ। ଯିଏକି ୩୮ବର୍ଷର ଏକଲମ୍ବା ଚାକିରୀ ଜୀବନପରେ କେବଳ ବିଶ୍ରାମ ଓ ତୀର୍ଥଭ୍ରମଣ ନକରି ନିଜର ଅଧିକରୁ ଅଧିକ ସମୟ ତାଙ୍କ ପ୍ରଶିକ୍ଷଣ ଶିବିର ବିତାଉଛନ୍ତି । ସୂଚନା ଅନୁଯାୟୀ ଅବସରପ୍ରାପ୍ତ ଅକତର ହୁସେନ ଖାନ ଜଣେ ସିଆଏସଏଫ ସେନା ବିଭାଗରେ ଡିଏସପି ପଦବୀରୁ ଅବସର ଗ୍ରହଣ କରିଥିଲେ। ଏହି ସମୟରେ ଦେଶ ମାଟିର ସେବା କରିବାପାଇଁ ଯେଉଁ ସୁଯୋଗ ଓ ଅନୁଭବ ଆସିଥିଲା, ତାକୁ ନେଇ ବ୍ରହ୍ମବରଦା ଅଞ୍ଚଳର ଶିଶୁ ଓ ଯୁବପିଢୀମାନଙ୍କୁ ସେନାବିଭାଗ ପ୍ରଶିକ୍ଷଣକୁ ବିନାମୂଲ୍ୟରେ ତାଲିମ ଦେଉଛନ୍ତି । ବ୍ରହ୍ମବରଦା ତଥା ଆଖପାଖ ଅଞ୍ଚଳର ମହେଶ୍ୱରପୁର, ନାଳକୁଳ, ସାହାପଡା, ବନ୍ଧଢିହ,କୋତପୁର ଓ ଭଗବାନପୁର ଗ୍ରାମରୁ ୩୦ରୁ ଅଧିକ ଯୁବକ ଏହି ତାଲିମ ଶିବିରରେ ପ୍ରତିଦିନ ଯୋଗଦେଉଛନ୍ତି । ପ୍ରତିଦିନ ସକାଳ ପ୍ରାୟ ୫ଟା ରୁ ୭ଟା ବେଳେ ଯାଏଁ ପିଲାମାନଙ୍କୁ ଶାରିରୀକ ବ୍ୟାୟମ, ଫିଟନେସ ଟିପସ,ଯୋଗ, ପ୍ରାଣାୟମ ଓ ସାଧାରଣ ଞାନ ଭଳି ଶିକ୍ଷାଦାନ କରିଥାଆନ୍ତି। ଗତ ଦୁଇବର୍ଷ ଧରି ସ୍ଥାନୀୟ ବ୍ରହ୍ମବରଦା ମହାବିଦ୍ୟାଳୟ ଖେଳପଡିଆରେ ଏହି ପ୍ରଶିକ୍ଷଣ ତାଲିମକେନ୍ଦ୍ର ଚାଲୁରହିଛି । ଆକତର ହୁସେନ ଖାନ ତାଙ୍କ ଚାକିରି ଜୀବନ ସମୟରେ ଜଣେ ଶୃଙ୍ଖଳିତ ଅଧିକାରୀ ଭାବେ ସୁନାମ ଅର୍ଜନ କରିଥିବାରୁ ପିଲା ମାନଙ୍କୁ ଶୃଙ୍ଖଳିତ, ସମୟାନୁବର୍ତ୍ତିତା ଓ ଏକନିଷ୍ଠ ଚେଷ୍ଟା ମାଧ୍ୟମରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ପ୍ରେରଣା ଦେଇଥାଆନ୍ତି । ନିଜ କାର୍ଯ୍ୟକୁ ଖୁସି ରହୁଥିବା ଏହି ଅବସରପ୍ରାପ୍ତ ଅଧିକାରୀ ଯୁବପିଢୀ ମାନଙ୍କ ପାଇଁ ଆଦର୍ଶ ସାଜିଛନ୍ତି । ବୟସ ଅପରାହ୍ନରେ ନିଜପରି ସୁରକ୍ଷା ଅଧିକାରୀ ଓ ସେନା ବାହିନୀରେ ଅନେକ ଯୁବକ ମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ନିମନ୍ତେ ସଦାବେଳେ ଚେଷ୍ଟିତ। ବିନା ମୂଲ୍ୟରେ ତାଲିକା ମିଳୁଥିବାରୁ ଗ୍ରାମାଞ୍ଚଳ ଯୁବପିଢୀ ମାନେ ବହୁଳଭାବରେ ଯୋଗଦାନ କରୁଛନ୍ତି। ସେଥିମଧ୍ୟରୁ ସୁବ୍ରତ କୁମାର ଦାସ ଭଳି ବହୁ ଯୁବକ ଭିନ୍ନଭିନ୍ନ ପୁଲିସ ଓ ସେନା ବିଭାଗରେ ସୁଯୋଗ ପାଇ ସାରିଲେଣି। ତେଣୁ ଅକତର ହୁସେନ ଖାନ ଓ ସାମାଜିକକର୍ମୀ ଜାଭେଦ ଖାନ ପ୍ରତ୍ୟକ୍ଷ ଭାବରେ ଏହି କାର୍ଯ୍ୟକ୍ରମକୁ ଆଗକୁ ନେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଆଗାମୀ ଦିନରେ ଏକ ବିଧିବଦ୍ଧ ଭାବେ ଏକ ତାଲିକା କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଶ୍ରୀ ଖାନ । ସେ କେବଳ ଏହି ତାଲିମ ଶିବିର ପ୍ରଶିକ୍ଷଣ ତାହା ନୁହେ ନିଜ ଗ୍ରାମରେ ସାମାଜିକ କାମରେ ନିୟୋଜିତ କରିଛନ୍ତି। ତାଙ୍କର ଏହି ଅଭୁଦପୃବକ ପ୍ରତିଭାପାଇଁ ମେୱା ଅନୁଷ୍ଠାନର ସଂପାଦକ ସହ ଅଲ ଉମା ମାଇନୋରିଟୀ ୱଲଫେୟାର ଆସୋସିଏସନ୍ ମୁଖ୍ୟ ଉପଦେଷ୍ଟା ଭାବେ କାର୍ଯ୍ୟକରୁଛନ୍ତି ।
ଅବସର କେନ୍ଦ୍ରୀୟ ସୁରକ୍ଷା ଅଧିକାରୀଙ୍କ ନିଆରା ପଦକ୍ଷେପ (ଅନ୍ୟ ପାଇଁ ଉଦାହରଣ )
|
October 18, 2020 |